41 . ଏକଚତ୍ୱାରିଂଶତ ବୋଲି
ଏକଚତ୍ୱାରିଂଶତ୍ ବୋଲି
ନିଷ୍କାମ ଭଗତ ବୋଲି ନାମ ଦେଇ ଜଗତେ ଦେଇଛ ଡାକ,
କବି ପଦ ନୁହେଁ ଶ୍ରୀମୁଖ ବଚନ ସଞ୍ଚରି ତିନି ତ୍ରୈଲୋକ୍ୟ ।
ଜଣେ ଜଣେ କରି ବତାଇ କହିଲି ତାହାର ଏ ତିନିପୁର ।
ଗୁରୁଦାସ ବୋଲି ଯେବଣ ଭଗତ ବ୍ରହ୍ମାଣ୍ଡରେ ବୀରବର ।
ତାହାର ବ୍ରହ୍ମାଣ୍ଡ ରଖୁ ବା ନ ରଖୁ ଆମ୍ଭର ଯାଉଛି କିସ,
ଜୀବନ୍ତେ ଆମ୍ଭର ଧର୍ମଦାଣ୍ଡେ ଭିକ୍ଷା ମଲେ ଚଉରାଶି ବାସ ।
ଏହା ବୋଲି ସ୍ୱାମୀ ଶ୍ରୀମୁଖେ କହିଛ ସେ କଥା କେମନ୍ତେ ହେବ,
ବ୍ରହ୍ମାଣ୍ଡେ ଯେବେ ମୋତେ ଉଦେ କରିବ ପ୍ରଭୁ ଏକା ଅଙ୍ଗେ ଥିବ ।
ମହାତେଜ ଘେନି ପ୍ରକାଶ ମେଦିନୀ କୋଟିଏ ଅରୁଣ କାନ୍ତି,
ଜଗତ ଭଗତ ଦେଖନ୍ତୁ ସମସ୍ତେ ପ୍ରଭୁଙ୍କ ନୀଳ ମୂରତି ।
ମୋତେ ଯେବେ ପ୍ରଭୁ ଭଗତ ବୋଇଲ ଦାସପଣକୁ କି ସରି,
ଛପନା କୋଟିରୁ ସାନ ଜୀବ ଅଟେ ଅଛି ମୁଁ ମନେ ବିଚାରି ।
ପ୍ରଭୁ ଭୃତ୍ୟ ପାଦେ ଭୃତ୍ୟ ହୋଇବାକୁ ଶକତି ମୋହର ନାହିଁ,
ଅଖଣ୍ଡ ବ୍ରହ୍ମର ପାଦ ଲଭିବାକୁ ଭାଗ୍ୟ କରିଅଛି କାହିଁ?
ପ୍ରଭୁଙ୍କ ଭଗତ ଯେହୁ ସେ ବୋଲନ୍ତି ସମଯୁକ୍ତ ଥାନ୍ତି ସତ୍ୟେ;
ଚାରି ବେଦ ଚାରି ଧର୍ମ ଗତି ମୁକ୍ତି ପୂରିଥାଇ ଗର୍ଭଗତେ ।
ପ୍ରଭୁଙ୍କର ଦାସ ଯାହାକୁ ବୋଲନ୍ତି ଶକତି ଧାରଣ ସେହି,
ନବଖଣ୍ଡ ପୃଥୀ ଅଶେଷ ବ୍ରହ୍ମାଣ୍ଡ ଅଙ୍ଗେ ତାର ପୂରିଥାଇ ।
ମୁହିଁ ଛାର କିସ ଭଗତ ହୋଇବି କେଉଁ ଜୀବରେ ଗଣିତା,
ମନେ ମନେ ମୋର ବିଚାର ଆଣୁଛି ବଡ଼ାଇ ଆଶ୍ଚର୍ଯ୍ୟ କଥା ।
ଜନମ ଦିନରୁ କିଛି ନ ଜାଣଇ ମୁହିଁ ବଡ଼ ଅପରାଧୀ,
ଖଟି ନ ପାରଇ ଗୁରୁପାଦବିନ୍ଦେ ନାହିଁ ମୋର ଜ୍ଞାନ ବୁଦ୍ଧି ।
ମାନବ ଶକତି ବହି ଉତପତ୍ତି ହୋଇଅଛି ଏ ସଂସାରେ,
ଅନାଦି ପୁରୁଷ ଦରଶନେ ଦୃଶ୍ୟ ଦୟା ଥିବ ମୋହଠାରେ ।
ଦୁଃଖୀ ଜନ ବନ୍ଧୁ ଦୁଃଖ ଚାହିଁ ମୋର ଫେଡ଼ିବ ଅଖିଳ ଦଶା,
କଳିଯୁଗ ମଧ୍ୟେ ପାପପଙ୍କ ହୃଦେ ନୁହଇ ମୋର ଭରସା ।
କାତ କେଳୁଆର କିଛି ନ ପାଉଛି ନାବ ନ ରହୁଛି ଧୀରେ,
ତେଣୁ କରି ଜୀବ ସନ୍ତାପି ହେଉଛି ପଞ୍ଚଭୂତ ହୃଦୟରେ ।
ଅପମାନ ଯୋଗ ଦୁରାକଷ୍ଟ ଭୋଗ ଆହୁରି ରଖିଛ କେତେ,
ନରଦେହେ ମୋତେ ଅବତାର କଲ ଭୁଞ୍ଜାଇବାର ନିମନ୍ତେ ।
ଏଡ଼େ ପ୍ରଭୁ ଥାଇ ସଂଶୟ ନ ଗଲା ବସନ୍ତେ ଉଠନ୍ତେ ଚିନ୍ତା,
ତିନିଶ ଷାଠିଏ ଦିନ ପରିଯନ୍ତେ ଭୋଜନ ହେଲାଣି ପିତା ।
କେତେ ଜଣାଇବି ପୁନର୍ବାର କରି ମନ ହୃଦୟ ବେଦନା,
ସାକ୍ଷାତରେ ବ୍ରହ୍ମ ବିଜେ କରିଅଛ ଗୁହାରି ନ ଗଲା ଶୁଣା ।
କହନ୍ତା ବହନ୍ତା ସ୍ୱରୂପେ ପ୍ରକାଶ ଅଦେହ ହୋଇ ତ ମୁହିଁ,
ଘୋର କଳିଯୁଗେ ଯାହା ମୁଁ ଦେଖିଲି ଦେହ ଧରିଛ ଗୋସାଇଁ ।
ପଟ ପଟ କହି ମଟ ମଟ ଚାହିଁ ମଉନ ହୋଇ ରହୁଛ,
ମଥା ଛେଚି ହୋଇ ଜଣାଇଲେ ସୁଦ୍ଧା ବିନତି ମୋ ନ ଘେନୁଛ ।
ଯାହା ଅର୍ଜିଅଛୁ କପାଳର ଫଳ ଭୁଞ୍ଜୁଥା'ରେ ପାପୀ ଜୀବ,
ଗୁରୁ ପାଦ ଧ୍ୟାୟି ଭଣେ ଭୀମ ଭୋଇ ଯୁଗେ ଯୁଗେ କୀର୍ତ୍ତି ଥିବ ।