46 . ଷଟଚତ୍ୱାରିଂଶତ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଷଟ୍-ଚତ୍ୱାରିଂଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ଷଟ୍-ଚତ୍ୱାରିଂଶତ୍ ବୋଲି

ଷଟ୍-ଚତ୍ୱାରିଂଶତ୍ ବୋଲି

 
ଜୟ ଜୟ ପ୍ରଭୁ ଅନାଦି ଈଶ୍ୱର ଅନନ୍ତ ଅରୂପ ହରି,
ମହାଭାରା ହେଲା ଘୋର କଳିଯୁଗ ପାପ ହୋଇଲାଣି ଭାରି ।
ସମୁଦ୍ର ପରାଏ ପୂରିତ ହେଲାଣି ନ ଚଳୁଛି ସତ୍ୟନାବ,
ଏଥିକି ଚାହିଁ ବିଚାର ମହାପ୍ରଭୁ ଯେଉଁ ପରି କ୍ଷଏ ଯିବ ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରକୁ ଡୁବାଇ ଦେଲାଣି ଧରି,
ନିରନ୍ତରେ ଭାସୁଅଛି ନବଖଣ୍ଡ ଜଳରେ ମୀନ ଯେପରି ।
ଅଗାଧ ପାତକ ଯେମନ୍ତ ତୁଟିବ ତହିଁକି ବିଚାର କର,
ମହାବ୍ରହ୍ମତେଜ ପରକାଶ କରି ଅନଳମୂରତି ଧର ।
ପାପ ସାଗରରେ ମହିମାସାଗର ବ୍ରହ୍ମାଣ୍ଡେ ସ୍ଥାପିଲ ଧୁନି,
ଅବଧୂତ ନିର୍ବିକାର ଦୀକ୍ଷା ଦେଇ ଆପଣେ ହେଲ ଅଗ୍ରଣୀ ।
ଅଗୋଜାକୁ ଗୋଜା କରି ମହାପ୍ରଭୁ ଅଚେତାକୁ ଚେତା କଲ,
ଅଲେଖ ମହିମା ନାମ ସର୍ବେ ଡ଼ାକ ବୋଲି ମୁଖେ ଆଜ୍ଞା ଦେଲ ।
ଘୋର କଳିଯୁଗେ ଏ ଧର୍ମ ଉଦିତ ଏଠାରୁ ନାହିଁ ନା ବଡ଼,
ଅଲେଖ ମହିମା ନାମ ଯେଉଁ ପଦ ଅଙ୍ଗାଇତ ଖଣ୍ଡା ଦାଢ଼ ।
ତୁମ୍ଭେ ଯେ ବୋଇଲ ମହିମା ଭଜିଲେ ମରଣ ତାହାକୁ ନାହିଁ,
ଶ୍ରୀମୁଖ ବଚନ ବଜ୍ରଗାର ଅଟେ ଯାଉଛି ବିଅର୍ଥ ହୋଇ ।
ମ ଅକ୍ଷର ନାମ ହୃଦେ ଲଏ କର ମହୀମଣ୍ଡଳେ ରହିବ,
ବିନା ଆଶ୍ରିତରେ ନ ବର୍ତ୍ତିବେ କେହି ଯୁଗଭାଗେ ପଡ଼ିଯିବ ।
ଏହା ବୋଲି ଗୁରୁ ଶ୍ରୀମୁଖେ କହିଛ ଶୁଣି ମୁଁ କରିଛି ହେତୁ,
ଏକ ପାଦ ଅନୁସରି ଯେତେଦିନୁ ପାସୋରି ନ ଦେଇ ଚିତ୍ତୁ ।
ସକଳ ବାରତା ପଶ୍ଚାନ୍ତକୁ ଥାଉ ମୋ କଥା କେମନ୍ତେ ହେବ,
ତିନି ପୁରେ ମୋତେ ଅଚିନ୍ତା କରାଇ କାହିଁ ନେଇ ଠାବ ଦେବ ।
ତିନି ପୁରଯାକ ଅସତ୍ୟ ହେଲାଣି ଧର୍ମ ଯାଉଅଛି ଛାଡ଼ି,
ବେଳକୁ ବେଳ ଅପ୍ରମାଣ ହେଉଛି ପଡ଼ୁଅଛି କାଳ ଧାଡ଼ି ।
ନିଜ ରୂପ ଧରି ମହାଘୋର କାଳ ବ୍ରହ୍ମାଣ୍ଡ ଭିତରେ ପଶି,
ଛପନା କୋଟି ହୃଦୟରେ ଘାଣ୍ଟୁଛି ହୋଇ କାଳଦଣ୍ଡ ଫାଶି ।
ଭବ ନଦୀରେ ଭସାଇ ନେଉଅଛି ଭାବନା କରାଇ ମୁଖେ,
ପ୍ରକୃତି ଭିତରେ ପକ୍ଷୀ ମହାମାୟା ଭୋଗ କରୁଅଛି ସୁଖେ ।
ଜନ ପ୍ରାଣୀମାନେ ବିଚାରୁ ଅଛନ୍ତି ଆମ୍ଭେ କରୁଅଛୁ ସବୁ,
ଅନ୍ୟାୟକୁ ନ୍ୟାୟ ଏକାକାର କରି କଳି ପୁରୁଷର ଯୋଗୁଁ ।
ଆତ୍ମା ଲିଙ୍ଗେ ପକ୍ଷୀ ରୂପ ଚର୍ମ ଭେଦି ପାଲଟି ନାଶୁଛି ପିଣ୍ଡ,
ତେଣୁ ପାଞ୍ଚ ମନ ପଚିଶ ପ୍ରକୃତି ଅଜ୍ଞାନରେ ପରଚଣ୍ଡ ।
ବେଳୁ ବେଳକୁ ବଚନ କହିଲାଣି ନାଶିବ ପିଣ୍ଡ ବ୍ରହ୍ମାଣ୍ଡ,
ସମସ୍ତଙ୍କୁ ଏକାବେଳେ ମୁଁ ଭକ୍ଷିବି ଛେଦି ପକାଇବି ମୁଣ୍ଡ ।
ଏ ବଚନ କାଳମୁଖେ ଭାଷିଲାଣି କେମନ୍ତେ ହେଉଛି କଥା,
ଏ ପିଣ୍ଡ ବ୍ରହ୍ମାଣ୍ଡ କେମନ୍ତେ ରହିବ ଲାଗୁଅଛି ମୋତେ ଚିନ୍ତା ।
ଏତେବେଳେ ଦେଖ ମହାଶୂନ୍ୟ ଦେହୀ ଛାଣିରଖ ଭବାର୍ଣ୍ଣବୁ,
ସତ୍ୟ ଧର୍ମ ଘେନି ଉଦେ ହୋଇଅଛ ଅଟ ଯେବେ ମହାପ୍ରଭୁ ।
ଏହିପରି କେତେ ବର୍ଣ୍ଣନା କରିବି ନ ଜାଣ କି ଗୁରୁଦେବ,
କହେ ଭୀମ ଭୋଇ ଏ ପାପୀ ଜୀବକୁ ନିରନ୍ତରେ ଦୟା ଥିବ ।