45 . ପଞ୍ଚଚତ୍ୱାରିଂଶତ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ପଞ୍ଚଚତ୍ୱାରିଂଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ପଞ୍ଚଚତ୍ୱାରିଂଶତ୍ ବୋଲି

ପଞ୍ଚଚତ୍ୱାରିଂଶତ୍ ବୋଲି

 
ଗୁରୁ ଦେବ ସ୍ୱାମୀ ନିର୍ଗୁଣ ପୁରୁଷ ମୁହିଁ ଅଟଇ ସଗୁଣ,
ଏତେବେଳେ ମୋତେ ପଥ କହିଦିଅ ପଶି ଯାଉଅଛି ବନ ।
ଅଣାକାର ସ୍ୱାମୀ ନିଷ୍କାମ ପୁରୁଷ ମୁହିଁ ଅଟଇ ସକାମ,
ମାୟା ପ୍ରଳୟରୁ ବଞ୍ଚାଇଣ ରଖ ତାରି ନିଅ ଦେଇ ନାମ ।
ଗୁରୁଦେବ ସ୍ୱାମୀ ନିର୍ବେଦ ପୁରୁଷ ମୋର ତନୁ ଅଟେ ବେଦ,
ପାପ ପ୍ରକୃତି ପିଣ୍ଡରୁ ଉଦ୍ଧରିବ କହି ବ୍ରହ୍ମଜ୍ଞାନ ଭେଦ ।
ଗୁରୁଦେବ ସ୍ୱାମୀ ନିର୍ବେଦ ପୁରୁଷ ମୋ ଦେହ ଅଟଇ ରୂପ,
ବ୍ରହ୍ମ ଗଙ୍ଗାଜଳେ ସ୍ନାନ କରି ନେବେ ପଡ଼ିଅଛି ଭବକୂପ ।
ଶୂନ୍ୟବାସୀ ପ୍ରଭୁ ଏକ ପାଦ ବ୍ରହ୍ମ ମୋର ଅଛି ବେନି ପାଦ,
ଏକ ପାଦେ ମୋତେ ପାରି କରି ନେବ ନ ରଖିବ ଭେଦାଭେଦ ।
ଗୁରୁଦେବ ମୋର ଅପାପ ପୁରୁଷ ମୁଁ ଅଟଇ ମହାପାପୀ ।
କଳୁଷରୁ ସ୍ୱାମୀ ପାରି ନିଅ ମୋଠାରେ ମାୟା ନ ରଖି ।
ଗୁରୁଦେବ ସ୍ୱାମୀ ବୁଦ୍ଧିବନ୍ତ ଅଟ ମୁଁ ଅଟଇ ନିର୍ବୁଦ୍ଧିଆ,
ସଂସାର ସାଗର ହାନିଲାଭ ଜାଣି ଟିକେ ଟିକେ ଥିବ ଦୟା ।
ଗୁରୁଦେବ ସ୍ୱାମୀ ଜ୍ଞାନର ଭଣ୍ଡାର ମୁହିଁ ଅଟଇ ଅଜ୍ଞାନ,
ଘୋର କଳିକାଳୁ ପାରି କରି ନେବେ ଜାଣି ମୋର ଅଭିମାନ ।
ଗୁରୁଦେବ ସ୍ୱାମୀ ତାରଣରେ ସଚ୍ଚା ମୁଁ ମୂଢ଼ ଅଟଇ କଚ୍ଚା,
ଷଠିସସ୍ର କୁମ୍ଭୀ ନର୍କ ପଡ଼ିଥିଲେ ଘିଞ୍ଚି ନେବେ କରି ବଚ୍ଛା ।
ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ଦୟାରେ ସାଗର ହୁଅ,
ପଡ଼ିଅଛି ଜୀବ ପାପପଙ୍କ ମଧ୍ୟେ ବକଳ ଛଡ଼ାଇ ନିଅ ।
ଗୁରୁଦେବ ସ୍ୱାମୀ ନିରୋଗୀ ପୁରୁଷ ମୁଁ ମୂଢ଼ ଅଟଇ ରୋଗୀ,
ଶୂନ୍ୟ ଧର୍ମ ପ୍ରଭୁ ଶିରୀମନ୍ତ ଅଟ ଏ ଜୀବ ଅଟେ ଅଭାଗୀ ।
ଗୁରୁଦେବ ସ୍ୱାମୀ ନିଅଙ୍ଗୀ ନିଃସଙ୍ଗୀ ମୋହର ଯୁଗଳ ତନୁ,
ରୋମ ଚର୍ମେ ମୋର ମାୟା ଲାଗିଅଛି ଦେହଧାରୀ ହେଲା ଦିନୁ ।
ଅଲେଖ ପୁରୁଷ ଶ୍ରୀଗୁରୁ ମୋହର ମୁଁ ଅଟଇ ତୁମ୍ଭ ଶିଷ୍ୟ,
ବୁଡ଼ି ମରୁଅଛି ଛାଣିନିଅ ମୋତେ ଅଧିକ କହିବି କିସ ।
ସଦଗୁରୁ ମୋର ପୁଣ୍ୟାଧି ପୁରୁଷ ମୁଁ ଅଟଇ ମହାପାପୀ,
ଭବାର୍ଣ୍ଣବୁ ମୋତେ ପାରି କରି ନେବ ଅବସ୍ଥା ମୋହର ଦେଖି ।
ଦୟାପାଦେ ଗୁରୁ ଅଗାଧ ସାଗର ଧର୍ମ ଅଟଇ ମହିମା,
ଜ୍ଞାନୀଜନଙ୍କୁ ଅଗୋଚର ଅଟଇ ବେଦ ନ ଜାଣଇ ସୀମା ।
ଧର୍ମ ପୁରୁଷର ରୂପ ରେଖ ନାହିଁ କାହାକୁ ଜପିବି ମୁହିଁ,
ଅକର୍ମ ଦାୟକ ପୁରୁଷ ତୁ ପ୍ରଭୁ କ୍ରିୟା କର୍ମ ନ ଲାଗଇ ।
ଅଚିନ୍ତା ପୁରୁଷ ଶୂନ୍ୟମୟ ଦେହ ଯହିଁରେ ନାହିଁ ବଚନ,
ନିରୂପଣ କରି ଶାହାସ୍ର ପଥରେ କେ ପାଇବ ବର୍ଣ୍ଣ ଚିହ୍ନ ।
ସାଧୁ ସୁଜ୍ଞଜନ କବି ତ ପଣ୍ଡିତ ଚିତ୍ତରେ ବିଚାର କର,
ଘୋର କଳିଯୁଗେ ଅଲେଖ ମହିମା ଦିବା ନିଶି ଅନୁସର ।
ଏ ଯୁଗରେ ଏକା ଏ ଧର୍ମ ଉଦିତ ଅନ୍ୟରେ ନାହିଁ ନା ସାର,
ଗତି ମୁକତି ସମ୍ପତ୍ତି ପରାପତ ନିଷ୍ଠା ଏ ବଜ୍ରର ଘର ।
ଯୁଗ କଳିକାଳ ପାପ ଅନର୍ଗଳ ଦିନୁ ଦିନୁ ମହାଭାରୀ,
ଭଣେ ଭୀମ କନ୍ଧ ନବଶତ ପଦେ ଗୁରୁ ପାଦ ଅନୁସରି ।