4 . ଚତୁର୍ଥ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଚତୁର୍ଥ ବୋଲି ଲେଖକ/କବି: ଭୀମ ଭୋଇ
ଚତୁର୍ଥ ବୋଲି

ଚତୁର୍ଥ ବୋଲି

 

କରିବାକୁ ଅନ୍ତ ନୁହଇ ସାମର୍ଥ ମୃତ୍ୟୁ କଳେବର ବହି,
ନ ବୁଝି ବିଖଣ୍ଡ କଲି ମୁଁ ଉଦ୍ଦଣ୍ଡ ଛାର କୀଟ ଜୀବ ହୋଇ ।
ମୋଠାରୁ ଅଧିକ ପାପି-ଜନ ମୂର୍ଖ ନ ଥିବେ ତିନି ବ୍ରହ୍ମାଣ୍ଡେ
ଶ୍ରୀଛାମୁକୁ ନିନ୍ଦା ଦେଲି ଅଭିମାନେ ପାପଚିତ୍ତ ଚର୍ମତୁଣ୍ଡେ ।
ମନେ ପାଇ ବ୍ୟଥା ହେଲି ଗରବିତା ମୁଁ ବଡ଼ ମୂଢ଼ ଚାଣ୍ଡାଳ,
ରୂପ ରେଖ ନାହିଁ ପ୍ରକାଶ ହୋଇଛ ଜ୍ୟୋତିରୂପେ ଢଳହଳ ।
କର୍ମରେ ଅବସ୍ଥା ଲେଖିଛି ବିଧାତା ପୂର୍ବେ ଅର୍ଜିଥିଲା ପାପ,
ଚିରାନ୍ତ କାଳକ ରଖିଲ କଳଙ୍କ କୃପାନେତ୍ରେ ବାରେ ଦେଖ ।
ବହି ଦିବା ନିଶି ନାହିଁ ରବି ଶଶୀ ନାମ ବ୍ରହ୍ମ ନୀର ନଈ,
କଲେ ଅଣହେଳା ବୁଡ଼ିବଟି ଭେଳା ବୁଝ ସାବଧାନ ହୋଇ ।
ଅଙ୍ଗେ ଅଛି ଘୋଟି ନ ପାରୁଛି ଉଠି ପଡ଼ିଛି ସନ୍ତାପ ଘୋରେ,
ଲେଶ ଦୟା ବହି ଅଗ୍ରେ ନାବ ଦେଇ ଉଦ୍ଧରି ଲଗାଅ ତୀରେ ।
ନୋହେ ତ ବିଫଳ, ସମ୍ଭବ ସୁଫଳ ଯାହା ପାଞ୍ଚି ଅଛି ବୁଦ୍ଧି,
କାମନା କଳ୍ପଣା ବୁଝତ ଆପଣ ମନବାଞ୍ଛା କର ସିଦ୍ଧି ।
ଅନୁଭବେ ଖୋଜି ଅନ୍ତର୍ଗତେ ହେଜି ପଞ୍ଚତତ୍ତ୍ୱ ମନେ ଭାଳି,
ଏକା ମୋ ଅଲେଖ ଫେଡ଼ିବେ ମୋ ଦୁଃଖ ଛାମୁରେ ଗୋଚର କଲି।
ବିଷୟ ବେବସ୍ଥା ଅଧିକ ଯେ କଥା କେତେ ବଖାଣିବି ମୁହିଁ,
ସର୍ବଘଟେ ପୂରି ଅଛ ସାକ୍ଷୀ ପରି ଛାମୁକୁ ଉବାର ନାହିଁ ।
ନିଷ୍କାମ ଭଗତି ଆଦି ଫଳ ଶ୍ରୁତି ଖଟିଅଛି ପାଦତଳେ,
ନ ଚିହ୍ନଇ ବୋଲି ଭଣ୍ଡୁଅଛ ଅବା ଦେଖୁଅଛ ଜ୍ଞାନଡୋଳେ ।
ବରିବି କି ଜପ କରିବି କି ତପ କିରୂପେ ହୋଇବି ଭୃତ୍ୟ,
ପ୍ରଭୁପାଦତଳେ ଖଟି ରହିଅଛି କୋଟି କୋଟି ତୀର୍ଥ ବ୍ରତ ।
କି ପାଇବି ଧନ କାହୁଁ ଦେବି ଦାନ କି କରିବି କର୍ମ ଧର୍ମ,
ପ୍ରଭୁ ଶ୍ରୀଛାମୁରେ ପୂରି ରହିଅଛି ଦାତାପଣ ଗୁଣଗ୍ରାମ ।
ଏକାକ୍ଷର ପାଦ ନୁହେ ଦୃଢ଼ ଭେଦ ହୃଦେ କି ପାରିବି ଭେଦି,
ପ୍ରଭୁ ଆସ୍ଥାନେ ପାବଚ୍ଛ ହୋଇଛନ୍ତି ଅଷ୍ଟାଦଶ ଆଦି ସିଦ୍ଧି ।
ନରଦେହ ଧରି ନୁହେ ଅନ୍ତ କରି ଅଣାକାରରୂପ ବ୍ରହ୍ମ,
ପ୍ରଭୁ ଶ୍ରୀପାରୁଶେ ଖଟି ରହିଛନ୍ତି ଚାରିପାଦ ସତ୍ୟ ଧର୍ମ ।
ଜପ ତପ ମନ୍ତ୍ର ଯନ୍ତ୍ର ବେଦଶାସ୍ତ୍ର ବ୍ୟକତି ଆସୁଛି କ୍ଷରି,
ସୁସତ୍ୟ ଦାଉଣି ବୁଲାଉଛି ଯୋଚି ନାମ ବ୍ରହ୍ମମୂଳ ମେଢ଼ି ।
ଚରଣେ ଶରଣ କର ଉଦ୍ଧାରଣ ଠୁଳଶୂନ୍ୟ ଆଦିକନ୍ଦ,
ଜୟ ଜୟ ଜ୍ୟୋତି ପରେ ଯାର ସ୍ଥିତି ଆଦି ଅରୂପା ଗୋବିନ୍ଦ ।
ଭିଆଇଛ ରୀତି ଯେହ୍ନେ ସପ୍ତଗାତ୍ରୀ ବିଷୟା ଧନ୍ଦାରେ ପଡ଼ି,
ଅନୁଷଣ ଦୁଃଖମନରେ ବିମୁଖ ନ ପାରୁଛି ପଦ ଯୋଡ଼ି ।
ଏକାକ୍ଷର ପାଦ ହୃଦେ ଗୁଣବାଦ ନିରନ୍ତରେ କରି ଆଶା,
ଅଧିକ ବିଷୟା ନ ପାରଇ ତାହା ନାମ ଭଜନ ତପସ୍ୟା ।
ରୋପିଅଛି ଜାଣି ଦେଇ ଅନ୍ନ ପାଣି ଓଲଟିଆ ତରୁ ବଟ,
ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ ପାଇବି କି ନାହିଁ ଭେଟ ।
ସିଦ୍ଧ ବ୍ରହ୍ମବାକ୍ୟ ଭଗତଙ୍କ ଭେକ ଯୁଗଯୁଗାନ୍ତରେ ସତ୍ୟ,
ବେନି ନେତ୍ରୁଁ ନୀର ବହୁ ଅଶ୍ରୁ ମୋର ଭଣେ ଭୀମ ଅରକ୍ଷିତ ।