40 . ଚତ୍ୱାରିଂଶତ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଚତ୍ୱାରିଂଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ଚତ୍ୱାରିଂଶତ୍ ବୋଲି

ଚତ୍ୱାରିଂଶତ୍ ବୋଲି

 
ଏ ପିଣ୍ଡ ବ୍ରହ୍ମାଣ୍ଡ ଭାସି ଯିବ କିପାଇଁ ହୋଇଛ ଉଦେ ।
ଅବଧୂତ ଧର୍ମ ନିର୍ବିକାର କର୍ମ ପ୍ରକାଶିଲା ନିରିବେଦେ ।
ମହାପ୍ରଭୁ ଥାଇ ନାଶ ଯେବେ ଯିବ କି ବୋଲିବେ ସାଧୁଜନ,
ଗୁରୁ ବିଜେ ହୋଇ ଅକାଳ ବିପତ୍ତି ପଡ଼ୁଅଛି ସଂସାରେଣ ।
ଜଗତ ଭଗତ ରଖିବ ଯେମନ୍ତ ସମ୍ଭାଳି ଧର ସକଳ,
କୁହୁଡ଼ି ପରାଏ ଅଦଭୁତ ମାୟା ଘୋଟି ଆସୁଅଛି କାଳ ।
ଏ ପିଣ୍ଡ ବ୍ରହ୍ମାଣ୍ଡ ଅହ୍ମଣିଆ କରି ପ୍ରଭୁଙ୍କୁ ଦେଉଛି ଟେକି,
ଏ ଛତ୍ର ପାଦେ ଘୋଡ଼ାଇ ସମ୍ଭାଳ ଅମୃତ ଲୋଚନେ ଦେଖି ।
ମୋର ପିଣ୍ଡ ପ୍ରାଣ ଦେଇଅଛି ଦାନ ଅଲେଖ ପୁରୁଷ ପାଦେ,
ଶ୍ରୀଛାମୁରେ ମୁହିଁ ବ୍ରହ୍ମାଣ୍ଡର ପାଇଁ ଜଣାଣ କରୁଛି ଏବେ ।
ଅଶେଷ ବ୍ରହ୍ମାଣ୍ଡ ଡୁବି ଯେବେ ଯିବ କାହିଁରେ ରହିବି ମୁହିଁ,
ମନ ଛନ୍ନ ଛନ୍ନ ହେଉଛି ଉଚ୍ଛନ୍ନ ଏ ପିଣ୍ଡ ବ୍ରହ୍ମାଣ୍ଡପାଇଁ ।
ଗୁରୁଙ୍କର ପିଣ୍ଡ ଗୁରୁଙ୍କ ବ୍ରହ୍ମାଣ୍ଡ ଗୁରୁଙ୍କର ତିନିପୁର,
ସପତ ବ୍ରହ୍ମାଣ୍ଡ ଚଉଦ ଭୁବନ ଦୟା ବହି ରକ୍ଷା କର ।
ଏକୋଇଶ ପୁର ଚଉଦ ଭୁବନ ଯେଉଁଠାରେ ଯେହୁଛନ୍ତି,
ସବୁ ଘଟେ ପ୍ରଭୁ ହେତୁ ଚେତା ଦିଅ ଉଠୁ ଅଲେଖ ଭଗତି ।
ଉଡ଼ାଖାନି ବୁଡ଼ାଖାନି ଚଳଖାନି ଅଚଳଖାନି ଏ ଯେତେ,
ଜଣେ ଜଣେ କରି ଉଠାଅ ଏହାକୁ ଚେତା ହୁଅନ୍ତୁ ସମସ୍ତେ ।
ଏ ଜନ ଜଗତ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ,
ଏଣୁକରି ସିନା ପ୍ରଭୁ ଶ୍ରୀଛାମୁକୁ ନିତି ଜଣାଣ କରଇଁ ।
କି ଆଜ୍ଞା କରୁଛ କିସ ବୋଲୁଅଛ ସଂଶୟ ଫିଟାଅ ପାଦେ,
ଏଡ଼େ ବଡ଼ ଧର୍ମ ନାଶ ଯାଉଅଛି କୁଟୁମ୍ୱର ଘର ଭେଦେ ।
ଜାଣି ଜାଣି କରି ନାମ ବ୍ରହ୍ମ ଧରି କେହି କାହାକୁ ନ ମାନି,
ବ୍ରହ୍ମାଣ୍ଡ ଭିତରେ ଦେହ ଧରି ଯେତେ ହେଉଛନ୍ତି ଅନାଅନି ।
ଯେଉଁ ରୂପେ ଏହୁ ଶାନ୍ତିକି ଲଭିବେ ସେହି ରୂପେ ହେଉ ଦୟା,
ଏ କଳି ସାଗର ଧର୍ମରେ ନିବାର ଛିଡ଼ିଯାଉ ଛନ୍ଦ ମାୟା ।
ଅଶେଷ ବ୍ରହ୍ମାଣ୍ଡ ପୃଥୀ ନବଖଣ୍ଡ ପ୍ରଳୟ ହେବ ନିଶ୍ଚଏ,
ମୋର ବିଚାରକୁ ଭରସା ନ ଦିଶେ ମାଡ଼ୁଅଛି ବଡ଼ ଭଏ ।
ପାଦରେ ଶରଣ ଦନ୍ତରେ ତିରଣ ରଖ ରଖ ଏ ବ୍ରହ୍ମାଣ୍ଡ,
ଅଭୟ ପଞ୍ଜରେ ସମ୍ପାଦନା କରି କ୍ଷମାକର ଘୋର ଦଣ୍ଡ ।
ଜଗତ ଭଗତ ଦାସ ଦାସୀ କଥା ଜଲଦି ବୁଝିଲେ ଯାଇ,
ପ୍ରଭୁ ବିନୁ ଆଉ କେ ଅଛି ଶକତା କା ଆଗେ ବୁଝିବି ମୁହିଁ ।
ଅନ୍ତର ବିଚାର ଅନ୍ତର୍ଯ୍ୟାମୀ ପ୍ରଭୁ ଜାଣୁ ତ ଥିବ ସକଳ,
ଏ କଳି ଯୁଗରେ ଯାହା ହେଉଅଛି ବ୍ରହ୍ମାଣ୍ଡର ଫଳାଫଳ ।
ଜାଣିବାରୁ ପ୍ରଭୁ ଉଦଏ ହୋଇଛ ଧର୍ମ ପ୍ରକାଶିଛ ଆଣି,
ଏ କଳି ଯୁଗରେ ସଂସାର ସାଗରେ ଜଗାଇ ଅଲେଖ ଧୁନି ।
ଅଲେଖ ମହିମା ନାମ ଦେଇଅଛ ବିହନ ରହିବେ ବୋଲି,
କଠୋର ଏ ଦୀକ୍ଷା କେଭେ ନାହିଁ ଦେଖା ନ ପାରୁ ଅଛନ୍ତି ଛାଡ଼ି ।
ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀଗୁରୁଙ୍କ ପାଦେ,
କହେ ଭୀମ ଭୋଇ ଅଷ୍ଟଶତ ପଦ ନେତ୍ରୁ ଲୁହ ପୋଛି କାନ୍ଦେ ।