60 . ଷଷ୍ଠୀ ବୋଲି

ଉଇକିପାଠାଗାର‌ରୁ
ଷଷ୍ଠୀ ବୋଲି ଲେଖକ/କବି: ଭୀମ ଭୋଇ
ଷଷ୍ଠୀ ବୋଲି

ଷଷ୍ଠୀ ବୋଲି

 
ଅଜ୍ଞାନରେ ମୁହିଁ ଭ୍ରମି ଯାଉଅଛି ଜ୍ଞାନଗୁରୁ ବ୍ରହ୍ମ ଥାଇ,
ଅଚଳ ଶକତି ଅକ୍ଷୟ ପାଦକୁ ନ ପାରୁଅଛି ମୁଁ ଧ୍ୟାୟି ।
ଅଚେତାରେ ବୁଡ଼ି ଶ୍ରୋତା ବୁଡ଼ାଉଛି ଚେତାବନ୍ତ ପ୍ରଭୁ ଥାନ୍ତେ,
କେମନ୍ତେ ଆସିଲ କାହିଁ ମୁଁ ପଶିଲି ଜଣା ନ ପଡ଼ୁଛି ମୋତେ ।
ଭୂତାଶ୍ରମ ହୋଇ ଭିତରେ ପଶିଛି ଭୂତି ପ୍ରାୟ ବୁଦ୍ଧିକରି,
ସତ୍ୟବନ୍ତ ପ୍ରଭୁ ସଂସାରରେ ଥାଇ ସାକ୍ଷାତରେ ଯିବି ସରି ।
ଛବିକି ଦେଖି ଛପନାରେ ପଡ଼ିଛି ଛଟପଟ ହେଉଅଛି,
ମାୟାଧର ପ୍ରଭୁ ମହତ୍ତ୍ୱ ରଖାଅ ମର୍ଯ୍ୟାଦା ସରି ଯାଉଛି ।
ଭକୁଆ ପରାଏ ଭୁକି ମରୁଅଛି ଗଞ୍ଜି ହୋଇ ଭବକୂପେ,
ଖଣାରେ ପଡ଼ି ମୁଁ ବଣା ହେଉଅଛି କଣା ମନୁଷ୍ୟର ରୂପେ ।
ପଶୁପ୍ରାୟ ହୋଇ ପଶି ଘୋରବନେ ନଶୁଛି ମୋହରି ସୁଖେ,
ତତ୍ତ୍ୱ ନ କରି ସତ୍ୟକୁ ଛାଡ଼ି ଦେଇ ପଶିଛି ଶାସ୍ତିର ମୁଖେ ।
ମୂରୁଖ ବୁଦ୍ଧିରେ ନିରେଖ ହେଉଛି ଅଲେଖ ଗୁରୁଙ୍କୁ ଛାଡ଼ି,
କଳଙ୍କ ଲାଗନ୍ତେ କାଳଗଣମାନେ ଆସି ବସୁଛନ୍ତି ମାଡ଼ି ।
ଉତୁପାତ ହୋଇ ନିପାତ କର୍ମରେ ପଡ଼ିବଇଁ ଅପ୍ରମିତେ,
କି ବୁଦ୍ଧି କରିବି କେଉଁ ପଥେ ଯିବି କାତର ଲାଗୁଛି ମତେ ।
ମୂଳ ଛାଡ଼ି ଦେଇ ଖାଲରେ ପଡ଼ିଲି ଡାଳକୁ ଧଇଲି ଆଣ୍ଟେ,
କଳିଯୁଗ ଆସି ଶେଷ ହୋଇଲାଣି ପ୍ରବେଶ ହୋଇ ନିକଟେ ।
ଥର ଥର ହେଉଅଛି ଗୁରୁଦେବ ଧର ଧର ଶ୍ରୀ ହସ୍ତରେ,
ହର ହର ମୋର କୋଟି ଜନ୍ମ ପାପ ଭର ଅଭୟ ପଞ୍ଜରେ ।
ଚିନ୍ତା କରି କରି ପିତା ଲାଗିଲାଣି ପିତା ରହୁନାହିଁ ମୋର,
ମନ୍ଦିରୁ ବାହାର ହୋଇ ଖରତର ଆରତ ମୁଁ ନିରନ୍ତର ।
ଗଲି ନିଶ୍ଚେ ଭାସି ମଲି ହୋଇ ଦୋଷୀ ସରିଲି ମୁଁ ନଟକୂଟେ,
ଅନନ୍ତ ବ୍ରହ୍ମକୁ ଅନାଇଁ ମୁଁ ଅଛି ଅନୁସରି ବଟପୁଟେ ।
କ୍ଷୀରସିନ୍ଧୁବାସୀ ବେଗି ବେଗି ଆସି ନାଶ କାଳ ବିପତ୍ତିକି,
ଲାଗିଅଛି ଫାଶ ଲୋଭରୁ ଏ ପାପ ଜଣାଉଅଛି ଏତିକି ।
ନରଦେହ ବହି ନର୍କରେ ପଡ଼ିଛି ନାଶଯିବା ପଥେ ଆସି,
ଏତେ ଦୁଃଖ ମୋ କେତେଦିନେ ଫେଡ଼ୁଛି ଶୂନ୍ୟ ବଇକୁଣ୍ଠବାସୀ ।
ତୁମ୍ଭଠାରୁ ପରା ବଡ଼ ପ୍ରଭୁ ନାହିଁ ଦୃଢ଼େ ଧରିଛି ମୁଁ ମୂଢ଼ା,
ଗୋଡ଼ ଦଉଡ଼ି ମୁଁ ମୁଣ୍ଡକୁ ଆଣିଛି ସୁଦର୍ଶନେ କାଟି ଛିଣ୍ଡା ।
ମାୟାରେ ମୁଁ ମଜ୍ଜି ହେଉଅଛି ଗଞ୍ଜି ଭୁଞ୍ଜୁଅଛି କର୍ମଯୋଗ,
ଅନ୍ତର୍ଯ୍ୟାମୀ ହୋଇ ନ ଜାଣ କି ପ୍ରଭୁ ଦେଇଅଛ ଯାହା ଭୋଗ ।
ମହିମା ସାଗର ମହାବ୍ରହ୍ମ ରୂପ କେତେ ଦିନେ ପ୍ରକାଶିବ,
କେଉଁ ସ୍ଥାନେ ତୁମ୍ଭେ ଉଦୟ ହୋଇବ ଏ ଜୀବକୁ ଦୟା ଥିବ ।
ଅନନ୍ତ ମହିମା ବଡ଼ାଇ ଗଭୀର ନ ଜାଣିବ ମୁହିଁ ଅବା,
ରଜ ବୀଜରେ ଏ ପିଣ୍ଡ ହୋଇଅଛି କେତେ ଦିନ ଯାଏ ଥିବା ।
ମହା ଦୁରୁଦଣ୍ଡ ପଡ଼ୁଅଛି ମୋତେ କମ୍ପୁଅଛି ମୋର କାଏ,
ବିଚାରି ଆସିଲେ ଏ କଳିକାଳକୁ ମାଡ଼ୁଅଛି ବଡ଼ ଭଏ ।
ବଇରାଗ ଧରେ ହୃଦୟ ପଦ୍ମରେ ବେନି ନେତ୍ରୁ ନୀର ପୋଛେ,
ଭଣେ ଭୀମ ଭୋଇ ବାରଶତ ପଦେ ରୋଦନ କରୁଛି ଉଚ୍ଚେ ।