73 . ତେସ୍ତରି ବୋଲି
ତେସ୍ତରି ବୋଲି
କଟି ଉଦର ନାଭିଚକ୍ର ମଣ୍ଡଳେ ପୂରି ରହିଅଛି ରୋଗ,
ବାତ ପିତ ଆମ ଦଗଧ ପରାଏ କରୁଅଛି ଅଙ୍ଗେ ଭୋଗ ।
କଫ କାଶ ଶେଳଷମା ଯେ ଶରଦ ଗରମ ଲସମ ରୂପେ,
ଶିଶିର ହେମ ପରାଏ ହୋଇ ଅଙ୍ଗେ ପୀଡ଼ା କରୁଛନ୍ତି କୋପେ ।
ଜ୍ୱର ଶିରବ୍ୟଥା ପଖା ଯେ ପାରୁଶ ତଣ୍ଟି ଓଷ୍ଠ କଣ୍ଠ ପୀଡ଼ା,
ଶିର ସାଙ୍କୋଳି ଗଣ୍ଠି ମୁଠିରେ ପୂରି ସର୍ବାଙ୍ଗେ ପଡ଼ିଛି ବେଢ଼ା ।
ରୁଧିର ମାଏଁସ ରୋମ ଚର୍ମେ ପୂରି ସର୍ବାଙ୍ଗ ଶରୀରେ ଘୋଟି,
ପାପ ଦଉଡ଼ି ଜାଲ ଅଙ୍ଗେ ଘୋଟିଛି ଜୀବ ନ ପାରୁଛି ଉଠି ।
ମଲାଙ୍ଗ ଲତା ପରାଏ ମହାପାପ ସର୍ବାଙ୍ଗ ଶରୀରେ ରହି,
ଦିବସ ରଜନୀ ପୀଡ଼ା କରୁଅଛି ବଇରୀ ପରାଏ ହୋଇ ।
କଷା ପିତା ଦୁଗ୍ଧ ମଧୁର ସହିତେ ସକଳ ମୁଁ ଅଛି ଖାଇ,
ପୁଷ୍ପ ଫଳ ଡାଳ ପତର ସହିତେ ଯାହା ଭାଗ୍ୟରେ ମିଳଇ ।
ଜଳ ଅନଳରେ ଯାହା ପାକ ହୁଏ ଆଧାର ବୋଲି ଭୁଞ୍ଜଇ,
କଞ୍ଚା ଶୁଖା ଆଦି ଆମିଷ ସହିତେ ଶ୍ରୀଗୁରୁଙ୍କୁ ଟେକି ଦେଇ ।
ଉଦର ଅନ୍ତରେ ପୂରି ରହିଅଛି ଖାଦ୍ୟ ଅର୍ଥ ପାକ ଯେତେ,
ଚକ୍ର ପେଷି ଅନ୍ତ ଭିତରୁ ନିବାରି ଉଧାରିବା ହେଉ ମୋତେ ।
ଉଦର ଖଣ୍ଡ ଅଟେ ବ୍ରହ୍ମାଣ୍ଡ ଭାଣ୍ଡ ଅଶେଷ ବ୍ୟାଧି ପୂରିଛି,
ନିରୋଗୀ ପୁରୁଷ ଦୟାବହି ମୋତେ ନିର୍ମଳ କଲେ ହେଉଛି ।
ବ୍ରହ୍ମ ଅଗ୍ନିଜାଳି ଦୁରିତ ପୋଡ଼ାଅ ମନ ଭ୍ରମ ଚିନ୍ତା ଯାଉ,
ଆଜ୍ଞାରେ ଶ୍ରୀଗୁରୁ କ୍ଷମା କରି ନିଅ ଏତେବେଳରେ ନ ଥାଉ ।
ଚିପି ଛାଣି ମାଜି ଧୋଇ ଅନ୍ତ ପିତ ବ୍ରହ୍ମରେ ପଖାଳି ଧୁଅ,
ମାୟା ନ କରି ଏ ମାନବ ତନୁରୁ ପାରିକରି ମୋତେ ନିଅ ।
ବାରମ୍ବାର ଶ୍ରୀଛାମୁରେ ଜଣାଇଛି ନ ରଖ ପାତକ କିଛି,
ଅକଳଙ୍କ ହେବ ବୋଲି ପାପୀଜୀବ ଗୁରୁସେବା ଲାଗିଅଛି ।
ଅନ୍ତର୍ଯ୍ୟାମୀ ପ୍ରଭୁ ନ ଜାଣ କି ତୁମେ କିସ ଜଣାଇବି ମୁହିଁ,
ଉଦର ଅନ୍ତରେ ଯେତେ ପାପରୋଗ ନିବାର କର ଗୋସାଇଁ ।
ଲିଙ୍ଗଚକ୍ରରେ ଯେତେକ ପାପ ଅଛି ପ୍ରକୃତିଗଣ ସ୍ୱରୂପେ,
ରେତ ରସ ମୂତ୍ର ବିନ୍ଦୁ ଆଚ୍ଛାଦୁଛି ଏକାଦଶ ଇନ୍ଦ୍ରି ମୁଖେ ।
ଅନ୍ତରେ ବିଚାରି କଳ୍ପଣା ଉଚ୍ଚାରି ଭାବି ମାୟାରୂପ ଗୁଣ,
ଲିଙ୍ଗଚିତ୍ରରେ ଆବୋରି ରହିଅଛି ପ୍ରକୃତିରେ ପାପମାନ ।
ସେହି ଦୋଷମାନ ଏବେ କ୍ଷମାକରି ଭବାର୍ଣ୍ଣବ ଦୋଷ ହର,
ସଦଗୁରୁ ବ୍ରହ୍ମ ଅନଳେ ପୋଡ଼ାଇ ଏ ଜୀବକୁ ରକ୍ଷାକର ।
ଗୁରୁଦେବ ବିନୁ ପ୍ରକୃତି ପାତକ ଅନ୍ୟରେ ନୁହଇ କ୍ଷମ,
ଅଗ୍ନିରୂପ ହୋଇ ଉଦେ ହୋଇଅଛ ଅନାହତବାସୀ ବ୍ରହ୍ମ ।
ନିବାର ନିବାର ନିର୍ମଳ କରିଣ ସର୍ବପାପ ଦୋଷମାନ,
ଏକ ବ୍ରହ୍ମେ ମୁହିଁ ଏ ପିଣ୍ଡ ପରାଣ ସତ୍ୟରେ କରିଛି ଦାନ ।
ଶୁଣ ସୁଜ୍ଞଜନେ ବୁଝାଇ କହୁଛି ସଦଗୁରୁ ସେବାକର,
ଗୁରୁଙ୍କୁ ପ୍ରଭୁପଣ ହିଁ ବଡ଼ ନୁହେ ଆପଣା ମନେ ବିଚାର ।
ଦୋଷ ଅପରାଧ କ୍ଷଏ ଯିବ ବୋଲି ଭରସା ମୋର ବହୁତ,
ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ବ୍ରହ୍ମରେ ନିବେଶି ଚିତ୍ତ ।