72 . ବାସ୍ତରି ବୋଲି
ବାସ୍ତରି ବୋଲି
ବେନି ନାସାରେ ଯେତେକ ପାପ ଅଛି ପୋଡ଼ାଅ ଗୁରୁ ଅଲେଖ,
କଳିଯୁଗରେ ସବୁଠାରେ ପାତକ ଯାହା ପଡ଼ିଅଛି ମୁଖ ।
ଗନ୍ଧ ପରକଟ ଭଲ ମନ୍ଦ ବାସ ସବୁ ଗ୍ରହଣ କରୁଛି,
ସେହି ପାପମାନ ବେନି ନାସିକାରେ ବକଳ ପରାଏ ଅଛି ।
ନିର୍ମଳ କରି ଛଡ଼ାଅ ପାପପଙ୍କ ଚାହିଁ କରୁଣା ନୟନେ,
ତ୍ରିକୂଟ ମଣ୍ଡଳେ ଯାହା ପୂରିଅଛି ବେନି ନାସାରନ୍ଧ୍ର ବନେ ।
କୌଣସି ପ୍ରକାରେ ପାପତାପ ଭାରା ନିବାର ହେ ଗୁରୁଦେବ,
ଜନମ ଦିନରୁ ଗନ୍ଧ ପରକଟ ଯାହା ଯାହା ପାଇଥିବ ।
ଗୁରୁ କୃପା ହେଲେ କେତେକ ମାତର ଚାହିଁ ଦେଲେ ଯିବ ଉଡ଼ି,
ସୁଗନ୍ଧ ବାସନା ଲୋଭ ମୋହରେ ମୁଁ ବିଅର୍ଥେ ମରୁଛି ବୁଡ଼ି ।
ଏଥିର ନିମନ୍ତେ ଶ୍ରୀଗୁରୁ ଛାମୁରେ ଜଣାଉଛି ବାରୁଁ ବାର,
ବ୍ରହ୍ମ ଅନଳେ ଦହନ କରି ପାପ ଉଚିତରେ କ୍ଷମା କର ।
ତୁଣ୍ଡରୁ ପାତକ କହୁଅଛି ମୁହିଁ ନୁହଇ ହିସାବ କରି,
ଜିହ୍ୱା ଅଗ୍ରେ ମୁହିଁ ଯାହା ଭାଷିଅଛି ଖଚ ମିଛ ଆଦି କରି ।
ସେ ପାତକ ମୋର ବ୍ରହ୍ମରେ ପୋଡ଼ାଅ ଅଛି ସର ପଙ୍କ ପ୍ରାଏ,
ବ୍ରହ୍ମ ଅନଳେ ସବୁଯାକ ଜାଳିଣ ପବିତ୍ର କର ମୋ କାଏ ।
ଅସତ୍ୟ କହିବାକୁ ଭୟ ମାଡ଼ଇ କହିଥିବି ଅବା କେବେ,
ଜନମ ଦିବସରୁ ପାପ ପ୍ରମାଦ ଭାଷିଅଛି ଯାହା ପୂର୍ବେ ।
କେତେ ବଚନ ମୁଖରେ ପରକାଶ ନଦୀ ବଢ଼ି ପ୍ରାଏ ଦେଖ,
ଜିହ୍ୱା ଅଗ୍ର କଣ୍ଠଦ୍ୱାରେ ଯେତେ ପାପ ନିବାର ଗୁରୁ ଅଲେଖ ।
ହୃଦୟ ପଦ୍ମରେ ପାପ ମୋର ଯେତେ ତାହା ବିସ୍ତାରି କହୁଛି,
ହୋଇବା ନୋହିବା ଯେତେ କଥାମାନ ପଞ୍ଚ ଭୂତେ ବିଚାରୁଛି ।
ପଞ୍ଚଭୂତ ମନ ପଚିଶ ପ୍ରକୃତି ମିଛକୁ କରି ପସରା,
ସେହି ପାପମାନ ବାସ କରିଅଛି ହୃଦୟମଣ୍ଡଳେ ପରା ।
ଗୁରୁ କୃପା ବହି ଜ୍ଞାନ କତୁରୀରେ ଛେଦ ଖଣ୍ଡ ଖଣ୍ଡ କରି,
ହୃଦୟରେ ମୋର ପାପ ପୂରିଅଛି ଦିନୁ ଦିନୁ ମହା ଭାରି ।
ସେ ପାତକମାନ କ୍ଷମା କର ଏବେ ନିର୍ମଳ ହେଉ ଶରୀର,
ପୁରୁଣା ହୋଇ ଯାହା ଯାହା ପଡ଼ିଛି ହୃଦରୁ କର ବାହାର ।
ହୃଦରୁ ଉଶ୍ୱାସ ହେଉ ପାପବିଷ ହରଣ କରାଅ ସବୁ,
ଦେବୀ ଦେବତା ମୁଁ କାହାକୁ ନ ଜାଣେ ତୁମ୍ଭେ ମୋର ବଡ଼ ପ୍ରଭୁ ।
ତେଣୁ କରି ସିନା ତତ୍ତ୍ୱ ଚିତ୍ତେ ମୁହିଁ ଜଣାଣ କରୁଛି ଦୁଃଖ,
ମୋ ଇଷ୍ଟଦେବତା ପ୍ରସନ୍ନ ହୋଇଲେ ହେବି ବୋଲି ନିଷ୍କଳଙ୍କ ।
ଜାଲ ପ୍ରାଏ ଏବେ ଛାଟି ରହିଅଛି ହୃଦର ପାପ ବେଦନା,
ବିନା ଭୟ ଭୀତି ନଥାଇ କାହାକୁ ପଞ୍ଚଭୂତରେ ଭାବନା ।
ଶିରୀଧର ସ୍ୱାମୀ ଅଲେଖ ପୁରୁଷ ଛତ୍ରପତି ଦଣ୍ଡଧାରୀ,
ପାପ ପରମାଦ ବୁଝିବେ ବୋଲି ମୁଁ ଅନୁସରି ଅଛି କରି ।
ଆଜ୍ଞାହେଲେ ମୋତେ କାରଣ ମିଳିବ ଆଶା କରିଅଛି ଭୃତ୍ୟ,
ପାପ ପୁଣ୍ୟ ଯାହା ପ୍ରକାଶ କଲି ମୁଁ ଗୁରୁଦେବ ସାମରଥ ।
ଗୁରୁପାଦ ଧରି ଭରସା ମୁଁ କରି ଶ୍ରୀଛାମୁରେ ନୀଚ ହୋଇ,
ଭଣେ ଭୀମଭୋଇ ଶିରେ କର ଦେଇ ସକଳ ସମର୍ପି ଦେଲି ।