35 . ପଞ୍ଚତ୍ରିଂଶ ବୋଲି

ଉଇକିପାଠାଗାର‌ରୁ
ପଞ୍ଚତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ପଞ୍ଚତ୍ରିଂଶ ବୋଲି

ପଞ୍ଚତ୍ରିଂଶ ବୋଲି

 
ଅରୂପ ଅନାଦି ସର୍ବଗୁଣେ ସିଦ୍ଧି ନାମ ଅଖଣ୍ଡିତ ପୂର୍ଣ୍ଣା,
ଭଗତି ମୁକତି ସେଠାରୁ ଉଦଏ ସବୁ କାଳେ ନୁହେ ଊଣା ।
ସତ୍ୟ ଧର୍ମ ବୋଲି ଅନୁସରି ଅଛି ସତ୍ୟେ ନାହିଁ ମୋର ବାଞ୍ଛା,
ବୁଝିବ କି ନାହିଁ ବ୍ରହ୍ମାଣ୍ଡ କରତା ଦୟା ଯେ ତୁମ୍ଭର ଇଚ୍ଛା ।
ଏକ ପାଦ ବିନୁ ଅନ୍ୟ ନ ଜାଣଇ ସର୍ବଘଟେ ପରିପୂର୍ଣ୍ଣ,
ଅବିବେକପଣେ ଆନକୁ ନ ଭଜି ଚିହ୍ନି ଧର୍ମ ନିରିଗୁଣ ।
ସର୍ବ ଅବତାର ବ୍ରହ୍ମାଣ୍ଡ ଠାକୁର ସକଳ ଜୀବ କରତା,
ପିଣ୍ଡ ପ୍ରାଣ ସଞ୍ଚି ରଖିଛ ବଞ୍ଚାଇ ପ୍ରଭୁ ସିନା ପିତା ମାତା ।
ପ୍ରଭୁ ବର୍ଗ ବନ୍ଧୁ ପ୍ରଭୁ ଇଷ୍ଟ ଦାତା ପ୍ରଭୁ ସିନା ସାହା ବାହା,
ସ୍ୱାମୀ ବିନୁ ମୋର ସଙ୍କଟୁ ଦୁର୍ଗତି ଆନ କେ ଫେଡ଼ିବ ଏହା ।
ଶ୍ରୀଗୁରୁ ମୋହର ସକଳ କାରେଣି ବୁଝିବେ ସେ ମୋର ରୀତି,
ଅନ୍ତର୍ଯ୍ୟାମୀ ପ୍ରଭୁ ଫେଡ଼ାଇ ପାରିବେ ମାନ ସନ୍ତାପ ବିପତ୍ତି ।
ଯେତେ ପରକାରେ ଏ ମାୟା ସଂସାରେ ବୁଦ୍ଧି ବିଚାରଣା କଲି,
ସକଳ ଉପାୟ ସବୁ ଏ ଅନ୍ୟାୟ କିଛି ଫଳ ନ ଦେଖିଲି ।
ସପତ ବ୍ରହ୍ମାଣ୍ଡ ଏକୋଇଶପୁରେ ଲୋଡ଼ି ଆସିଲି ମୁଁ ଯାହା,
ସତ୍ୟଧର୍ମ ବିନୁ ଏ ମହୀମଣ୍ଡଳେ ବଡ଼ ହୋଇ ନୁହେ କାହା ।
ତେଣୁକରି ସାର ବ୍ରହ୍ମ ବୋଲି ଜାଣି ଧରିଅଛି ନିରିବନ୍ଧେ,
ଦୁଃଖ ସୁଖ ସର୍ବ ଭାରା ପକାଇଛି ଶ୍ରୀଗୁରୁଙ୍କ ପାଦବିନ୍ଦେ ।
ପ୍ରଭୁ ସେ ମାରିବେ ପ୍ରଭୁ ସେ ତାରିବେ ଯାହା ଇଚ୍ଛା ପଛେ କର,
ଦିବସ ରଜନୀ ସନ୍ତାପ ମନରେ ନେତ୍ରୁ ବହୁଅଛି ନୀର ।
ପଞ୍ଚଭୂତ ଆତ୍ମା ଦଗଧି ହେଉଛି ଜୀବନ କାନ୍ଦୁଛି ନିତି,
ଅନ୍ୟାୟ ସଂସାର ଅନୀତି ଆଚାର ଦେଖି କଳିଯୁଗ ରୀତି ।
ଅନୁମାନ କରୁଅଛି ଅନ୍ତର୍ଗତେ ସନ୍ଥ ହୋଇ ନାହିଁ କେହି,
କଳିଯୁଗେ ଆଣି ମେଳଛଙ୍କ ସଙ୍ଗେ ଜାତ କଲେ କାହିଁପାଇଁ ।
ସ୍ୱଦେହରେ ଉଦେ ହୋଇଅଛ ବୋଲି ଅଛି ମହତ୍ତ୍ୱ ବେଭାର,
ଶୀତ ପ୍ରାୟେ ଦେହ ଥରୁଅଛି ମୋର ଦେଖି ଅନୀତି ଆଚାର ।
ଡରି ଡରି କରି ଏ ମର୍ତ୍ତ୍ୟମଣ୍ଡଳେ କେତେକାଳ ନେବି ଦିନ,
ଘାଣ୍ଟି ହେଉଅଛି ହୃଦରେ ମୋହର ପଚିଶ ପ୍ରକୃତି ମନ ।
ଯେଣିକି ଚାହିଁଲେ ମହାଶୂନ୍ୟ ଶୂନ୍ୟ ନ ଦିଶଇ ଆଖାଶାଖା,
କେଉଁ ମତ୍ତଗର୍ବେ ବଚନ କହିବି ହୃଦରେ ପଶୁଛି ଦକା ।
ଯେ ଜନ ଭଜିଲା ଯା ମନ ମଜ୍ଜିଲା କେ କରିବ ତାକୁ କିସ,
କବିତ୍ୱ ପଣେ ମୁଁ ଯାହା ବୁଝାଇଛି ଏତିକି ମୋହର ଦୋଷ ।
ବୋଲିବେ ଜଗତେ ବ୍ରହ୍ମଜ୍ଞାନୀ ହୋଇ କରୁଛନ୍ତି ଅପକୃତ,
ପାଖେ ନ ବସିଲେ ମନ ନ ରସିଲେ କହି ନୋହେ ସରି ଅର୍ଥ ।
ଘଟ ଭେଦ କଥା ଯେବଣ ବିଧାନ ଏକ ଅଙ୍ଗ ହେଲେ ଯାଇ,
କ୍ଷୀର ନୀରଠାରୁ ଅଧିକ ପୀରତି ମନ ମିଶାଇଲେ ନେଇ ।
କେହୁ ଅଟେ ଗୁରୁ କେହୁ ଅଟେ ଶିଷ୍ୟ ତହିଁ ନ ଥାଏ ବାରଣ,
ଭକ୍ତ ଭଗବାନ ଏକ ଅଙ୍ଗ ଜାଣ ଏକାନ୍ତ ଠାବେ ଭୋଜନ ।
ଏ ବେନି ପ୍ରକାରେ ଯେ କରେ ବିକାର ସେ ପ୍ରାଣୀ ହୁଅନ୍ତି ନାଶ,
ଭଣେ ଭୀମ ଭୋଇ ସାତଶ ପଦରେ ଅଭୟ ପଞ୍ଜରେ ବାସ ।