58 . ଅଷ୍ଟପଞ୍ଚାଶତ ବୋଲି

ଉଇକିପାଠାଗାର‌ରୁ
ଅଷ୍ଟପଞ୍ଚାଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ଅଷ୍ଟପଞ୍ଚାଶତ୍ ବୋଲି

ଅଷ୍ଟପଞ୍ଚାଶତ୍ ବୋଲି

 
ଦିନୁ ଦିନୁ କାଳ ଘୋଟି ଆସିଲାଣି ପିଣ୍ଡ ବ୍ରହ୍ମାଣ୍ଡ ଆବୋରି,
ପୃଥୀ ନବ ଖଣ୍ଡ ଅଶେଷ ବ୍ରହ୍ମାଣ୍ଡ ଛପନା କୋଟିକି ଧରି ।
କୌଣସି ଠାବରେ ସତ୍ୟ ଧର୍ମ ନାହିଁ ଆକାଶେ ଗଲେଣି ଉଠି,
ଧର୍ମହୀନ ହୋଇଲାଣି ଏ ସଂସାର ଜାତ ହେଲାଣି ଅରିଷ୍ଟି ।
ଠାବଠାବରେ ଅନର୍ଥ ହୋଇଲାଣି ଜୀବଠାରେ ଜୀବହିଂସା,
ଷୋଳ ବିଶ୍ୱାରୁ ଅଧିକ ବଢ଼ିଲାଣି ହେଲାଣି ସତର ବିଶ୍ୱା ।
ଘରେ ଘରେ ଦ୍ୱନ୍ଦ୍ୱ ଜଣେ ମନ୍ଦ ପୀଡ଼ିତ ଅଜ୍ଞାନ ଲତା,
ଅଦଭୁତ ଯେ ଅକାଳ ଚଡ଼କକୁ ମଣୁଛି ଆଶ୍ଚର୍ଯ୍ୟ କଥା ।
ଆଚମ୍ବିତ ଲାଗୁଅଛି ମୋ ମନକୁ ଭୂତ ଭବିଷ୍ୟତ ଜାଣି,
ସଂସାରେ ଥାଇ କେବଣ ଦୋଷ କଲି ଧର୍ମାଦି ଆଶ୍ରିତ ପ୍ରାଣୀ ।
ସତ୍ୟ ଧର୍ମ ବିନୁ କିଛି ନ ଜାଣଇ ପାପ ପୁଣ୍ୟ ଭଲ ମନ୍ଦ,
ବସି ଦିବା ନିଶି ଘୋଷି ଅହର୍ନିଶି ଶ୍ରୀଗୁରୁ ଚରଣାବିନ୍ଦ ।
ଗୁରୁ ପାଦ ବିନୁ ନ ଦିଶଇ ମୋତେ ବଡ଼ ହୋଇ ଯେତେ ଦ୍ରବ୍ୟ,
ମୁହିଁ ବିଚାରୁଛି ମୋହର ମନରେ ଗୁରୁ ପାଦପଦ୍ମ ସର୍ବ ।
ଶରଣ ସମ୍ଭାଳି ରଖ ମହାବାହୁ ଅନ୍ୟରେ ମୋ ରକ୍ଷା ନାହିଁ,
କାହିଁରେ ନ ଲାଗି ନିକଳଙ୍କେ ଥିବି ଏହା ମାଗୁଅଛି ମୁହିଁ ।
ଦାନ୍ତକୁ କାମୁଡ଼ି କେତେ ମୁଁ ସହିବି ଏ କଳି ଯୁଗର ଦଶା,
କେତେ ଦିବସେ ସତ୍ୟଯୁଗ ହୋଇବ ମନେ କରି ପ୍ରତିଆଶା ।
ନର ଦେହ ବହି ଏ ମାୟା ସଂସାରେ କେ ସମ୍ଭାଳିବ ପ୍ରକୃତି,
ବାହ୍ୟକୁ ନ ଫୁଟି ମନର ଭିତରେ ଘୃଣା କରୁଅଛି ନିତି ।
ଗୁରୁଙ୍କର ହାନି ଲାଭ ଗୁରୁ ପା’ନ୍ତୁ ମୋହର ନାହିଁ ଭରସା,
ଏତିକି ମାଗୁଛି ଅନ୍ୟ ନ ମାଗଇ ଚରଣରେ ଥାଉ ଆଶା ।
ଗୁରୁଙ୍କର ସିନା ଏ ପିଣ୍ଡ ବ୍ରହ୍ମାଣ୍ଡ ଆପଣ ଆପେ ବୁଝିବ,
ଏତିକି ମାତ୍ରକ ଜଣାଉଛି ମୁହିଁ ଜୀବକୁ ସୁଦୟା ଥିବ ।
ମାୟ ଦଣ୍ଡେ ମୋତେ କିମ୍ପା ପକାଇଲୁ ରକ୍ଷା କର ପ୍ରଭୁ ତୁହି,
ମୋହ ବୁଝିବାକୁ ଶକତି ନୁହଇ ନ ପାରଇ ଆଜ୍ଞା ଦେଇ ।
ଆଜ୍ଞାପଦ ଯେହୁ ଗୁରୁଙ୍କର ସିନା ବ୍ରହ୍ମ ଶକତିରୁ ଜାତ,
ମୋତେ ବୋଲୁଛ ଏ ବ୍ରହ୍ମାଣ୍ଡ ବୁଝିବୁ ମୋର କେବଳ ଶକତ ।
ଧ୍ୟାନ ଯୋଗବଳେ ଗୁରୁଙ୍କ ରୂପକୁ ବନ୍ଦନା କରି ନ ଜାଣେ,
ଦର୍ଶନ ବେଳରେ କିସ ମୁଁ ବୋଲଇ ଗୋଚର ନ ଥାଇ ମନେ ।
ଅକଳ୍ପଣା ଗୁରୁ ଆଶ୍ରୟ କରି ମୁଁ ହେଉଛି ହୃଦରେ ଶଙ୍କା,
ପାପପୁଣ୍ୟ ବେନି ମତ ପଚାରନ୍ତେ ମନରେ ପଶୁଛି ଦକା ।
ଥରହର ହେଉଅଛି ପିଣ୍ଡ ପ୍ରାଣ କ୍ଷଣେ ନ ରହୁଛି ଦମ୍ଭେ,
ଅଲେଖ ପ୍ରଭୁ ଅଣାକର ଠାକୁର ଥାଇ ଧର୍ମନାବ ମଙ୍ଗେ ।
ସଂସାର ସାଗରୁ କିରୂପେ ତରିବି ନ ଦିଶଇ ବୁଦ୍ଧି ବାଟ,
ନଟକୂଟିଆ ବନ୍ଧନରେ ପଡ଼ିଛି ହେଉଅଛି ଛଟପଟ ।
ତ୍ରାହି ତ୍ରାହି ବୋଲି ଆତଙ୍କେ ଡାକୁଛି ଡୁବି ଭବସିନ୍ଧୁ ଜଳେ,
ସୁସ୍ୱାଦ ଲୋଭରେ ବନ୍ଦୀ ପଡ଼ିଅଛି ପଚିଶ ପ୍ରକୃତି ଫଳେ ।
କାହିଁ ମୁଁ ଆସିଲି ବିଅର୍ଥେ ଭାସିଲି ରକ୍ଷା କର ପ୍ରାଣ ପିଣ୍ଡ,
କହେ ଭୀମ ଭୋଇ ଗୁରୁ ପାଦ ଧ୍ୟାୟି କଚାଡ଼ି ହେଉଛି ମୁଣ୍ଡ ।