68 . ଅଠଷଠୀ ବୋଲି

ଉଇକିପାଠାଗାର‌ରୁ
ଅଠଷଠୀ ବୋଲି ଲେଖକ/କବି: ଭୀମ ଭୋଇ
ଅଠଷଠୀ ବୋଲି

ଅଠଷଠୀ ବୋଲି

 
ବୁଦ୍ଧମାନଙ୍କୁ ମୁଁ ବୁଝାଇ କହିଲି ଏ ଧର୍ମକୁ ଆଶ୍ରେ କର,
ଏ କଳିଯୁଗରେ ଏହି ନାମ ସାର ଭବାର୍ଣ୍ଣବୁ ହେବୁ ପାର ।
ଆତ୍ମା ଭକ୍ତି କଲେ ଉଦ୍ଧାର କରିବେ ଅଲେଖ ମହିମା ଗୁରୁ,
ଏ କଳିଯୁଗରେ ଦେହଧାରୀ ହୋଇ ଆସିଅଛନ୍ତି ଶୂନ୍ୟରୁ ।
କ୍ଷୀର ସିନ୍ଧୁବାସୀ ଅନନ୍ତ ଈଶ୍ୱର ହୋଇଛନ୍ତି ଅବତାର,
ହେଳାକଲେ ସର୍ବେ ଭେଳା ବୁଡ଼ିଯିବ ବେଳଥାଉଁ ଆଶ୍ରେକର ।
ବୃଦ୍ଧେ ବୋଇଲେ ତୁମ୍ଭେ ଯାହା କହିଲ ଉଚିତ ପ୍ରମାଣ ସତ,
ବଳବୀର୍ଯ୍ୟ ସବୁ ଗଲାଣି ଅଙ୍ଗରୁ ହୋଇଲୁଣି ଅଶକତ ।
ଅଲେଖ ମହିମା ବୋଲିବାର କଥା କେବେ ନାହିଁ ଶୁଣିଥିଲୁ,
ବେଦଶାସ୍ତ୍ରେ ଏହା ଦେଖାହିଁ ନଥିଲା ଶୁଣି ଆଚମ୍ବିତ ହେଲୁ ।
ବାପ ଅଜା ଆମ୍ଭ ବଡ଼ ବଡ଼େ ଥିଲେ ଏ ପଥେ କେହି ନ ଯାଇ,
ଏତେବେଳେ ଆମ୍ଭେ ମହିମା ଭଜିବୁ କେବଣ ପରତେ ପାଇ ।
ଏହି ଧର୍ମ କଲେ ସକଳ ଗୃହରେ ଖାଆନ୍ତି ପରା ସମସ୍ତେ,
ପିତୃ-ପିତାମହ ପିଣ୍ଡ ପାଣି ଦେଲେ ନ ପାଇବେ ଆମ୍ଭହସ୍ତେ ।
ମହିମା ଧର୍ମରେ କ୍ରିୟା କର୍ମ ନାହିଁ ସର୍ବେ ଯେମନ୍ତ ଭଜିବୁ,
ମରିଗଲେ ଆମ୍ଭେ ଅଶୁଦ୍ଧ ହୋଇବୁ ଭୂତ ପ୍ରେତ ବୋଲାଇବୁ ।
କିରସ୍ତାନ ମତ କିପାଇଁ କରିବୁ ମରିବାକୁ ଦିନେ ଅଛି,
ବୁହା ପୋଡ଼ା ଆଉ କେହି ନ କରିବେ ହୋଇଯିବୁ ପୋକ ମାଛି ।
ପ୍ରାଣ ଯିବ ପଛେ ମହିମା ନ ଭଜୁ ମୁକତି ନ ଲୋଡ଼ୁ ଆମ୍ଭେ,
ଆମ୍ଭେ ପଛକେ ସମସ୍ତେ ମରିଯିବୁ ଜୀଇବ ସଂସାରେ ତୁମ୍ଭେ ।
ଯାହା ବୋଇଲ ଏତିକି କହିଥାଅ ଆଉ ନ ଶୁଣିବୁ କର୍ଣ୍ଣେ,
ହାଡ଼ି ଚଣ୍ଡାଳିଆ କର୍ମ କରିବାକୁ କେହୁ କଳପିବ ମନେ ।
ପିତୃ ଲୋକମାନେ ପିଣ୍ଡ ନ ପାଇବେ ଅକାରଣ ହେବ ସବୁ,
କୁଟୁମ୍ବ ପୋଷିବାକୁ ଠକ ହୋଇଲ ମିଛ କହୁଅଛ ବାବୁ ।
ତୁମ୍ଭେ କାହିଁ ବ୍ରହ୍ମଜ୍ଞାନ ଜାଣିଲ ବୃଦ୍ଧେ ହୋଇ ନ ଜାଣୁଛୁ,
ଶଏ ଷାଠିଏ ବରଷ ହୋଇଲାଣି ଏତେଦିନୁ ଆମ୍ଭେ ଅଛୁ ।
ତୁମ୍ଭର ବାପ ଅଜାଙ୍କୁ ଜାଣୁ ଆମ୍ଭେ, ତାଙ୍କ ପୁତ୍ରନାତି ତୁମ୍ଭେ,
କାଲି ଜନମ ହୋଇଛ ଦେଖିଅଛୁ କେତେ କହୁଛ ଆରମ୍ଭେ ।
ସମସ୍ତ ବୃଦ୍ଧଜନ ଏହା ବୋଇଲେ ସେ ଠାବରୁ ପଳାଇଲୁଁ,
ପଶ୍ଚାନ୍ତେ ଆମ୍ଭଙ୍କୁ ଦୋଷ ଦେବ ନାହିଁ ଡାକିକରି କହିଦେଲୁଁ ।
ବାଳକମାନଙ୍କୁ ବୁଝାଇ କହିଲୁ ମହିମା ନାମକୁ ଭଜ,
ଏକମନ ହୋଇ ଶୁଣସିରେ ବାବୁ ଖେଚଡ଼ ବୁଦ୍ଧିକି ତେଜ ।
ବାଳକ ଦିନରୁ ଗୁରୁସେବା କରି ସତ୍ୟାଦି ପଥରେ ଚାଲ,
ଅନ୍ୟାଏ ଅକର୍ମ ନ କରିବ ଯେବେ ନ ଛୁଇଁ ପାରିବ କାଳ ।
ଧର୍ମ ଆଶ୍ରେ କଲେ ମୁକତି ପାଇବ ଗୁରୁ ପ୍ରସନ୍ନେ ତରିବ,
ଗୁରୁବଚନ ଶିର ପରେ ବହିଲେ ବ୍ରହ୍ମଜ୍ଞାନୀ ବୋଲାଇବ ।
ବେଳହୁଁ ଯେହୁ ମହିମା ଭଜିଥିବ ମହୀମଣ୍ଡଳେ ରହିବ,
ଏ ଘୋର କଳିଯୁଗରୁ ପାର ହୋଇ ସତ୍ୟଯୁଗକୁ ପାଇବ ।
ଗୁରୁସେବା କଲେ ଖାଇବାକୁ ମିଳେ ଶୁଣ ଶୁଣ ଆରେ ଭାଇ,
ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ ଶିଶୁଙ୍କ ମେଳରେ ଥାଇ ।