42 . ଦ୍ୱିଚତ୍ୱାରିଂଶତ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଦ୍ୱିଚତ୍ୱାରିଂଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ଦ୍ୱିଚତ୍ୱାରିଂଶତ୍ ବୋଲି

ଦ୍ୱିଚତ୍ୱାରିଂଶତ୍ ବୋଲି

 
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଦିଶୁଅଛି ସାହସ ଯାଉଛି ଉଡ଼ି,
ପଞ୍ଚଭୂତ ମଧ୍ୟେ ଭାଳେଣି ପଡ଼ିଛି ହେତୁ ବୁଦ୍ଧି ଚେତା ବୁଡ଼ି ।
ଦଶଦିଗ ମୋତେ ଅନ୍ଧାର ଦିଶୁଛି ମଣୁଅଛି ଆଚମ୍ବିତ,
ଦିବସ ରଜନୀ ସନ୍ତାପରେ ପଡ଼ି ଥୟ ନାହିଁ ମୋର ଚିତ୍ତ ।
ତିନି ଭୁବନରେ ବାସ ନ ମିଳୁଛି ବାହ୍ୟ ଅନ୍ତେ ନାହିଁ ପାର,
ଆକାଶର ବଜ୍ରଶିଳ ପଡ଼ୁଅଛି ପାତିଛି କମଳ ଶିର ।
ମୁଣ୍ଡର ଶିରୀକି ପାଦରେ ଟାଳିଲି ମୋଠାରୁ ନାହିଁ ଅଧମ,
ଗୋଡ଼ର ଦଉଡ଼ି ଗଳାରେ ଛନ୍ଦିଛି ପ୍ରଭୁ ଅଣାକାର ବ୍ରହ୍ମ ।
ଶୋଲ ପିଣ୍ଡି ଛାଡ଼ି ଗଳାରେ ପଥର ବାନ୍ଧି ପହଁରୁଛି ମୁହିଁ,
ମହାସୁଖ ଛାଡ଼ି ଦୁଃଖେ ମଜ୍ଜି ଅଛି ମୋହଠାରୁ ମୂର୍ଖ ନାହିଁ ।
ହରଷକୁ ଛାଡ଼ି ବିରସ ଭଜିଲି ଉଜ୍ଜ୍ୱଳ ଛାଡ଼ି ଅନ୍ଧାର,
ଗ୍ରାମ ଦେଶ ଛାଡ଼ି ବିଅର୍ଥେ ପଶିଲି ଝାଡ଼ ବନ ଲତା ଘୋର ।
ଶାନ୍ତି ଛାଡ଼ି ଅଣଶାନ୍ତିରେ ପଡ଼ିଲି କହିଲେ ନ ସରେ ଚିନ୍ତା,
ଘର ଦିଅଁ ଛାଡ଼ି ମାୟା ପ୍ରକୃତିରେ ପୂଜିଲି ପର ଦେବତା ।
ପଥ ଛାଡ଼ି ଅଣପଥରେ ଗମିଲି ସତ୍ୟ ଛାଡ଼ି ଅସତ୍ୟକୁ,
କେଉଁରୂପେ ମୋର ଦିନକାଳ ଯିବ ଜଣାଉଅଛି ପ୍ରଭୁଙ୍କୁ ।
ନିଜ ଧର୍ମ ଛାଡ଼ି ବାହ୍ୟ ଧର୍ମ କଲି ଅମୃତକୁ ଛାଡ଼ି ବିଷ,
କଲା କର୍ମଫଳ ଏବେ ମୁଁ ଭୁଞ୍ଜୁଛି କାହାକୁ ଦେବଇଁ ଦୋଷ ।
ଚାହିଁଲା ନେତ୍ରରେ ଡାଙ୍ଗ କେଞ୍ଚୁଅଛି ଫୁଟିଲେ କାହାର ଯିବ,
ମୋର ହସ୍ତେ ମୋହ ଜିହ୍ୱା କାଟୁଅଛି କାହାକୁ ଏ ଦୋଷ ହେବ?
କପାଳରେ ମୋର ଯାହା ଲେଖାଅଛି ତାହା କେ କରିବ ଆନ,
ଯାହା ମାଗିଅଛି ତାହା ଭୋଗ ହେବ ଯାହା ଅଛି ପାପ ପୁଣ୍ୟ ।
ପାଦକୁ ଛାଡ଼ି ମୁଁ ବାଦରେ ପଡ଼ିଲି ଲାଗିଅଛି ଗୋଳମାଳ,
ଘୋର କଳିଯୁଗେ ଅସତ୍ୟ ଠାବରେ କେମନ୍ତେ ବଞ୍ଚିବି କାଳ ।
ତିଥି ଛାଡ଼ି ଅଣତିଥିରେ ପଡ଼ିଲି ବଣା ହୋଇ ମାୟା ମୋହେ,
ନିଜ ବ୍ରହ୍ମ ଛାଡ଼ି ଭ୍ରମି ମରୁଅଛି ଦୁର୍ଲ୍ଲଭ ଜନମ ଦେହେ ।
କୀର୍ତ୍ତି ଛାଡ଼ି ଅପକୀର୍ତ୍ତି ଭୁଞ୍ଜୁଅଛି ଆହାରେ ଜନମ ସାର,
ଏହା ପରା ପିଣ୍ଡ ନ ମିଳିବ ଆଉ କଲେ ତପସ୍ୟା ଅପାର ।
ବେଦ ପୋଥି ଛାଡ଼ି ଥୋତ ହେଉଅଛି ଧନ୍ୟ ସେ ପ୍ରଭୁଙ୍କ ବାକ୍ୟ,
ଆଜ୍ଞା ଗରିଷ୍ଠ ସେ ଗୁରୁଙ୍କର ବାକ୍ୟ ମଣୁଅଛି ମୁଁ ଅମୋକ୍ଷ ।
ପୃଥ୍ୱୀ ଛାଡ଼ି ପ୍ରୀତି ସ୍ନେହରେ ପଡ଼ିଛି ଗୁରୁପାଦ ଛାଡ଼ି ଦେଇ,
ଏହା ପରା ହେତୁ ବୁଦ୍ଧି ନ ମିଳିବ ଆଉ ଜନ୍ମ ହେଲେ ମହୀ ।
ନିଜ ଥାନ ଛାଡ଼ି ବିଥାନରେ ମୁହିଁ ବାସ କରି ନିରନ୍ତରେ,
ପାଶେ ଥାଇ ମୋର ଗୁରୁ ପାଦବିନ୍ଦ ରହି ଯାଉଅଛି ଦୂରେ ।
ନିଜ କାମ ଥାଇ କାମରେ ଅଚେତା ପ୍ରକୃତି ଲୋଭରେ ପଡ଼ି,
କିଞ୍ଚିତ ତଥାକୁ ବହୁତ ବିଚାରି ଛାଡ଼ି ଗୁରୁ ଧର୍ମ ଧାଡ଼ି ।
ନିଜ ବୃତ୍ତି ଛାଡ଼ି ବୃଥାରେ ପଡ଼ିଛି ଦିନ ଗଲା ଅକାରଣେ,
ଅନୁକ୍ଷଣ ଯାର ପାଦ ଧରିଥାଇ ହେତୁ ନାହିଁ ମୋର ମନେ ।
କର୍ମମାନ ଛାଡ଼ି ଅକର୍ମରେ ପଡ଼ି ଶ୍ରୀଗୁରୁ ଜାଣନ୍ତି ତାହା,
ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ କରିଥିବ ମୋତେ ଦୟା ।