64 . ଚଉଷଠୀ ବୋଲି

ଉଇକିପାଠାଗାର‌ରୁ
ଚଉଷଠୀ ବୋଲି ଲେଖକ/କବି: ଭୀମ ଭୋଇ
ଚଉଷଠୀ ବୋଲି

ଚଉଷଠୀ ବୋଲି

 
ସତ୍ୟ ଧର୍ମେ ମୋତେ ଜାତ କରିଛନ୍ତି ରବିତଳେ କଳିଯୁଗେ,
ଦିଗମ୍ବର ହୋଇ କାହୁଁ ମୁଁ ଲଭନ୍ତି ନ ଥାଆନ୍ତି ଯେବେ ପୂର୍ବେ ।
ଜନମ ଭୂମିରୁ କାଢ଼ିଆଣି ମୋତେ ବଇଷ୍ଣବ ଦୀକ୍ଷା ଦେଲେ,
ସାଧୁପଣେ ଥାଇ ଗୃହୀ ମୁଁ ହୋଇଲି କରତା ଏତକ କଲେ ।
ମୁହିଁ କି ବିଚାରିଥିଲି ମୋ ମନରେ କରିବି ଭାରିଜା ପୁତ୍ର,
ଗୁରୁ ସେବା କରି ନିଷ୍କାମରେ ଥିଲି ପାଇ ବ୍ରହ୍ମଜ୍ଞାନ ମନ୍ତ୍ର ।
ଜନମ ଧରିତ୍ରୀ ଛାଡ଼ି ପ୍ରାଣୀମାନେ ବଇଷ୍ଣବ ହୋଇଯାନ୍ତି,
କେଉଁ ବେଦଶାସ୍ତ୍ରେ ଶୁଣାଅଛି ଏହା ପୁତ୍ର ଭାରିଯା କରନ୍ତି ।
ଦିଗମ୍ବର ହୋଇ ଯେଉଁ ପ୍ରାଣୀମାନେ ଇଚ୍ଛନ୍ତି ସ୍ତିରୀ ସଙ୍ଗକୁ,
ତ୍ରିଭୁବନ ଲୋକେ ପତିତ ବୋଲାନ୍ତି ମଲା ସଙ୍ଗେ ଗଣି ତାକୁ ।
ସନ୍ୟାସ ଯେ ଧର୍ମ ନଷ୍ଟ ଯାଇ କର୍ମ ତାହା ତ ପ୍ରମାଣ ସତ୍ୟ,
ଗୁରୁ ମହାପ୍ରଭୁ ଆଗତ ଘଟନା କରୁଛନ୍ତି ପରାପତ ।
ମନୁଷ୍ୟ ବିଚାରେ କିଛି ନୋହି ପାରେ ସବୁ ଦଇବ ବିଚାର,
ଉଚିତ ପ୍ରମାଣ ନୁହେ ଯେବେ କଥା ସୁଜ୍ଞଜନଙ୍କୁ ପଚାର ।
ଶ୍ରୀଗୁରୁ କୃପାରୁ ଜାଣିଅଛି ମୁହିଁ ଉବାର ନୁହଇ ମତେ,
ଜାଣିବାର ହୋଇ କିଛି ନ ଜାଣିଲା ଯାହା ବୋଲିଛ ସମସ୍ତେ ।
କେବଣ ଅନ୍ୟାୟ ମୁଁ କଲି ସଂସାରେ କେଉଁ ଅବିବେକ ହେଲା,
ଭକ୍ତ ବୋଲି ମୋତେ ଅଲେଖ ପୁରୁଷ ସକଳ ସମର୍ପି ଦେଲା ।
ଧର୍ମର ପଦାର୍ଥ ଭୁଞ୍ଜୁଅଛୁ ଆମ୍ଭେ କାହାର ନ ଖାଉ କିଛି,
ବିନା କାରଣରେ ଦଗା ଲଗାଇବା ରବିତଳେ କେହୁ ଅଛି ।
ସତ୍ୟ ଧର୍ମେ ଯାହା ପ୍ରାପତ ହୁଅଇ ଗ୍ରହଣ କରୁ ତା ସର୍ବ,
ଅଲେଖ ଭଣ୍ଡାରୁ ପଡ଼ି ପାଉଅଛୁ ନ ଛୁଉଁ କାହାରି ଦ୍ରବ୍ୟ ।
ଏ ବସ୍ତ୍ର ଭୂଷଣ ଆୟ ଅଳଙ୍କାର ଆମ୍ଭ ସଙ୍ଗେ ଯେତେ ଅଛି,
କା'ଠାରୁ ଠକି ଭଣ୍ଡି ଚୋରି ନ ଆଣି ଅଲେଖ ସବୁ ଦେଉଛି ।
ସଦା ସରବଦା ଅଲେଖ ଭଣ୍ଡାରୁ ଖରଚା ହେଉଛି ଦେଖ,
ସହି ନ ପାରି ଚଳୁଛନ୍ତି ଆମ୍ଭଙ୍କୁ ତିନି ବ୍ରହ୍ମାଣ୍ଡର ଲୋକ ।
କାହାରି ଅଧୀନେ ନ ଥାଉଟି ଆମ୍ଭେ ଶ୍ରୀଗୁରୁ ଅଧୀନେ ଥାଉ,
କାହାରି ଆଜ୍ଞା ଶିରପରେ ନ ବହୁ ଗୁରୁ ଆଜ୍ଞା ହେଲେ ଯାଉ ।
ରାଜାର ପରଜା ନୋହୁ ସିନା ଆମ୍ଭେ ନୋହୁ ସାହୁର ଖାତକ,
ଯହିଁ ଗୁରୁ ନେବେ ତହିଁ ଯାଉ ଆମ୍ଭେ କେ ଅବା କରୁ ଅଟକ ।
ନର ମନୁଷ୍ୟରେ ଖଞ୍ଜା ନୋହି ପାରେ ଆମ୍ଭ ଯେତେକ ବିଷୟ,
ଅନୁସରି ଥିଲେ ପ୍ରସନ୍ନେ ଦେଉଛି ଅଲେଖ ପୁରୁଷ ଦିଅଁ ।
ଅଲେଖବ୍ରହ୍ମ ଆମ୍ଭ ଇଷ୍ଟ ଦେବତା ସାହା ନାହିଁ ଆମ୍ଭ କେହୁ,
ସତ୍ୟ ଧର୍ମର ଚିନ୍ତାରେ ଆମ୍ଭେ ଥାଉ ତାଙ୍କ ଦାନାପାଣି ଖାଉ ।
ଅଲେଖ ବ୍ରହ୍ମର ପୋଷାଜୀବ ଆମ୍ଭେ ତାଙ୍କ ସେବାକାରୀ ଅଟୁଁ,
ପିଣ୍ଡପ୍ରାଣ ଦାନ ଦେଇ ପାଦତଳେ ଶ୍ରୀଛାମୁରେ ନିତ୍ୟେ ଖଟୁ ।
ଶ୍ରୀଗୁରୁଙ୍କ ନାମ ଆମ୍ଭ ଫନ୍ଦ ବୃତ୍ତି ଅନ୍ୟନାହିଁ ରୋଜଗାର,
ଯାହା ଇଚ୍ଛା କଲେ ତାହା ମିଳୁଅଛି କଟା ହେଉଛି ଭଣ୍ଡାର ।
ଶତେ ପୁରୁଷର ଠାକୁର ଆମ୍ଭର ଦେଉଛନ୍ତି ପଡ଼ି-ଭାତ,
ଭଣେ ଭୀମଭୋଇ ଗୁରୁପାଦେ ଧ୍ୟାୟି ସେ ପ୍ରଭୁ ଆମ୍ଭର ହିତ ।