25 . ପଞ୍ଚବିଂଶ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ପଞ୍ଚବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ପଞ୍ଚବିଂଶ ବୋଲି

ପଞ୍ଚବିଂଶ ବୋଲି

 
କାହିଁ ମୁଁ ଲୁଚିବି କେମନ୍ତେ ବଞ୍ଚିବି ପଳାଇବି କେଉଁ ପଥେ,
ଜଗତ କଷଣ କେତେ ମୁଁ ସହିବି ବିପତ୍ତି ପଡ଼ିବ ଯେତେ ।
ଆଗତର କଥା ଯେତେକ ବ୍ୟବସ୍ଥା ଘୋଡ଼ାଇ ରଖିଛି ଜାଣି,
ଭକ୍ତଙ୍କ ଜୀବନ ନ ରହିବ ପିଣ୍ଡେ କାତର ହୋଇବେ ଶୁଣି ।
ଆସିବେ ଯବନ ମାଡ଼ି ଘୋରବନ କରିଯିବେ ସମଛତ୍ର,
ତରୁ ତୃଣମାନ ଛେଦି ପକାଇବେ ନ ରହିବ ଡ଼ାଳ ପତ୍ର ।
ଗନ୍ଧ ପରକଟ ହୋଇ ଛଟପଟ ମହୀ ଲୋଟୁଥିବେ ମଡ଼ା,
ଭୂମିରେ ତିରଣ ନ ରହିବ ଜାଣ ଚରିଯିବେ ହସ୍ତୀ ଘୋଡ଼ା ।
ରାଜାମାନେ ତହିଁ ଯୁଦ୍ଧେ ପିଠି ଦେଇ ଥୋକାଏ ଆରମ୍ଭି ଭେକ,
ପାଏକମାନଙ୍କୁ ଆପେ ଡ଼ାକୁଥିବେ ବୋଲୁଥିବେ ଛେକ ଛେକ ।
ରଣ ଯୁଦ୍ଧଘାତେ ସମ୍ଭାଳିବେ କେତେ କାହାରି ନ ଥିବ ସକ୍ଷ,
ଯେଝା ସୁଖେ ଯେଝା ପଳାଇ ପଶିବେ ରଣଭଣ ହୋଇ ଲୋକ ।
ଯୁଝିବି ଫିରଙ୍ଗି ନ ପାରିବ ଭାଙ୍ଗି ରହିବ ତା ନିଜ ସ୍ଥାନେ,
ସାକ୍ଷୀରୂପେ ଦେବତାଏ ଦେଖୁଥିବେ ରହି ଅଧା ସ୍ୱର୍ଗ ଶୂନ୍ୟେ ।
କମ୍ପିବ ମେଦିନୀ ରଣଗୋଳ ଧୁନି ସ୍ୱର୍ଗ ପାତାଳରୁ ଭେଦି,
ଅଠର ଦିବସ ଜମ୍ବୁଦ୍ୱୀପ ମଧ୍ୟେ ବହିବ ରକତ ନଦୀ ।
ଦେବ ସିଦ୍ଧ ସୁର ମନୁଷ୍ୟ ଅସୁର ରହି ନ ପାରିବେ କେହି,
ସୈନ୍ତ୍ରିଂଶ ଅଙ୍କରେ ଦିଗ ଦିଗାନ୍ତରେ ଉଧୁଳୁଥିବ ଏ ମହୀ ।
ନାଗାନ୍ତି ଯୋଗାନ୍ତି ବେଦାନ୍ତି ସିଦ୍ଧାନ୍ତି ଉଠିବେ ଆସନ ଛାଡ଼ି,
କ୍ଷତ୍ରୀପଣେ ରଣ ଯୁଦ୍ଧରେ ଚହଟି ଦେଉଥିବ ସିଂହରଡ଼ି ।
ରାଜଋଷି ଦେବଋଷି ରୁଦ୍ରଋଷି ଶୂଦ୍ରଋଷି ଆଦିକରି,
କରିବେ ଧନ୍ଦଳ ଉଠିବେ ସକଳ ସର୍ବେ ବୀରବେଶ ଧରି ।
ଜପୀ ତପୀ ତୀର୍ଥବ୍ରତ ବ୍ରହ୍ମଚାରୀ ସମସ୍ତେ ହୋଇବେ ମେଳି,
ଦକ୍ଷିଣୁ ଉତ୍ତର ପୂର୍ବ ପଶ୍ଚିମରୁ ରୁଣ୍ଡ ହେବେ ସର୍ବେ ମେଳି ।
ଆଦି ଅବଧୂତ ଅନନ୍ତ ଅବଧୂତ ରାମ ଅବଧୂତ ତିନି,
ଜଗନ୍ନାଥ ଅବଧୂତ ହନୁମନ୍ତ କୃଷ୍ଣ ଅବଧୂତ ଘେନି ।
ଶିବ ଅବଧୂତ ବିଷ୍ଣୁ ଅବଧୂତ ଧର୍ମ ଅବଧୂତ ତୁଲେ,
ଅଲେଖ ଅବଧୂତ ସଙ୍ଗତେ ମିଶିବେ ବଦଳିବେ ତେତେବେଳେ ।
ଅନନ୍ତ କୋଟି ସାଧୁ ଚଉଷଠି ସିଦ୍ଧ କଷା କଉପୀନ ମାରି,
ବୀରବେଶ ରୂପ ସକଳେ ଧରିବେ ହୋଇଥିବେ ଶସ୍ତ୍ରଧାରୀ ।
ସେ ପଞ୍ଚୁପାଣ୍ଡବେ ଯୁଦ୍ଧେ ଧାଡ଼ି ଦେବେ ଉତ୍ତରୁ ଆସିବେ ମାଡ଼ି,
ଗଦା ମୁଦୁଗର ବାଣ କାଣ୍ଡଘାତେ ସନ୍ୟ ପଡ଼ୁଥିବେ ଝଡ଼ି ।
କଳିଙ୍ଗା ଅସୁର ହୋଇ କୋପଭର ଯୁଦ୍ଧେ ହେବ ରଣରଙ୍କା,
ପାଦକ ବହଳେ ଏ ମହୀ ମଣ୍ଡଳେ ପଡ଼ିଯିବ ସୁନା ଟଙ୍କା ।
ଷଡ଼ ବ୍ରହ୍ମବାସୀ ପ୍ରଭୁଙ୍କର ପୁତ୍ର ହୋଇଥିବେ ଷଡ଼ରଥୀ,
ତାଙ୍କ ସମାନରେ ତିନି ବ୍ରହ୍ମାଣ୍ଡରେ ନ ଥିବେଟି ଆଉ କ୍ଷତ୍ରୀ ।
ନବ ଋଷି ନବ ବ୍ରାହ୍ମଣ ହୋଇବେ ଧରି ବେଦବାକ୍ୟ ପୋଥି,
ଯୁଦ୍ଧକୁ ଅନାଇ ଶିରେ କର ଦେଇ ଉଚ୍ଚାରି କରିବେ ସ୍ତୁତି ।
ବଡ଼ାଇ ଆସ୍ଫତେ ଅନ୍ୟାୟ ଅନର୍ଥେ ଭାଙ୍ଗିବ ଏ ଯୁଗ କଳି,
କହେ ଭୀମ ଭୋଇ ପାଞ୍ଚଶତ ପଦେ ନିତ୍ୟ ମରୁଅଛି ଭାଳି ।