33 . ତ୍ରୟତ୍ରିଂଶ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ତ୍ରୟତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ତ୍ରୟତ୍ରିଂଶ ବୋଲି

ତ୍ରୟତ୍ରିଂଶ ବୋଲି

 
ସତ୍ୟ ନାମ ବ୍ରହ୍ମ ଧରତୀ ଆକାଶ ପୃଥୀ ଆପ ତେଜ ବାଇ ।
ଚାରି ଧର୍ମ ଥିଲେ ବିଚାରି ବୁଝିବେ ନିଶ୍ଚୟ ପାଇବି ମୁହିଁ ।
ନବ ଲକ୍ଷ ତାରା ସୁରାଟ ବିରାଟ ମହାରାଟ ଠୁଳ ଶୂନ୍ୟ,
ବିନୟକୁ ଘେନି ବୁଝାମଣା କର ମନୋବାଞ୍ଛା ହେଉ ପୂର୍ଣ୍ଣ ।
ଦଶଦିଗପାଳ ସ୍ୱର୍ଗ ସୁରପତି ତେତିଶକୋଟି ଦେବଗଣେ,
ବ୍ରହ୍ମା ଦେବପତି ଚନ୍ଦ୍ର ସୂର୍ଯ୍ୟ ଆଦି ବୁଝିଦିଅ ସାବଧାନେ ।
ଚାରି ଦିଗ ଚାରିଯୁଗ ଚାରି ମେଘ ବିଜୁଳି ଝଟକ ଆଦି,
ଏ ମୋର ଭାରତୀ ବିଚାରି ଉଚିତ ବେଗେ କର ସର୍ବ ସିଦ୍ଧି ।
ଜଳ ଅନଳ ପବନ ଆଦିକରି ବରୁଣ କୁବେର ଧାତା,
ଚାରି ଯତି ଚାରି ସତୀ ରୁଣ୍ଡ ହୋଇ ବୁଝିଦିଅ ମୋର କଥା ।
ସପତ ସାଗର ଅଷ୍ଟକୁଳ ନାଗ ଆଦି ନବଖଣ୍ଡ ମହୀ,
ଏ ମୋର ବଚନ କଲେ ଅନୁମାନ କେଭେଁ ମୁଁ ଛାଡ଼ିବି ନାହିଁ ।
ଉଡ଼ା ବୁଡ଼ା ଚଳ ଅଚଳ ଏ ଯେତେ ଅଛନ୍ତି ଯେ ଯେଉଁ ସ୍ଥାନେ,
ଭଜିବା ନ ଭଜିବାର ଜାଣୁଅଛ ଦୃଷ୍ଟି ଦେଇ ଅନୁକ୍ଷଣ ।
ଛପ୍ନାକୋଟି ଜୀବ ସୁଜ୍ଞ ସାଧୁ ସନ୍ଥ ନର ନାରାୟଣ ହରି,
ବୁଝାମଣା କର ସକଳ ବୃତ୍ତାନ୍ତ ପଡ଼ୁଅଛି ପାଦ ଧରି ।
ଅନନ୍ତ କୋଟି ସାଧୁ ଚୌଷଠୀ ସିଦ୍ଧ ଅନାହତ ବ୍ରହ୍ମଧୁନି,
ଶକତରେ ବୁଝାମଣା କରିଦିଅ କମ୍ପୁଥାଉ ଏ ମେଦିନୀ ।
ବ୍ରହ୍ମା ବିଷ୍ଣୁ ଶିବ ଆଦି ଚାରି ଯୁଗ ନବଗ୍ରହ ସତାଇଶ,
ଏ ମୋର ଗୁହାରି ସଭାରେ ବିଚାରି ବୁଝାମଣା କରି ବସ ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁରକୁ କୋଟିଏ ଶରଣ ଗଲି,
ଚିନ୍ତା ଅର୍ଥ ଆରା ଭାରା ଯେତେ କଥା ସଭାରେ ପକାଇ ଦେଲି ।
ବୁଝିଦେଲେ ବୁଝ ଏ ମୋର ନିଆୟ ନୋହିଲେ ଛାଡ଼ିବି ଦେହ,
ତିନିପୁର ସଭାମଣ୍ଡଳରେ ଯେତେ କବି ହତ୍ୟା ଦୋଷ ବହ ।
ଘର ଦ୍ୱାର ଇଷ୍ଟ ବନ୍ଧୁ ବର୍ଗ ଛାଡ଼ି ବ୍ରହ୍ମାଣ୍ଡେ ବୁଲୁଛି ଆସି,
ମୋହର ପିତାର ରଚିଲା ଜଗତେ ଖେଳ କରୁଅଛି ବସି ।
ପିତା ମାତା ସାଙ୍ଗ ସାଥି ବାଡ଼ି ବୃତ୍ତି ଛାଡ଼ି ମୁଁ କଲି ଭରସା,
ପ୍ରଭୁ ପ୍ରଭୁ ବୋଲି ନିରନ୍ତରେ ଭାଳି ଏକାକ୍ଷର ପାଦେ ଆଶା ।
କର୍ମ ଧର୍ମ କ୍ରିୟା ଆଚାର ବେଭାର ବେଦମତ ଛାଡ଼ି ଦେଇ,
ବାତୁଳ ପରାଏ ଭ୍ରମୁଛି ସଂସାରେ ଗୁରୁପାଦେ ଚିତ୍ତ ଦେଇ ।
ଜପ ତପ ସନ୍ଧ୍ୟା ହୋମ ଯଜ୍ଞ ତେଜି ଧରି ନିରିବେଦ ପଥ,
ଆତ୍ମା ଭଗତିରେ ଏ ମୃତ୍ୟୁ ସଂସାରେ ମଣିଲି ମୁଁ ଏକମତ ।
ଦାରୁ ପ୍ରତିମା ସେବା ପୂଜା ଛାଡ଼ିଲି ଭୋଗରାଗ ଯେତେ କଥା,
ପ୍ରଭୁଙ୍କ ନାମରେ ବୁଲନ୍ତି ସଂସାରେ ଲଗାଉ ଅଛନ୍ତି ଲେନ୍ତା ।
ଜଗତ ଯାକରେ ଗୁରୁ ପିତା ମାତା ସକଳ ସମାନ ଚାହିଁ,
ଦାରା ସୁତ ବିତ୍ତ ବନ୍ଧୁବର୍ଗ ବୋଲି ମନରେ ଘେନୁଛି ମୁହିଁ ।
ତେଣୁକରି ସିନା ମନର ଭିତରେ ସମାନ ଭଗତି କରି,
ହୃଦରେ ବିକାର ଚିତ୍ତେ ଅହଂକାର ସର୍ବ ସଂଶୟ ନିବାରି ।
ଏଡ଼େ ପ୍ରଭୁ ଥାଇ ନ ଗଲା କଷଣ ନିଜ ରୂପେ ଉଦେ ହୋଇ,
ଚାହିଁଛି ଶୂନ୍ୟକୁ ନିଷ୍କାମ ପୁଣ୍ୟକୁ ଭୀମ ଅରକ୍ଷିତ ଭୋଇ ।