37 . ସପ୍ତତ୍ରିଂଶ ବୋଲି

ଉଇକିପାଠାଗାର‌ରୁ
ସପ୍ତତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ସପ୍ତତ୍ରିଂଶ ବୋଲି

ସପ୍ତତ୍ରିଂଶ ବୋଲି

 
ଶରୀରେ ଯେସନ ଜୀବ ପରମଟି ନୁହନ୍ତି ସେ ଭିନ୍ନାଭିନ୍ନ,
ସେହି ଅନୁଭବେ ବୁଝାମଣା କର ଗୁରୁ ଶିଷ୍ୟଙ୍କର ମନ ।
କର୍ଣ୍ଣକୁ ଆବୋରି ଶବଦ ବ୍ରହ୍ମଟି ରହିଅଛି ଯେଉଁ ରୂପେ,
ପିଣ୍ଡପ୍ରାଣ ଦେଇ ଆଜ୍ଞାକାରୀ ହୋଇ ଶିଷ୍ୟ ଖଟେ ଗୁରୁ ପାଖେ ।
ନ ବୁଝି ବିଚାରି ଅଜ୍ଞାନ ଆଚରି ସୁଜନେ ହେଉଛ ଭୋଳା,
ସେବକ ଅଙ୍ଗଟି ଶ୍ରୀଗୁରୁ ଭୂଷଣ ଯେସନେ ଧବଳ ଡୋଳା ।
କଳା ଧଳା ଡ଼ୋଳା ମଧ୍ୟରେ ଯେସନେ ପୁରୁଷେକ ଅଛି ରହି,
ଶ୍ରୀଗୁରୁ କରୁଣା ଜଳ ଓଜାଡ଼ୁଛି ଶିଷ୍ୟ ସେବା ଭକ୍ତି ବୋହି ।
କେତେ କେତେ ଦୂର ଅନ୍ତରି ରହିଲା ବୁଝ ସାବଧାନ କରି,
ଭଗତି ଭାବରେ ସତ୍ୟାଦି ସ୍ନେହରେ ଗୁରୁ ଶିଷ୍ୟ ସେହିପରି ।
ଯେସନେ ଦଶ ଅଙ୍ଗୁଳି ଲାଗିଅଛି ଫେଡ଼ିଲେ ଫେଡ଼ା ନ ଯାଇ,
ସେହି ରୂପେ ସିନା ଗୁରୁ ଶିଷ୍ୟଙ୍କର ଭଗତି ଭାବନା ଲିହି ।
ଶ୍ରୀଗୁରୁ ଲୋଡ଼ଇ ଦୟା କରିବାକୁ ସେବକ ଲୋଡ଼ଇ ଦୟା,
ବେନି ଜନ ତହିଁ ଏକ ପ୍ରାଣ ହୋଇ ନ ଥାଇ ଅନ୍ତରେ ମାୟା ।
ତୃଷାର୍ତ୍ତ ଯେସନ ଜଳ ନ ମିଳିଲେ କାତର ହୁଅଇ ଅଙ୍ଗ,
ପାଇଲେ ତୃପତି ଲଭି ସୁଖ ଶାନ୍ତି ତେସନେ ନୁହଇ ଭଙ୍ଗ ।
ବାମ୍ଫିରେ ଯେସନେ ଜଳ ପୂରିଥାଇ ଗାର କାଟିଲେ କି ଛିଡ଼ି,
ଯୁଗଯୁଗାନ୍ତରେ ତିନି ତ୍ରୈଲୋକ୍ୟରେ ଗୁରୁ ଶିଷ୍ୟ ସେହିପରି ।
ସେବକ ବୋଲଟି ଯାହାକୁ ବୋଲନ୍ତି ଅଙ୍ଗର ଭୂଷଣ ମଳି,
ସେହି ଶ୍ରୀଗୁରୁଙ୍କ ଭାରା ସମ୍ଭାଳଇ ସହି ନିନ୍ଦା ଗର୍ବ ଗାଳି ।
ଶ୍ରୀଗୁରୁଙ୍କୁ ଶିଷ୍ୟ ଚିହ୍ନି ଯେବେ ଥାଇ ସମ୍ଭାଳି କରଇ ସେବା,
ତା'ର ହୃଦପଦ୍ମେ ଯେତେ ଦୟା ଧର୍ମ କିସ ପଟାନ୍ତର ଦେବା ।
ସାମନ୍ତ ପଣରେ ବସିଥିବ ଯେବେ ସୁଜ୍ଞାନ ନ ଥିଲେ ଜଣା,
ଶ୍ରୀଗୁରୁ ହୋଇ ଶିଷ୍ୟକୁ ନ ତାରିଲେ ମୁଖ ପୋଡ଼ୁଥାଇ କିନା ।
ପ୍ରତିଦିନ ଖଟି ଦୁଃଖ ସୁଖ ମେଣ୍ଟି ଯେ କରେ ଗୁରୁର ସେବା,
ସୁଦୟା ନ କରି ଚିତ୍ତେ ନ ବିଚାରି ଯେ ଗୁରୁ କିଛି ନ ଦେବା ।
ଧିକ ହେଇ କିନା ଜ୍ଞାନ ଧର୍ମ ତା'ର କିଛି ନ ମିଳିଲେ ଫଳ,
ସେବା କରୁଥିଲେ କି କାର୍ଯ୍ୟ ହୋଇବ ନ ମିଳେ ଯହିଁରେ ମୂଲ ।
ଭୋଗ ଯୋଗ ଧନ ସମ୍ପଦ ପ୍ରାପତ ମୁକତି ପଦ ଚିହ୍ନାଇ,
ନିତି ପ୍ରତି ଯେଉଁ ସେବକ ଖଟଇ ଅନ୍ତର କରିବ ନାହିଁ ।
ଜୀବନରୁ ତାକୁ ଅଧିକ କରାଇ କରିବ ଗଳାର ମଣି,
ଦେହରୁ ଯେବେ ଖଣ୍ଡେ କାଟି ଖାଇବ ନ ଥିବଟି ଛଳ ମାନି ।
ସେ ଭକ୍ତମାନଙ୍କୁ ସଙ୍ଗୁ ନ ଛାଡ଼ିବ ପାଶରେ ବସାଇଥିବ,
ଗାଇ ଗୁଣମାନ ହୃଦର ଚନ୍ଦନ କରିଥିବ ଆତ୍ମା ଜୀବ ।
ଏମନ୍ତେ ଯେ ଗୁରୁ ଶିଷ୍ୟଙ୍କ ଚରିତ ଆନକେ ସମ୍ଭବ ନୋହି,
ଗୁରୁ ଶିଷ୍ୟ ଦୁହେଁ ଏକତ୍ୱ ଅଟନ୍ତି ଅନ୍ତର ମଣିବ ନାହିଁ ।
ଶ୍ରୀଗୁରୁଙ୍କ ଅଙ୍ଗ ବ୍ୟଥା କରୁଥିଲେ ଭକ୍ତକୁ ଲାଗଇ ଚିନ୍ତା,
ଭଗତ ଦୁଃଖ ଫନ୍ଦାରେ ପଶିଥିଲେ ଶ୍ରୀଗୁରୁଙ୍କୁ ଲାଗେ ବ୍ୟଥା ।
ଗୁରୁ ଶିଷ୍ୟ କଥା ଯାହା ମୁଁ କହିଲି ଶୁଣ ଆହେ ସାଧୁଜନ,
ଗୁରୁ ପାଦତଳେ ଜୀବନ ଆକୁଳେ ପ୍ରଣମିତ ଭୀମ ହୀନ ।