67 . ସତଷଠୀ ବୋଲି

ଉଇକିପାଠାଗାର‌ରୁ
ସତଷଠୀ ବୋଲି ଲେଖକ/କବି: ଭୀମ ଭୋଇ
ସତଷଠୀ ବୋଲି

ସତଷଠୀ ବୋଲି

 
ଅଲେଖ ମହିମା ସାଗର ନାମକୁ ତ୍ରିଭୁବନ ଯାକ ଭଜ,
ସକାଳରୁ ସ୍ନାନ କର ବୋଇଲାକୁ ବୋଇଲେ ମାଡ଼ୁଛି ଲାଜ ।
ଅବଧୂତ ଦୀକ୍ଷା ନିରବେଦ ଧର୍ମ ଥରେ ହେଲେ ଡାକ ମୁଖେ,
ଦର୍ଶନ କରି ପାଦରେଣୁ ପାଇଲେ ବୋଇଲେ ହସିବେ ଲୋକେ ।
ଏ କଳିଯୁଗରେ ନାମ ନ ଭଜିଲେ ପଡ଼ିବ ଦେବୀ ଖପର,
ବୋଇଲେ ଏ ରୂପେ ମରିଯିବୁ ପଛେ ନିନ୍ଦା କରିବେ ଅପାର ।
ସାର ଧର୍ମ ଏହି ନ ଜାଣନ୍ତି କେହି ଆଶ୍ରେ କର ତତ୍ତ୍ୱ ବୁଝି,
ଏଡ଼େ ହରବର କେ ହେବ ଆମ୍ଭର ବୋଇଲେ ନ ପାରୁ ଭଜି ।
ଗ୍ରାମ ବନେ ପଶି ବୁଝାଇ କହିଲି ସତ୍ୟ ଅନୁସର ତୁମ୍ଭେ,
ତୁମ୍ଭେ ଯାହା ବ୍ରହ୍ମଜ୍ଞାନ ବତାଉଛ ବୋଇଲେ ନ ମାନୁ ଆମ୍ଭେ ।
ଜପ ତପ ମାଳ ମନ୍ତ୍ର ଗଡ଼ାଇବୁ ନ ଲାଗେ ଟଙ୍କା କଉଡ଼ି,
ବୋଇଲେ ଜାତି ଭାଇ ବନ୍ଧୁମାନଙ୍କୁ ନ ପାରୁ ତାହାଙ୍କୁ ଛାଡ଼ି ।
ଘରେ ଘରେ ପୁରେ ପୁରେ ଯାଚି ଦ୍ୟନ୍ତେ ନାମ ନ ଧଇଲେ କେହି,
ବୋଇଲେ ସର୍ବ ଘରେ କେହୁ ଖାଇବ ଯିବୁ କିରସ୍ତାନ ହୋଇ ।
ପୁରୁଷମାନଙ୍କୁ ବୋଇଲୁ ହେ ତୁମ୍ଭେ ଘରଦ୍ୱାର କରିଥାଅ,
ଋତୁମତ ଧରି ସ୍ତିରୀସଙ୍ଗ କରି ବ୍ରହ୍ମଜ୍ଞାନ ମନ୍ତ୍ର ନିଅ ।
ସେ ବୋଇଲେ ଆମ୍ଭେ ଖାଇବା ପିଇବା କମାଣିର କଥା ଜାଣୁ,
ପାଞ୍ଚମାଣ ପାଞ୍ଚବୋଡ଼ି ଘରେ ଥିଲେ ଆଉ କାହାକୁ ନ ଗଣୁ ।
ସ୍ତିରୀଙ୍କୁ ବୋଇଲୁଁ ନାମ ଆଶ୍ରେ କରି କର ଗୃହ ଧର୍ମ କୀର୍ତ୍ତି,
ପତିସେବା କଲେ ପୁତ୍ରବନ୍ତୀ ହେବ ବୋଲାଇବ ଯତି ସତୀ ।
ଗୁରୁଧର୍ମ ଯେବେ ଗୃହରେ ପାଳିବ କୁଟୁମ୍ବଯାକ ତରିବ,
ସେବା ଭକ୍ତିରେ ପୁଣ୍ୟଧର୍ମ ବଢ଼ିଲେ ପୁରୁଷ ଉଧାର ହେବ ।
ସେ ବୋଇଲେ ଆମ୍ଭେ ସ୍ତିରୀ ଜାତି ହୋଇ ନାହିଁ ନାମ ପାରୁ ଭଜି,
ମାଈ ଅଣ୍ଡିରା ଦୁହେଁ ପରା ଭଜିଲେ ଯାନ୍ତି ପରା ଗୃହ ତେଜି ।
ପତିପାଦେ ସେବା କରି ନାହିଁ ପାରୁ ନ ଚାଲୁ ଋତୁମତରେ,
ପତି ପତ୍ନୀ ହୋଇ ଗୃହ କରିବାର ଏତିକି ଏହି ସଂସାରେ ।
ଜ୍ଞାନ ନାହିଁ ଜାଣୁ ଏକ କଥା ଜାଣୁ ସୁରତି ସଙ୍ଗମ ସଧ,
ଦିବସକେ ଚାରିଥର ରତି କଲେ ତେବେ ମନ ନୁହେଁ ବୋଧ ।
ପୁତ୍ର ଦୁହିତା ଗୁଡ଼ାଏ ଜାତ କଲେ ସେହିଟି ଆମ୍ଭର ସବୁ,
ଲୋକହସା ହଟହଟା ହୋଇବାକୁ କିମ୍ପା ମହିମା ଭଜିବୁ ।
ପୁତ୍ର ଦୁହିତା ବନ୍ଦାପନା କରି ଯେ ନୋହିବ ଏହି ସଂସାରେ,
ଅକୁଳ ଅଥଳ ହେଲେ ବୋଲି ଲୋକେ ନ ଆସିବେ ଆମ୍ଭ ଘରେ ।
ପୁତ୍ରର ନିମନ୍ତେ ବଧୁ ନ ମିଳିବ ଝିଅଙ୍କୁ ନୋହିବେ ବର,
ସମସ୍ତେ ଆମ୍ଭଙ୍କୁ ଭଲ ବୋଲୁଛନ୍ତି ପଛେ ବୋଲିବେ ଅସାର ।
ଆୟ ଅଳଙ୍କାର ଅଙ୍ଗରେ ଲଗାଇ ଖାଇବା ପିନ୍ଧିବା ଜାଣୁ,
ତୈଳ ହରିଦ୍ରାରେ ସୁନ୍ଦର ଦିଶୁଛୁ ବହିଅଛୁ ଯୁବା ତନୁ ।
ଏ ବୟସେ ରତିସୁଖ ନ ପାଇଲେ ଜୀବ ହେଲା ଅକାରଣ,
ସ୍ତିରୀ ଅଙ୍ଗ ଲଭି କି କାର୍ଯ୍ୟ ହୋଇବ ବହି ଜାନୁ ଯଉବନ ।
ଅଲେଖ ମହିମା ବୋଇଲେ ଆମ୍ଭଙ୍କୁ ଅସୁଖ ଲାଗୁଛି ଚିତ୍ତେ ।
କହେ ଭୀମଭୋଇ ଗୁରୁପଦ ଧ୍ୟାୟି ନ ବୁଝିଲେ ସ୍ତିରୀ ଯେତେ ।