32 . ଦ୍ୱାତ୍ରିଂଶ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଦ୍ୱାତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଦ୍ୱାତ୍ରିଂଶ ବୋଲି

ଦ୍ୱାତ୍ରିଂଶ ବୋଲି

 
ଗୁରୁ ଦେବ ସ୍ୱାମୀ ମହିମାସାଗର ପିଣ୍ଡ ପ୍ରାଣ ରକ୍ଷା କର,
ଶରଣ ପାଦପଦ୍ମରେ ଶତେବାର ଦୟାରେ ଉଦ୍ଧରି ଧର ।
ଅବଧୂତ ସ୍ୱାମୀ ଅଲେଖ ଅବର୍ଣ୍ଣ ଅରୂପ ଅନାମ ଦୀକ୍ଷା,
ହରତା କରତା ଜ୍ଞାନ ଗୁରୁ ଦାତା ଗତି ପତି ସ୍ୱାମୀ ଏକା ।
ପ୍ରାଣର ବଲ୍ଲଭ ଜଗତ ବାନ୍ଧବ ଜୀବ ପ୍ରାୟେ ଅଙ୍ଗେ ବସି,
ଏଡ଼େ ବଡ଼ ପ୍ରଭୁ ବାନା ଥାଉଁ ଥାଉଁ ବିଅର୍ଥେ ଯାଉଛି ଭାସି ।
କୋଟିଏ ଶରଣ କୋଟିଏ ବିନତି କୋଟି ଦଣ୍ଡ ପରଣାମ,
କୋଟି ପ୍ରଳମ୍ବିତ କୋଟି ଯୋଡ଼ା ହସ୍ତ ଅନାଦି ଅରୂପ ବ୍ରହ୍ମ ।
କୋଟି କୋଟି ସ୍ତୁତି କୋଟି ପ୍ରଣପତ୍ୟ ଗଳାରେ ବସନ ବାନ୍ଧି,
ଦନ୍ତରେ ତିରଣ ବିନୟ ଭାବେଣ ଜଣାଣ କରୁଛି କାନ୍ଦି ।
ଅଯୋନି ଅଜାତ ଅବ୍ୟଏ ଅଚ୍ୟୁତ ଅଣାକାର ଏକ ବ୍ରହ୍ମ,
ମହିମାସାଗର ବାନା ପ୍ରକାଶିଛ ଆଦି ଅବଧୂତ ଧର୍ମ ।
ମେଳଛ ପତିତ ପାମର ଅଜ୍ଞାନ କୀଟପ ଏ କୁତା ଜୀବ,
ଅନାସ୍ଥ ପ୍ରାଣୀକି ଅନ୍ତର୍ଗତେ ଜାଣି ସୁଦୟାରେ ଚାହିଁ ଥିବ ।
ନିରେଖ ଜୀବକୁ ନିରାଶ ନକରି ନିଷ୍କାମରେ ଫଳ ଦେବ,
ନିଶାଖା ପ୍ରାଣୀକି ଶୂନ୍ୟ ନାମ ବ୍ରହ୍ମ କୃପାଜଳେ ତାରି ନେବ ।
କୀଟ ଜୀବ ଛାର ସମ ଦ୍ରୋହକାର ସଦା ଅପରାଧୀ ହୋଇ,
ପାପ ପୁଣ୍ୟ କଥା କିବା ଭଲ ମନ୍ଦ କିଛି ନ ଜାଣଇ ମୁହିଁ ।
ଏକାକ୍ଷର ନାମ ଏକାକ୍ଷର ବ୍ରହ୍ମ ଏକାକ୍ଷର ଧର୍ମ ସେବା,
ଏକାନ୍ତ ଭଜନ ନିଷ୍କାମ ଭଗତି ଦୟା କଲେ ସିନା ହେବା ।
ଏକାକ୍ଷର କର୍ମ ଏକାକ୍ଷର ପାଦ ଏକାନ୍ତ ସାଧନା ସିଦ୍ଧି,
ଅଶ୍ରୁତି ଅମୃତି ଅଣାକାର ଧର୍ମ ଏକାଙ୍ଗ ଭକ୍ତିର ବିଧି ।
ଆଦି ଅନାଦି ଅରୂପ ଭଗବାନ ଅବ୍ୟକତ ଭାବଗ୍ରାହୀ,
ଅନନ୍ତ ପୁରୁଷ ଅତୁଳ ମହିମା ଅଣଶବଦର ଦେହୀ ,
ଅରୂପ ଗୋବିନ୍ଦ ଚିର ଜଣାନନ୍ଧ ଅନାଦିତ ଆଦିକନ୍ଦ,
ଅଗ୍ନି ଅଙ୍ଗୀକାର ସର୍ବ ଅବିକାର ଅଲେଖ ପରମାନନ୍ଦ ।
ତୁମ୍ଭରି ପିଣ୍ଡ ପ୍ରାଣ ତୁମ୍ଭେ ସମ୍ଭାଳ ତୁମ୍ଭରି ବ୍ରହ୍ମାଣ୍ଡ ରଖ,
ଦେବକୂଟ ବିଷ୍ଣୁ କୂଟ କାଳକୂଟ ଦୟାରେ କରି ବିବେକ ।
ତୁମ୍ଭ ମାୟାକୂଟ ଯମଦଣ୍ଡକୂଟ ଭୂପତିକୂଟକୁ ଛେଦି,
ଅସୁର ମେଳଛ କୂଟରୁ ବଞ୍ଚାଇ ସମ୍ଭାଳି ରଖ ଅନାଦି ।
ତୁମ୍ଭରେ ଶରଣ ସମ୍ଭାଳି ଆପଣ ସେବା ଭକ୍ତି ଆପେ ଘେନ,
ବଡ଼ ପଦେ ମୋର ଭରସା ନ ଥାଇ ଘେନିବାକୁ ଦରଶନ ।
ତୁମ୍ଭ ସେବା ଭକ୍ତି ତୁମ୍ଭ ଭକ୍ତକୁଳ ତୁମ୍ଭ ଯଶ କୀର୍ତ୍ତିମାନ,
ତୁମ୍ଭ ସାରସ୍ୱତ ତୁମ୍ଭ କବିକୃତ ଜଗତ ମଧ୍ୟେ ବଖାଣ ।
ତୁମ୍ଭରି ନିନ୍ଦା ସ୍ତୁତି ପାପ ପୁଣ୍ୟାଦି ହେଉଅଛି ଲାଭ ହାନି,
କର୍ମ ଅକର୍ମରେ ଆସ୍ତି ନାସ୍ତିଠାରେ ଶ୍ରୀଗୁରୁ ଦେବ କାରେଣି ।
ମେଳଛ ଅସୁର ପାପିଷ୍ଠ ହସ୍ତରେ ନ ଦିଅ ସ୍ୱାମୀ ପକାଇ,
ଅକୁଳ ସାଗରେ ଚିନ୍ତା ଦୁଃଖ ଘୋରେ ମାଡ଼ିବା ଉଚିତ ନାହିଁ ।
ସତ୍ୟ ବାନା ସତ୍ୟ ନାମ ବ୍ରହ୍ମ ବୋଲି ଅଛି ମୁଁ ଭରସା କରି,
କନ୍ଦି କାକୁସ୍ଥିରେ କହେ ଭୀମ ଭୋଇ ଗୁରୁ ପାଦପଦ୍ମ ଧରି ।