28 . ଅଷ୍ଟବିଂଶ ବୋଲି

ଉଇକିପାଠାଗାର‌ରୁ
ଅଷ୍ଟବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଅଷ୍ଟବିଂଶ ବୋଲି

ଅଷ୍ଟବିଂଶ ବୋଲି

 
ଶୂନ୍ୟ ପବନ ପୁରୁଷ ବୋଲାଇଲା ଜଳଧାରା ହେଲା ସ୍ତିରୀ,
ଏଥିରୁ ଅଧିକ ଅଛି ଯେବେ ସନ୍ଥେ କହି ଦିଅ ବାଛି କରି ।
ନାଗ ଅଂଶ କଳା ଯାକୁ ଲାଗିଥାଇ ଶୁଣ କହିଦେବା ଠିକା,
ସର୍ପକୁ ବନ୍ଦୀରେ ପକାଇ ଫାନ୍ଦରେ କରନ୍ତି ଗୁଣୀ ଜୀବିକା ।
ପୃଥ୍ଵୀ ଅଂଶ କଳା ଯା'ର ଅଙ୍ଗେ ଥାଇ ସହିବା ପଣକୁ କ୍ଷମ,
ନିନ୍ଦା ସ୍ତୁତିମାନ ନ ଘେନଇ ମନ ସବୁ ମଣୁଥାଇ ସମ ।
ଦିଗ ଅଂଶ କଳା ଯେଉଁ ପ୍ରାଣୀ ବହେ ନିତ୍ୟେ କରେ ପରବାସ,
ଚକ୍ର ପବନ ପରାଏ କରେ ମନ ଭ୍ରମୁଥାଇ ଦଶଦିଶ ।
ଧର୍ମ ଅଂଶ କଳା ଯାହା ଅଙ୍ଗେ ଥାଇ ସଭାମଧ୍ୟେ ବଳବନ୍ତ,
ଅନ୍ୟାୟକୁ ଫିଙ୍ଗି ନ୍ୟାୟ କଥା ସ୍ଥାପି ସବୁ କହୁଥାଇ ସତ୍ୟ ।
ପାପ ଅଂଶ କଳା ଯେଉଁ ପ୍ରାଣୀ ବହେ କହି ନୁହେ କର୍ମମାନ,
ଅଜ୍ଞାନ ଆଚାରେ ଅନୀତି ବିଚାରେ ମୂର୍ଖପଣେ ନିଏ ଦିନ ।
କାଳ ଯମ ଅଂଶ କଳା ଯେ ବହନ୍ତି ବହୁତ ରାଗ କୋପିତ,
ଭାରତଭୂମିକି ଆଗଭର ହୋଇ କ୍ଷତ୍ରୀପଣେ ସାମରଥ ।
କାମ ଅଂଶ କଳା ଯାର ଅଙ୍ଗେ ଥାଇ ଥୟ ନୁହେ ପଞ୍ଚୁ ମନ,
ପଚିଶ ପ୍ରକୃତି କରି ନାନା ମୂର୍ତ୍ତି ମତ୍ତ ପ୍ରେମେ ଛନ୍ନ ଛନ୍ନ ।
ରମ୍ଭା ମେନକା ଅଂଶ କଳା ଯା ଅଙ୍ଗେ ଜାଣେ ଛବି ନଟକୂଟ,
ଭାଙ୍ଗିମା ଚାତୁରୀ ବେନି ନେତ୍ର ଠାରି କରେ ନବରଙ୍ଗେ ନାଟ ।
ଦେବତା ଅଂଶରେ ଯେହୁ ଜନ୍ମିଥାଇ ଗାୟନରେ ଗୁଣବାଦ,
ମୃଦଙ୍ଗ କର୍ତ୍ତାଳ ଖଞ୍ଜରି ମର୍ଦ୍ଦଳ ବଜାନ୍ତି ଅନେକ ବାଦ୍ୟ ।
ରାଜ ଅଂଶ କଳା ଯା'କୁ ଲାଗିଥାଇ ବହୁତ ଲୋକ ତା ସଙ୍ଗ,
ନ କରଇ ମାନ୍ୟ ଉଚ୍ଚ ପଦେ ମନ ଲୋଡ଼ୁଥାଇ ବଡ଼ ଢଙ୍ଗ ।
ବିଷ୍ଣୁ ଅଂଶ କଳା ଯା'ର ଅଙ୍ଗେ ଜାଣ ସ୍ୱକାମେ ନିଷ୍କାମେ ଦୁଜା,
ମଉନେ କପଟ ବେଶ ଧରିଥା'ନ୍ତି କରନ୍ତି ପ୍ରତିମା ପୂଜା ।
ବ୍ରହ୍ମ ଅଂଶ କଳା ଯାହା ଅଙ୍ଗେ ଥାଇ କରୁଥାଇ କର୍ମମାନ,
ବୋଲାଇ ଆଚାରୀ ହୋଇ ବ୍ରହ୍ମଚାରୀ କରେ ସନ୍ଧ୍ୟା ତରପଣ ।
ଦେବ ଅଂଶ କଳା ଯା'କୁ ଲାଗିଥାଇ ଚାରି ବେଦେ ଉଦ୍ଦୀପନ,
ସ୍ନାହାନ ତର୍ପଣ ତ୍ରିସନ୍ଧ୍ୟା ବିଧାନ ଜପ ମନ୍ତ୍ରେ ତା'ର ମନ ।
ଶିବ ଅଂଶ କଳା ଯା'ର ଅଙ୍ଗେ ଥିବ ସ୍ନାନ ଶଉଚରେ ତେଜା,
ସମସ୍ତ ଯୋଗାଡ଼ ଧୂପ ଦୀପ ଘେନି କରୁଥାଇ ଲିଙ୍ଗପୂଜା ।
ଇନ୍ଦ୍ର ଅଂଶ କଳା ଯେହୁ ପ୍ରାଣୀ ବହେ ଦାତାପଣେ ସମଯୋଗ,
ସମାନରେ ଦେଖି ଚିଠିପତ୍ର ଲେଖି ପାଳୁଥାଇ ଆତ୍ମା ଜୀବ ।
କୁବେର ଅଂଶରେ ଯେହୁ ଜନ୍ମିଥାଇ ବହୁ ଧନ ଅଧୀକାର,
ଏଠାକୁ ସେଠାକୁ କରୁଥାଇ ଧନ ଖଟି ବାଣିଜ୍ୟ ବେପାର ।
ଚନ୍ଦ୍ରଅଂଶ କଳା ଯେ ଜନ ବହନ୍ତି ଧୀରପଣେ ସମଶୀଳ,
ବଚନ ଭାସିଲେ ଅମୃତ ସମାନ ଅଗ୍ରୁଚନ୍ଦନୁ ଶୀତଳ ।
ସୂର୍ଯ୍ୟ ଅଂଶ କଳା ଯେଉଁ ପ୍ରାଣୀ ବହେ ସପତ ଦ୍ୱୀପକୁ ଦୃଷ୍ଟି,
ଘେନି କର୍ମଯୋଗ କରେ ସାଧୁ ସଙ୍ଗ ସକଳ ସ୍ଥାନରେ ଗୋଷ୍ଠୀ ।
ନାମ ଅଂଶ କଳା ଯାକୁ ଲାଗିଥାଇ ପାଦେ ଖଟନ୍ତି ସମସ୍ତ,
କହେ ଭୀମ ଭୋଇ ନାମ ବ୍ରହ୍ମପଦେ ଗୁରୁପଣେ ସାମରଥ ।