51 . ଏକପଞ୍ଚାଶତ ବୋଲି

ଉଇକିପାଠାଗାର‌ରୁ
ଏକପଞ୍ଚାଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ଏକପଞ୍ଚାଶତ୍ ବୋଲି

ଏକପଞ୍ଚାଶତ୍ ବୋଲି

 
ସ୍ତିରୀ ପୁରୁଷ ଏକାନ୍ତ ମତ ହୋଇ ନିନ୍ଦା କରୁଛନ୍ତି ମୁଖେ,
ପାଖକୁ ଗଲେ ଆଡ଼ ହୋଇ ପଳାନ୍ତି ତିନି ଭୁବନର ଲୋକେ ।
ଦୂରୁ ଦେଖିଲେ ବୋବି ମାରୁଅଛନ୍ତି କରୁଛନ୍ତି ଉପହାସ,
ବାବା ମାତା ଯୂଥ ଯୂଥ ଫେରୁଛନ୍ତି ଦେଖ କେବଣ ଭବିଷ ।
ଗତି ମୁକତି ନାହିଁନା ଏହାଙ୍କର ଗଲେ ଏ ସମସ୍ତେ ଭାସି,
ପିତୃ ଦେବତା ଇଷ୍ଟବନ୍ଧୁ ଚାହିଁଲେ କଣ୍ଠେ ଲଗାଇଲେ ଫାଶି ।
ଦେବୀ ଦେବତା ବ୍ରହ୍ମା ବିଷ୍ଣୁ ଶିବଙ୍କୁ ନିନ୍ଦା କରି ଗର୍ବ ବାକ୍ୟେ,
ପାଗଳ ଅଟନ୍ତି କିଛି ନ ଜାଣନ୍ତି ବଡ଼ ଅବିବେକ ଲୋକେ ।
ଏକୂଳେ ସେ କୂଳେ କାହିଁରେ ନୋହିଲେ ମଧ୍ୟରେ ଗଲେଣି ବୁଡ଼ି,
ଧନ ସମ୍ପଦ ଦାରାସୁତଙ୍କୁ ତେଜି ପଳାଉ ଅଛନ୍ତି ଛାଡ଼ି ।
ଗାଧୈବା ଖାଇବା ଦି କଥା ଜାଣନ୍ତି ଆଉ ନ ଜାଣନ୍ତି କିଛି,
ବେଦ ଶହାସ୍ର ବଚନ ନ ମାନନ୍ତି ପକାଉଅଛନ୍ତି ଲେଛି ।
ଦେବୀ ଦେବତା କାହାକୁ ନ ମାନନ୍ତି ଆବର ଦାରୁ ପ୍ରତିମା,
ତୁଳସୀ ପତ୍ର ଖାଅ ବୋଲି ବୋଇଲେ ଆଣ ତ ଶିରେ ମୂତିବା ।
ଗୀତା ଭାବେତ ପଢ଼ି ବୋଲୁଛନ୍ତି ତା ପରେ ଥୁଅନ୍ତି ଗୋଡ଼,
ମହିମା ଭଜା ଲୋକ ଏମନ୍ତ ଭାବ ଅଜ୍ଞାନ ପାମର ମୂଢ଼ ।
ଏହା କହୁଛନ୍ତି ତିନି ଭୁବନରେ କି ବୁଦ୍ଧି କରିବୁ ଆମ୍ଭେ,
ମହାପୁରୁଷ ଅଲେଖ ଶୂନ୍ୟବାସୀ ବିଚାରଣା କର ତୁମ୍ଭେ ।
କେହି ନାହିଁ ସହୁଅଛନ୍ତି ଆମ୍ଭଙ୍କୁ କେମନ୍ତେ ବୁଦ୍ଧି କରିବୁଁ,
ଅନ୍ତର୍ଯ୍ୟାମୀ ପ୍ରଭୁ ଜାଣି ଦୟାକର ଯେଉଁ ପ୍ରକାରେ ରହିବୁଁ ।
ସ୍ୱର୍ଗେ ମର୍ତ୍ତ୍ୟେ ପାତାଳେ ଠାବ ନାହିଁନା ଯହିଁ ଗଲେ କଲେ ନିନ୍ଦା,
ଅଲେଖ ଏକ ପାଦେ ପିଣ୍ଡ ପରାଣ ଯେଉଁ ଦିନୁ ହେଲା ବନ୍ଧା ।
ନରଲୋକେ ବୋଲୁଛନ୍ତି ଆମ୍ଭ କର୍ମ ଛାଡ଼ି ଅନ୍ୟ କର୍ମ କଲେ,
ପିତୃ ପିତାମହ ଯାଇନାହିଁ ଯହିଁ ସେହି ମାର୍ଗରେ ଚଳିଲେ ।
ଭୋଗ ପରସାଦ ନ ଖାଇଲେ ଯେବେ ସେ କାହିଁ ଆମ୍ଭର ସଙ୍ଗ,
ତାଙ୍କ ଆମ୍ଭ ପନ୍ଥା ଏକାନ୍ତ ନୋହିଲା ପୀରତି ତ ହେଲା ଭଙ୍ଗ ।
ମହିମା ବୋଲିବା ବେଦଶାସ୍ତ୍ରେ ନାହିଁ କର୍ଣ୍ଣରେ ନ ଥିଲ ଶୁଣା,
ଏବେ ଏହି ଦୀକ୍ଷା କାହିଁରୁ ଅଇଲା ହେଉଅଛୁ ଆମ୍ଭେ ବଣା ।
ମରିଯିବୁ ପଛେ ମହିମା ନ ଭଜୁ କେ ପାରେ ପ୍ରାତରୁ ଗାଧି,
ଦିବସେ ଖାଇ ଉଦେ ଅସ୍ତେ ଦର୍ଶନ କେ ହୋଇବ ଏତେ ସାଧି ।
ସପତ ପୁରୁଷ ଯହିଁ ଯାଇଛନ୍ତି ସେହି ବାଟେ ଆମ୍ଭେ ଯିବୁ,
ଜାତି ଗୋତ୍ର ବୁଡ଼ୁଅଛି ଏ ଧର୍ମରେ କିମ୍ପା ମହିମା ଭଜିବୁ ।
ସୁରଲୋକେ ବୋଲୁଛନ୍ତି ଆମ୍ଭ ସ୍ଥାନ ଛଡ଼ାଇ ବସିବେ ମାଡ଼ି,
ତପସ୍ୟା ଦେଖି ଆମ୍ଭ ଦେହ ନ ସହେ ବିଘ୍ନକର ଯାନ୍ତୁ ଛାଡ଼ି ।
ତପୋବନ୍ତ ହେବେ ଇନ୍ଦ୍ରପଦ ନେବେ ପଶିବେ ସୁର ଭୁବନେ
ଅଇଶୁର୍ଯ୍ୟ ଭୋଗ ସମସ୍ତେ ଭୁଞ୍ଜିବେ ବସିବେ ଶୂନ୍ୟ ବିମାନେ ।
ନିରନ୍ତରେ ସଙ୍ଗେ ସଙ୍ଗେ ଲାଗିଥାଅ ରଞ୍ଜୁ ଥାଅ ନଟକୂଟ,
ଅତି ଯତ୍ନ କରି ମାୟାରେ ପକାଅ ବ୍ରହ୍ମକୁ ନ ପାନ୍ତୁ ଭେଟ ।
କୌଣସି ପ୍ରକାରେ ବୁଝାମଣା ହେଉ କରୁଅଛୁ ପ୍ରତିଆଶା,
କହେ ଭୀମଭୋଇ ଗୁରୁପଦ ଧ୍ୟାୟି ପଡ଼ୁଛି ବହୁତ ଦଶା ।