38 . ଅଷ୍ଟତ୍ରିଂଶ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଅଷ୍ଟତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଅଷ୍ଟତ୍ରିଂଶ ବୋଲି

ଅଷ୍ଟତ୍ରିଂଶ ବୋଲି

 
ହୃଦୟ ଭିତରେ ବିଚାରି ଅନ୍ତରେ ଅନୁଭବେ କରି ଠାବ,
ଅଭୟ ପାଦ ତଳରେ ଧ୍ୟାନ ଦେଇ ଆଶା କରିଅଛି ଜୀବ ।
ଯେସନେ ଚାତକ ଶୂନ୍ୟର ଜଳକୁ ଚାହିଁଥାଇ ନିରନ୍ତରେ,
ପାଟିକି ବିସ୍ତାରି ବହୁ ଆଶାକରି ମଉନରେ ବସି ଧୀରେ ।
କ୍ଷୁଧାତୃଷାର ପଥିକ ଯେସନ ଲୋଡ଼ି ବସି ବୃକ୍ଷମୂଳେ,
ସ୍ନାହାନ ସାରିଣ ଭୋଜନ ଆଚରି ଚଳି ଯାଇ ତତକାଳେ ।
ଦରିଦ୍ର ପରାଣୀ ଚିରକାଳ ରଙ୍କ ଅଟଇଟି ମୁହିଁ ପରା,
ନିରାପକ୍ଷ କରୁଅଛ ପ୍ରଭୁ ମତେ ଛଡ଼ାଇ ସବୁ ଆଶରା ।
ବଚନକୁ ଟାକି ହୋଇ ନିରିମାକ୍ଷି ନିଷ୍କାମ ନାବରେ ବସି,
ସ୍ୱଦେହରେ ସ୍ୱାମୀ ଉଦେ ହୋଇଅଛ ଯେସନେ ପୂର୍ଣ୍ଣମୀ ଶଶୀ ।
ଏଡ଼େ ବଡ଼ ପ୍ରଭୁ ବୀରବଧୁ ବାନା ବିରାଜ କରୁଛ ମଞ୍ଚେ,
ବିଷୟା ବୃଥାରେ କର୍ମରେ ଶ୍ରୁତିରେ ଘାଣ୍ଟି ମାରୁଅଛ ମିଛେ ।
ହଟ ପଟ ନଟକୂଟ ଲଗାଉଛ ଯେସନେକେ ଖଣ୍ଟ ଚୋର,
ଭୁଲାଇ ଚିତ୍ତକୁ ଆପଣା ଭୃତ୍ୟକୁ କରୁଅଛ ନାରଖାର ।
ଆପଣା ମର୍ଯ୍ୟଦା ଆପେ ରଖି ପ୍ରଭୁ ଜାଣି ସମ୍ଭାଳନା ହେଉ,
ତୁମ୍ଭର ନାଶିବ କାର କିସ ଯିବ କିମ୍ପା ପରୀକ୍ଷା ନ ଦେଉ ।
ପ୍ରଭୁ ପ୍ରଭୁ ବୋଲି କେତେ କାଳ ଭାଳି ନର ଅଙ୍ଗ ବହି ମର୍ତ୍ତ୍ୟେ,
କାମନା କଳ୍ପଣା ସମସ୍ତ ସମର୍ପି ପିଣ୍ଡ ପ୍ରାଣ ଆଦି ଯେତେ ।
ହେବ କି ନ ହେବ ସିଦ୍ଧି ଶୁଭଯୋଗ ସୁଦୟାରେ ମେତେ କହ,
ଗଙ୍ଗାଜଳେ ସ୍ନାନ କରିବି ବୋଲୁଛି ତାହା ହେଉଅଛି ଦେହ ।
ପୁର୍ବକାଳୁ ମୋର କ୍ଷୁଧା ତୃଷା ଅଛି ମିଳିବ କି ନାହିଁ ଭାତ,
ନିଜରୂପେ ପ୍ରଭୁ ବିଜେ କରିଅଛ ଏତେବେଳେ କହ ସତ ।
ତୃଷା କରୁଅଛି ଆକୁଳ ହେଉଛି ପାଇବି କି ନାହିଁ ପାଣି,
ଆଦି ଅନ୍ତ କରି ଫେଡ଼ି କହ ମତେ ବେନି କର୍ଣ୍ଣେ ଥିବି ଶୁଣି ।
ରଙ୍କ ହୋଇଅଛି ନ ମିଳୁଛି କିଛି ପାଇବି କି ନାହିଁ ଧନ,
କିମ୍ପାଇ ମଉନ ହେଉଛ ଆପଣ ଫେଡ଼ି କହ ନାରାୟଣ ।
ଜାତ କରିଅଛ ବ୍ରହ୍ମାଣ୍ଡ ଭିତରେ ପାଳିବ କି ନାହିଁ ସ୍ଥିତି,
କବିକୃତ୍ୟ ପଦ ପ୍ରଭୁ ଦେଇଅଛ ବାନ୍ଧିବି କି ନାହିଁ ପୋଥି ।
ପିଣ୍ଡ ବ୍ରହ୍ମାଣ୍ଡ ଏକମତ ବୋଲନ୍ତି ଯଶ ଅପଯଶ କୀର୍ତ୍ତି,
ଚାରି ଯୁଗ ବହି ଗଲାଣି ସଂସାରେ ନାମେ ଆତଯାତ ପୃଥୀ ।
କେତେ ଜନ୍ମି କେତେ ମରି ଯାଉଛନ୍ତି ନାମ ବୋଲି ଜଣା ନାହିଁ,
ମୁଁ ଛାର ପାମର କେତେ ମୋ ଶକତି ଥିବି ନର ତନୁ ବହି ।
ପ୍ରଭୁ ଯେ ଅକ୍ଷଏ ଅବ୍ୟୟେ ପୁରୁଷ କ୍ଷୟ ବୃଦ୍ଧି ନାହିଁ କିଛି,
ଚାରି ଯୁଗ ମଧ୍ୟେ ଏକାଙ୍ଗ ସ୍ୱରୂପ ଜନ୍ମ ମୃତ୍ୟୁ କାହିଁ ଅଛି ।
ତୁମ୍ଭ ଅଙ୍ଗ ସିନା ତୁମ୍ଭେ ବଞ୍ଚାଇଛ ମାୟାରୁ କାୟାରୁ ଏଡ଼ି,
ମୋର ପିଣ୍ଡ ପ୍ରାଣ କେତେ କାଳ ଥିବ ଯେସନ ସିନ୍ଧୁ ଲହଡ଼ୀ ।
ଅନାଦି ଈଶ୍ୱର ବୁଝାମଣା କର ଏ ମୋ ବିନତିକୁ ଚାହିଁ,
କାଳ ବେଳ ଆସି ନିକଟ ହୋଇଲା ମହତ୍ତ୍ୱ ରଖ ଗୋସାଇଁ ।
ଥର ଥର ହୋଇ ଛାମୁରେ ଜଣାଇ ଶିରେ ବେନି କର ଯୋଡ଼ି,
ଭୀମ ଅରକ୍ଷିତ ମାଗୁଣି ମାଗୁଛି ଗୁରୁ ପାଦତଳେ ପଡ଼ି ।