54 . ଚତୁଃପଞ୍ଚାଶତ ବୋଲି
ଚତୁଃପଞ୍ଚାଶତ୍ ବୋଲି
ନରଲୋକ ହୃଦେ ଯୋଗମାୟା ପଶି କରୁଅଛି ନାନା ଛନ୍ଦ,
ଥରକୁ ଥର ବିପତ୍ତି ପଡ଼ୁଅଛି ସେବିଥାଅ ପାଦବିନ୍ଦ ।
ଦାନବଙ୍କ ହୃଦେ ଦେବଗଣ ପଶି ଲଗାଉଛନ୍ତି ଅରିଷ୍ଟି,
ଏତେଦିନ ବହି ଗଲାଣି ସଂସାରେ ପାତକ ଧାରା ନ ତୁଟି ।
ଆଚାରିଙ୍କ ହୃଦେ ସୁରଗଣ ପଶି କରାଉଅଛନ୍ତି ଭ୍ରମ,
କଳିଯୁଗ ଶେଷ ହୋଇଲାଣି ଆସି ନ ଜାଣି ମହିମା ଧର୍ମ ।
ବ୍ରାହ୍ମଣଙ୍କ ହୃଦେ ବ୍ରହ୍ମଗଣ ପଶି କରୁଛନ୍ତି ଖଳବଳ,
ବେଦପତି ବ୍ରହ୍ମା ଭେଦ ନ ଜାଣଇ ଅଜ୍ଞାନ ମତ୍ତ ସକଳ ।
ରାଜାଙ୍କର ହୃଦେ ବ୍ରହ୍ମଗଣେ ପଶି କରୁଅଛନ୍ତି ଅଜ୍ଞାନ,
ବଡ଼ପଣ ପାଇଁ ମୂଢ଼ ହୋଇଲେଣି ନ ଗଣନ୍ତି ନ୍ୟାୟମାନ ।
ବୈଷ୍ଣବଙ୍କ ହୃଦେ ରୁଦ୍ରଗଣ ପଶି କରାଉଅଛନ୍ତି ମୋହ,
ନିଷ୍କାମ ନାମ ବ୍ରହ୍ମ ନିନ୍ଦା କରିଣ ଅର୍ଜି ସାରିଲେଣି ଦ୍ରୋହ ।
ନାଗରଙ୍କ ହୃଦେ ଭୂତଗଣ ପଶି କରାଉଅଛନ୍ତି ରୋଷ,
ଏହି ସପ୍ତକୁଳ ହୃଦୟ-ପଦ୍ମରେ ପଶିଛି ପାପ ପୁରୁଷ ।
ତ୍ରିପୁର ଅସତ୍ୟ ଅଜ୍ଞାନ ହେଲାଣି କାହାରି ନାହିଁ ନା ହେତୁ,
ସନ୍ଥ ସାଗରକୁ ଅହନ୍ତା କରିଣ ହୋଇଲେଣି ସର୍ବେ ଶତ୍ରୁ ।
ବସିଲା ଠାବରୁ ପାଦ ନ ଚଳିଲେ ଅଚିନ୍ତା ରହିବ କାହିଁ,
ଏତେ ଦିନ ବହି ଗଲାଣି ସଂସାରେ ବୁଝାମଣା କଲ ନାହିଁ ।
ଛପନା କୋଟିରେ ସକଳ ଶରୀରେ ଘୋଟିଲାଣି ପାପପଙ୍କ,
କଳି ପୁରୁଷ ସମସ୍ତେ ମୂର୍ଖ ହେଲେ କି କହିବି ମୁଁ ଅଧିକ ।
ଧର୍ମ ଉଦେ ଦିନୁ ବତାଇ କହିଲି ଗୁରୁ ନାମ ହୃଦେ ଘୋଷ,
ଯେତେ ବତାଇଲେ ବିଶ୍ୱାସ ନ ଗଲେ ନାହିଁ ମୋର କିଛି ଦୋଷ ।
ଦିନୁ ଦିନୁ ମହା ଅନର୍ଥ ହେଲାଣି ଥୟ ନ ରହୁଛି ଦେଖ,
ବ୍ରହ୍ମ ନିନ୍ଦାକରି ମେଳଛ ହେଲେଣି ତିନି ଭୁବନର ଲୋକ ।
ବ୍ରହ୍ମ ସେବାକରି ବ୍ରହ୍ମରୁ ଚଣ୍ଡାଳ ହୋଇଲେଣି ଆପ ସୁଖେ,
ସତ୍ୟ ଆଶ୍ରେକରି ସୁକୃତକୁ ଧରି ନିନ୍ଦା କରୁଛନ୍ତି ମୁଖେ ।
ମିଛଠାରୁ ବଡ଼ ପାତକ ନାହିଁ ନା ଦାନ ଧ୍ୟାନରେ ନ ପୋଡ଼େ,
ଅତି ଅପ୍ରମଏ ଅସତ୍ୟ କହିଲେ କୁଳ ସନ୍ତାନ ହିଁ ବୁଡ଼େ ।
ଦୁଲଭ ତନୁରେ ମିଥ୍ୟା କହିବାର ବହୁତ ଏ ଅସମ୍ଭବ,
କଲା କର୍ମମାନ ଧନ ଦ୍ରବ୍ୟମାନ କେହୁ ବାଣ୍ଟି ଭାଗ ନେବ ।
ଅସତ୍ୟ ପାପକୁ ସମସ୍ତେ ଡରନ୍ତି ତିନିପୁରେ ନୁହେ ଥୋଇ,
ଚଉଦିଗରେ ସିନ୍ଧୁ ପ୍ରାଏ ପୂରିଲେ ରସାନ୍ତଳେ ପଡ଼େ ମହୀ ।
ଯମ ଯାତନା ପଥକୁ ଯୋଗ୍ୟ ହୁଏ ଅନେକ ଯୋନିରେ ଜାତ,
ଜୀବ ଥାଉଁ ମଲା ସମାନରେ ସରି ସୁକୃତ ହୁଅଇ ହତ ।
ସଂସାର ସାଗରେ ଜନମ ଲଭିଲେ ଗୁରୁପାଦେ ସେବା ଭଲ,
ରଜବୀର୍ଯ୍ୟ ପିଣ୍ଡ କେତେକ ମାତର ନ ରହଇ ଚିରକାଳ ।
ମନୁଷ୍ୟଶରୀର ପାଇ କରି ଯିବ ସତ୍ୟ ଉଚ୍ଚାରିବା ଚାହିଁ,
ସତ୍ୟଟି ସନ୍ଥ ସାଗର ସାଧୁ ଅଟେ ବେଦଶାସ୍ତ୍ରେ ଛନ୍ତି କହି ।
କଳିଯୁଗୁଁ ମୁଁ କେମନ୍ତେ ପାର ହେବି ମାଡ଼ୁଛି ମନରେ ଭୟ,
ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଅଚିନ୍ତା ଠାବରେ ଥୁଅ ।