53 . ତ୍ରିପଞ୍ଚାଶତ ବୋଲି

ଉଇକିପାଠାଗାର‌ରୁ
ତ୍ରିପଞ୍ଚାଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ତ୍ରିପଞ୍ଚାଶତ୍ ବୋଲି

ତ୍ରିପଞ୍ଚାଶତ୍ ବୋଲି

 
ବ୍ରହ୍ମାଗଣମାନେ ବିଘ୍ନ କରୁଛନ୍ତି ବେଦବାକ୍ୟ ନିନ୍ଦା କଲେ,
ଅଲେଖ ଧର୍ମରେ ସବୁ କାଟଗଲା ବୋଲି ମୁଁ କାର ବହିଲେ ।
ଆମ୍ଭର ବଚନ ଉଠାଇ ଦେଇଣ ନିର୍ବେଦ କଲେ ସ୍ଥାପନ,
ଚାରି ଯୁଗେ ବେଦବାକ୍ୟର ଘଟଣା ତାହା କେ କରିବ ଆନ ।
ବେଦ ଶାହସ୍ର ବାକ୍ୟକୁ ଛାଡ଼ି ଦେଇ ଅକର୍ମେ କଲେ ଭଗତି,
ବେଦବାକ୍ୟରେ ଯାହା କରଣି ଥିଲା ପାତାଳରେ ଦେଲେ ପୋତି ।
ଏଣୁକରି ଆମ୍ଭ ଦେହ ସହୁ ନାହିଁ ନିନ୍ଦା କରୁଥାଅ ନିତି,
ନିର୍ବେଦ ଧର୍ମ ଯେଉଁରୂପେ କଟିବ ତୁଟିବ ସେବା ଭଗତି ।
ବ୍ରହ୍ମଗଣ ବ୍ରହ୍ମାଣ୍ଡରେ ପୂରିଛନ୍ତି ବ୍ରାହ୍ମଣ ସ୍ୱରୂପ ହୋଇ,
ବ୍ରହ୍ମ ଚଣ୍ଡାଳ ସମସ୍ତେ ହୋଇଗଲେ ଜନମ ତ ଗଲା ବହି ।
ମନ୍ତ୍ର ଯନ୍ତ୍ର ତନ୍ତ୍ର ସୂତ୍ର ହୋମ ଯଜ୍ଞ ବେଦାନ୍ତ କରମ ଯେତେ,
ଧର୍ମ ଉଦେ ହ୍ୱନ୍ତେ ସର୍ବେ ନାଶ ଗଲେ ସିଦ୍ଧ ବଚନ ସହିତେ ।
ଏଣୁକରି ତୁମ୍ଭେ ମହିମଭଜଙ୍କୁ ସୁଖ ପାଅ ନାହିଁ କେହି ।
ଯହିଁ ଦେଖ ତହିଁ ମୁଖେ ନିନ୍ଦା କର ହେତୁ ବେଦବାକ୍ୟ ଦ୍ରୋହୀ ।
ଏହା ବୋଲୁଛନ୍ତି ବ୍ରହ୍ମଗଣମାନେ କି ବୁଦ୍ଧି କରିବୁ ଆମ୍ଭେ,
ଦିବସ ରଜନୀ ଭାଳେଣି ପଡ଼ିଛି ପ୍ରାଣ ରହୁ ନାହିଁ ଦମ୍ଭେ ।
ରୁଦ୍ରଗଣମାନେ ବୋଲୁଛନ୍ତି ପ୍ରଭୁ କର ଏହାଙ୍କୁ କଟାଳ,
ଚିତା ପଇତାମାନଙ୍କୁ ନିନ୍ଦା କଲେ ନାହିଁ ରଖିଲେ ମଙ୍ଗଳ ।
ଜଟା ବିଭୂତି କର୍ଣ୍ଣ ତାଟ ମୁଦୁରା ଜପ ତପ ନିନ୍ଦା କଲେ,
ରୁଦ୍ରକୁଳେ ବେଶ ଭୂଷଣାଦି ଯେତେ ହାସ୍ୟରେ ଉଡ଼ାଇ ଦେଲେ ।
ଶିବଲିଙ୍ଗମାନ ଯେଉଁ ସ୍ଥାନେ ଛନ୍ତି ତାଙ୍କୁ ବୋଇଲେ ପଥର,
ରୁଦ୍ର ଭଗତି ଅଳପ ଦୀକ୍ଷା ଅଟେ ବିଅର୍ଥେ ଭ୍ରମି ନ ମର ।
ତେଣୁ ସେ ଏହାଙ୍କୁ ରୁଦ୍ର ବିଘ୍ନ ପଡ଼ୁ ନୁହନ୍ତି ମତି ଭଗତି,
ଅନେକ ମାୟା ମୋହରେ ଭ୍ରମି ହ୍ୱନ୍ତି ନ ମିଳୁ ଗତି ମୁକତି ।
ରୁଦ୍ରଗଣମାନେ ଏମନ୍ତ ବିଚାରି କରୁଛନ୍ତି ବହୁମାୟା,
ବିଷୟାରେ ଆମ୍ଭେ ଭାସି ଯାଉଅଛୁଁ ନ ବୁଝିଲେ ଗୁରୁ ଏହା ।
ନାଗଗଣମାନେ ବିଘ୍ନ କରୁଛନ୍ତି ଦନ୍ତଘାତରେ ବିଚାର,
ପାତାଳ ବିମ୍ବରୁ ବାହାର ହୋଇଣ ପବନ ତୋଳି ପ୍ରଖର ।
ନିଷ୍କାମ ଧର୍ମ ଲୋକଙ୍କୁ ଘାତ କର ଘୋଟିବ ନାହିଁ କି ବିଷ,
ବିଷ ନ କାଟିଲେ ତେବେ ସେ ଜାଣିବା ଅଲେଖବ୍ରହ୍ମର ଶିଷ୍ୟ ।
ନାଗଲୋକମାନେ ଏମନ୍ତ ବିଚାରି ବହିଛନ୍ତି ମନେ ରୋଷ,
ଦୟା କରି ଆମ୍ଭ ପିଣ୍ଡ ପ୍ରାଣ ରଖ ପ୍ରଭୁ ଅଲେଖ ପୁରୁଷ ।
ଦିବସ ରଜନୀ ପଥ ଚାଲିବାକୁ ହେଉଛି ଚିତ୍ତରେ ଭୟ,
ସର୍ବ ବିପତ୍ତିରୁ ବଞ୍ଚାଇଣ ରଖ ଅଣାକାର ବ୍ରହ୍ମମୟ ।
ସହସ୍ରେକ ବାର ଚରଣେ ଶରଣ ତ୍ରାହି ତ୍ରାହି ରଖ ରଖ,
ଗୁରୁପାଦ ସେବି ବିଅର୍ଥ ହେଉଛି ନିବାର ଭୃତ୍ୟଙ୍କ ଦୁଃଖ ।
କଳିଯୁଗ ଆସି ବାକି ରହିଲାଣି ଡରୁଅଛି ପଞ୍ଚୁପ୍ରାଣ,
ଶରଣପଞ୍ଜର ବାନା ବହିଅଛ ରଖ ଆରତଭଞ୍ଜନ ।
ଅତି ଆତଙ୍କରେ ଜଣାଣ କରୁଛ କର୍ଣ୍ଣେ ଶୁଣୁଛ କି ନାହିଁ,
ଗୁରୁପାଦ ଧ୍ୟାୟି ଭଣେ ଭୀମଭୋଇ ଛାମୁରେ କାକୁସ୍ଥ ହୋଇ ।