24 . ଚତୁର୍ବିଂଶ ବୋଲି

ଉଇକିପାଠାଗାର‌ରୁ
ଚତୁର୍ବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଚତୁର୍ବିଂଶ ବୋଲି

ଚତୁର୍ବିଂଶ ବୋଲି

 
ଅଲେଖ ମହିମା ଭାଙ୍ଗିବେ ଗାରିମା ସରିବ ଏ ଉତପତ୍ତି,
ଭାଦ୍ରବରୁ ସପ୍ତ ଅଙ୍କ ଲାଗିଲାଣି ସପ୍ତାଙ୍ଗ ହୋଇବ ପୃଥ୍ୱୀ ।
ସ୍ୱାମୀ ଗୁରୁଦେବ ଗୁପତେ ସାଧିବେ ପ୍ରତ୍ୟକ୍ଷେ ନ ଦେବେ ଚିହ୍ନା,
ଗୋଟି ଗୋଟି ହୋଇ ଖସି ଯାଉଥିବେ କାହାକୁ ନ ଥିବ ଜଣା ।
ହୃଦେ ନାହିଁ ଭେଦ ଶାହାସ୍ର ସମ୍ବାଦ ମୁଖେ ନାହିଁ ଗୁରୁ ନାମ,
ଏଣିକି ଏଠାରୁ ପ୍ରାଣୀଙ୍କ ହୃଦରୁ ଛାଡ଼ିଯିବ ସତ୍ୟ ଧର୍ମ ।
ଅନ୍ୟାୟ ଆଚାରେ ଅନୀତି ବିଚାରେ ପଡ଼ି ଛନ୍ଦ ନଟକୂଟେ,
କେଉଁ ଧର୍ମକୁ ଆଶ୍ରିତ କରି ପ୍ରାଣୀ ତରିଯିବେ କେଉଁ ବାଟେ ।
ଅଗ୍ନିରେ ପୋଡ଼ିବେ ଜଳେ ବୁଡ଼ିଯିବେ ବୃକ୍ଷରୁ ପଡ଼ି ମରିବେ,
ନିର୍ଦ୍ଦୟ ହୋଇବେ ସର୍ପାଘାତେ ଯିବେ ଗଳେ ଛୁରି ଲଗାଇବେ ।
ରୋଗବ୍ୟାଧିମାନ ଅଙ୍ଗରେ ପୀଡ଼ିତ ପଡ଼ୁଥିବ ଦୁଃଖ ଚିନ୍ତା,
କେହୁ ମରିଥିବେ କେହୁ ଜୀଇଥିବେ ଅଙ୍ଗେ ନ ଥିବ ଶକତା ।
ବ୍ୟାଧିରେ ସକଳେ ହେଉଥିବେ ଘାରି ଥରୁଥିବ ନିଜ ଦେହ,
ଗୃହେ ପ୍ରାଣୀମାନେ ଯେତେ ଜଣା ଥିବେ ନେତ୍ରୁ ବୋହୁଥିବ ଲୁହ ।
ଅଷ୍ଟ କୋଟି ରୋଗ ଚୌଷଠି ବେଦନା ମାଗି ଆସିଲେଣି ବର,
ସତୈଶ ଅଙ୍କରୁ ଶତ୍ରୁ ସାଧିବାକୁ ହୋଇଲେଣି ଆଗୁସାର ।
ଅଷ୍ଟ କୋଟି ଯୋଗ୍ନୀ ନକୋଟି କାନ୍ତାନୀ ପ୍ରଭୁ ଶ୍ରୀଛାମୁରେ ଯାଇ,
ଶ୍ରୀଗୁରୁ ଛାମୁରୁ ସୁଧା ଶ୍ରୀମୁଖରୁ ଅଇଲେଣି ଆଜ୍ଞା ପାଇ ।
ଏରୂପେ ଜଗତ ନାଶିବେ ସମସ୍ତ ଚାହୁଁ ଚାହୁଁ ଯିବେ ସରି,
ରାତ୍ର ପାହିଲା ବେଳକୁ ଗ୍ରାମ ମଧ୍ୟେ ଦଶ ପାଞ୍ଚ ଥିବେ ମରି ।
ଗ୍ରାମ ଭାଙ୍ଗିଯିବ ଦେଶ ବସିଥିବ ରାଜ୍ୟ ଭାଙ୍ଗି ଯିବ ଜାଣ,
ଗ୍ରାମଯାକେ ଦୁଇ ଚାରି ଜଣ ଥିବେ ଉଚ୍ଚାରି ମହିମା ନାମ ।
ଦଶ ପାଞ୍ଚ ପ୍ରାଣୀ ପନ୍ଦର ପ୍ରାଣୀରେ କେ ବର୍ତ୍ତିବ କେହୁ ନାହିଁ,
ବଂଶବୁଡ଼ା ହୋଇ ସର୍ବେ ମରିଯିବେ ତାଟି ବାଟ ଦିଆ ହୋଇ ।
ତାହାକୁ ସେ ଶାଖା ତାକୁ ତା'ର ଶାଖା ଏକା ଘରେ ଥିବେ ରହି,
ପାକକ ରନ୍ଧାରେ ସମସ୍ତେ ଭୁଞ୍ଜିବେ ଏକାନ୍ତ ପରାଣ ହୋଇ ।
ତେତେବେଳେ ଜାତି ଗୋତ୍ର ରଖିଥିବ କେଉଁ ରାଣ୍ଡପୁଅ ଝିଅ,
କର୍ମର ଆଚାର ବାଛନ୍ଦ ବିଚାର ବୁଝିବା ଯେ ରହ ରହ ।
ଗାଈ ମହିଷ ଛାଗଳ ମେଣ୍ଢା ବିତ୍ତ ମାତା ଭୋଗ କରିଯିବେ,
ମରିଯିବେ ସର୍ବ ହୋଇ ରୋଗ ବାଘ ହଳେ ଗୋଟେ ନ ମିଳିବେ ।
ଏମନ୍ତେ କଳିରେ ଗୃହମାନଙ୍କରେ ଧନ ଦ୍ରବ୍ୟ ପୂରିଥିବ,
ପ୍ରଭୁଙ୍କ ବାହନ ଅଢ଼ୈବେଳ ଜାଣି ଗରୁଡ଼ ତା ବହିନେବ ।
ଫଳମୂଳ ଖାଇ ଝରପାଣି ପିଇ ନାମ ଭଜନେ ତତ୍ପର,
ଜଗତଯାକରୁ ତୁଚ୍ଛା ପଡ଼ିଯିବ ବାଉନକୋଟି ଭଣ୍ଡାର ।
ନିନ୍ଦାଗର୍ବମାନ ନ ରହିବ ଟାଣ କରୁଥିବେ ଏକ ଭାବ,
ପୁରୁଷଙ୍କୁ ସ୍ତିରୀ ଜ୍ଞାନ ବୁଝାଇଲେ ଲେଉଟିବ ସତ୍ୟଯୁଗ ।
ଭଜିବେ ସେ ଜନ ରହିବେ ସେମାନେ ସତ୍ୟାଦି ଗୃହକର୍ମକ,
ସ୍ତିରୀ ଚାରିପଦ୍ମ ପୁଂସ ଚାରିପଦ୍ମ ଠିକ ଆଠ ପଦ୍ମଲୋକ ।
କେମନ୍ତେ ବଞ୍ଚିବି ପିଣ୍ଡକୁ ସଞ୍ଚିବି ମନେ ପଡ଼ୁଛି କଷଣ,
ଭୀମ ଅରକ୍ଷିତ ବୁଝି ଆଦି-ଅନ୍ତ ଥରୁଛି ଦେହ ଜୀବନ ।