57 . ସପ୍ତପଞ୍ଚାଶତ ବୋଲି
ସପ୍ତପଞ୍ଚାଶତ୍ ବୋଲି
ସୁଜନ ପଣ୍ଡିତ ସାଧୁ ସେବା କର ଅନ୍ୟରେ ନାହିଁ ନା ଗତି,
ଗୁରୁ ନ ସେବିଲେ ଉଧାରଣ ନୁହେ ଆଉ ଯେତେ ଫଳଶ୍ରୁତି ।
ଜପ ତପ ଦାନ ଧ୍ୟାନ ତୀର୍ଥ ବ୍ରତ ଏ ଅଟେ ସମୂହ ପୁଣ୍ୟ,
ବୃକ୍ଷ କୀରତି ବାମ୍ଫି ଦେଉଳ ଧର୍ମ ଏମାନ ନୁହେ ସମାନ ।
ଜଗତୀ ଅଟାଳି ମେଢ଼ ମଣ୍ଡପରେ ଲଭିବ ବୋଲି ମୁକତି,
ଦାରୁ ପ୍ରତିମା ସ୍ଥାପନା ମୂର୍ତ୍ତି ଯେତେ ଏ ନୁହଇ ସଦଗତି ।
ଯଶ ପଉରୁଷ କର୍ମ ସିନା ଏହି ଅଳପ ନାମ ଶକତି,
ଏମାନେ ବହୁତ ଦିନ ନ ରହନ୍ତି କିଛି ଦିନେ ହୁଏ ପୋତି ।
ଗୁରୁସେବା ଧର୍ମ ଚାରିଯୁଗେ ରହେ କ୍ଷୟ ବୃଦ୍ଧି କେବେ ନୁହେ,
ସେବା ମଧ୍ୟରେ ପ୍ରଧାନ ଅଟେ ସେହୁ ଶତେ ପୁରୁଷର ଯାଏ ।
ଗୁରୁ ସେବା ଫଳ ଶତେକ ପୁରୁଷ ଖାଇ ବୋହିଲେ ନ ସରେ,
ଗୁରୁ ଭଗତିରେ ଅପାର ମହିମା ଅଶେଷ ଦୁରିତ ହରେ ।
ଗୁରୁ ସେବା ଫଳେ ରୋଗ ବ୍ୟାଧି ନାହିଁ ଆଉ ଫଳେ ଅଛି ରୋଗ,
ନିଷ୍କାମ ଫଳ ସେ ସତ୍ୟଫଳ ଫଳେ ନିଶ୍ଚିନ୍ତେ ହୁଅଇ ଭୋଗ ।
ଗୁରୁସେବାରେ ଦାରା ସମ୍ପଦ ମିଳେ ଆବର ପୁତ୍ର ପଉତ୍ରୀ,
ଅନ୍ନ ବସ୍ତ୍ର ଗୋପ ଲକ୍ଷ୍ମୀ ପରାପତ ବର୍ଦ୍ଧିତ ହୁଏ ସମ୍ପତ୍ତି ।
ଗୁରୁସେବା କଲା ଲୋକ ହିଁ ସଭାରେ ପାନ୍ତି ଧନ୍ୟ ଧନ୍ୟ ପଦ,
ଦେବ ମାନବ ସଭା ରାଜସଭାରେ ନ ଥାଇ ସଂଶୟ ଭେଦ ।
ଗୁରୁସେବା କଲେ ଆୟୁଷ ବଢ଼ଇ ଦିଶଇ ବହୁତ ବୁଦ୍ଧି,
ଗୀତା ଅର୍ଥ ଜ୍ଞାନ ସମ୍ପଦମାନ ଯେ ସାଧଇ ସକଳ ସିଦ୍ଧି ।
ଗୁରୁସେବା କଲେ ପଣ୍ଡିତ ହୁଅଇ ସକଳଠାରେ ବକତା,
ହୃଦୟ ପଦ୍ମରେ ଆଗକୁ ପଛକୁ ନ ଥାଇ ସଂଶୟ ଚିନ୍ତା ।
ଗୁରୁସେବା କଲା ପ୍ରାଣୀଙ୍କ ଅଙ୍ଗରେ ବିଷ୍ଣୁରୂପ ପରକାଶ,
ଅଗ୍ନିକାନ୍ତି ପ୍ରାୟ ଦିଶୁଥାଇ କାୟ ଅନ୍ତେ ବଇକୁଣ୍ଠ ବାସ ।
ଗୁରୁସେବା ଲୋକ ନିର୍ମଳ ମରଣ ନ ଯାନ୍ତି ଯମର କତି,
କାଳଗଣ ତାକୁ ପ୍ରାଣରେ ଡରନ୍ତି ନ ଦେଇ ପାରନ୍ତି ଶାସ୍ତି ।
ସାଧୁ ସୁଜ୍ଞଜନ ଗୁରୁସେବା କର ପଥଶ୍ରମ ନୁହେ ଚିତ୍ତେ,
କରପତ୍ର ଯୋଡ଼ି ବିନୟ ହେଉଛି ବୁଝାଇ କହୁଛି ଏତେ ।
ମୋର ବିଚାରକୁ ଯାହା ଦିଶୁଅଛି ଗୁରୁସେବା ଧର୍ମ ସାର,
କିଛି ହିଁ ନ କଲେ ଗୁରୁ ସେବା ଧର୍ମ ପାରୁଅଛ ଯେବେ କର ।
ଆଉ କର୍ମମାନ ବହୁତ ଅଡ଼ୁଆ ଗୁରୁ ଭଗତି ଉଶ୍ୱାସ,
ବୁଝି ଯେବେ ପାର ମେରୁ ଗିରି ପ୍ରାଏ କୋଟିଏ ନାଗର ବିଷ ।
ନ ଚିହ୍ନି ସେବିଲେ ଦ୍ରୋହ ଘଟୁଅଛି ଅପରାଧ ହେବା କଥା,
ପଚିଶ ପକୃତିର କିସ ଯାଉଛି ଆତ୍ମାକୁ ମିଳୁଛି ବ୍ୟଥା ।
ଆତ୍ମା ଲିଙ୍ଗଠାରେ ପଚିଶ ପ୍ରକୃତି ଖଟିଥାନ୍ତି ନିତି ନିତି,
ନିୟତ ବେଳକୁ ସର୍ବେ ଛାଡ଼ି ଯାନ୍ତି ଜୀବ ପାଉଥାଇ ଶାସ୍ତି ।
ପିଣ୍ଡ ବ୍ରହ୍ମାଣ୍ଡରେ ହାନି ଲାଭଠାରେ କେହି ନୁହନ୍ତି କାହାର,
ଘଟ ଗଲା ବେଳେ ସମସ୍ତେ ଅନ୍ତର ହୋଇ ଯାଆନ୍ତି ବାହାର ।
ତିନିପୁର ମଧ୍ୟେ ଯାହା ମୁଁ ଦେଖିଲି ସକଳ ଅଟଇ ମିଥ୍ୟା,
ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ଗୁରୁଭକ୍ତି ଏକା ସଚ୍ଚା ।