76 . ଛସ୍ତରି ବୋଲି
ଛସ୍ତରି ବୋଲି
ଏ କଳିଯୁଗରେ ବହୁତ ପାତକ କେମନ୍ତେ ହୋଇବି ପାର,
ପାପସିନ୍ଧୁରେ ଭାସିଣ ଡ଼ାକୁଅଛି ତ୍ରାହି କର ଅଣାକାର ।
ନବଦ୍ୱାରେ ପାପ ଜଳ ପ୍ରାଏ ପଶି ତାଳୁରୁ ତଳିପା ଯାଏ,
ଅକ୍ଷଏ ପୁରୁଷ କ୍ଷଏ କର ଦୋଷ ନ ଥାଉ ମନ ସଂଶଏ ।
ଚଉରି ମଦଙ୍ଗ କଳ୍ପଲତା ପ୍ରାଏ ପାପ ମିଛ କଳ୍ପମାନ,
ସକଳ ପାପ ପରମାଦ ନିବାରି ମନୋବାଞ୍ଛା କର ପୂର୍ଣ୍ଣ ।
ଆଜ୍ଞା ହୋଇଲେ କେମନ୍ତେ ନ ଛାଡ଼ିବ କୃପାର ଅଟ ବାରିଧି,
କରୁଣାସିନ୍ଧୁ ପାପସିନ୍ଧୁ ନିବାର ମନୋବାଞ୍ଛା କର ସିଦ୍ଧି ।
ପାପ ଦୋଷ ଯେତେ ହୃଦୟ କଳ୍ପଣା ବିଚାର ମୋହର ଯେତେ,
ଅଖଣ୍ଡ ପୁରୁଷ ଖଣ୍ଡନ କରାଅ ମନ କଳ୍ପଣା ସହିତେ ।
ଉବାର୍ଣ୍ଣବରେ ପଡ଼ି ଦୋଷ କରିଛି ତହିଁର ପାତକ ଯାହା,
ଭବରୋଗକୁ ବୈଦ୍ୟ ହୋଇ ଆପଣ କ୍ଷମା କର ପ୍ରଭୁ ତାହା ।
ଭବାର୍ଣ୍ଣବେ ଜାତ ହୋଇଛି ଏ ଜୀବ ଜନ୍ମ ମୃତ୍ୟୁ ଦୋଷ ସବୁ,
ଜନ୍ମ ମରଣ ବେନି ପକ୍ଷ ବିଚାରି ଦୟା କର ମୋତେ ପ୍ରଭୁ ।
ବିନା ଆଜ୍ଞାରେ ତିରଣ ନ ହଲଇ ଆଜ୍ଞା ହେଲେ ପାପ ଯିବ,
ଆଜ୍ଞାକୁ ଅବଜ୍ଞା କରି ପାପ ଦୋଷ କେମନ୍ତେ ଅଙ୍ଗେ ରହିବ ।
ଆଜ୍ଞାରେ ସର୍ବେ ତ ବେହାରୀ ଅଟନ୍ତି ଆଜ୍ଞା ନ ଲଙ୍ଘନ୍ତି କେହି,
ଛାର ପାତକ ପ୍ରକୃତି ପରମାଦ ଅଙ୍ଗେ କି ପାରିବ ରହି ।
ଆଜ୍ଞାରେ ସପତସିନ୍ଧୁ ପୂରିଅଛି ଲଙ୍ଘିବାକୁ ନାହିଁ କୂଳ,
ମୋର ପାତକ କେମନ୍ତେ ନ ଛାଡ଼ିବ କିମ୍ପା ଥିବ କାଳ କାଳ ।
ଆଜ୍ଞାରେ ରହିଛି ନବଖଣ୍ଡ ମହୀ ନ ପଡ଼ୁଛି ରସାତଳେ,
ଏ ମୋର ଦୁରିତ କେମନ୍ତେ ନ ଯିବ ଶକତିରୁ ଦୟା କଲେ ।
ଆଜ୍ଞା ଘେନି ଚନ୍ଦ୍ର ସୂର୍ଯ୍ୟ ଆକାଶରେ ହେଉଛନ୍ତି ଉଦେ ଅସ୍ତ,
ଏ ଛାର ପାପ ପ୍ରଭୁଙ୍କୁ ବଳିଆର କିମ୍ପା ନୋହିବ ଲେପତ ।
ଆଜ୍ଞାରେ ନବଲକ୍ଷ ତାରା ଆକାଶେ ଫେରୁଛନ୍ତି ଚଉଦିଗ,
ଆଜ୍ଞା ଯେବେ ହେବ ମହା ପୂର୍ଣ୍ଣବ୍ରହ୍ମ କିମ୍ପା ପାତକ ରହିବ ।
ଆଜ୍ଞାରେ ଇନ୍ଦ୍ର ଜଳ ବୃଷ୍ଟି କରାଇ ମେଣ୍ଟି ନ ପାରଇ କେବେ,
ଏ ମୋର ପାତକ କେତେକ ମାତର ଶ୍ରୀଗୁରୁଦେବ ଖଣ୍ଡିବେ ।
ଆଜ୍ଞାରେ ପବନ ବହୁଅଛି ଦେଖ ପିଣ୍ଡ ବ୍ରହ୍ମାଣ୍ଡ ଆବୋରି,
ଏ ଅଙ୍ଗରେ ପାଗ ଯାହା ଅଛି ମୋର ଗୁରୁବାକ୍ୟ ହେଉ ପାରି ।
ଆଜ୍ଞା ଘେନି ଅଗ୍ନି ପାକ କରୁଅଛି ଏହି ପିଣ୍ଡ ବ୍ରହ୍ମାଣ୍ଡକୁ,
ଏ ଛାର ପାତକ କେମନ୍ତେ ମେଣ୍ଟିବ ଅନାଦି ଗୁରୁ ଆଜ୍ଞାକୁ ।
ଗୁରୁ ଆଜ୍ଞା ପାଇ ଏ ମେରୁ ମନ୍ଦର ଧରଣୀକୁ ଅଛି ଧରି,
ଗୁରୁ କୃପା ହେଲେ ଏ ମୋର କଳୁଷ କିମ୍ପା ନୋହିବ ନିବାରି ।
ଗୁରୁ ଆଜ୍ଞା ହେଲା ଯାଅରେ ପାତକ ନିଜ କର୍ମକୁ ଆଦରି,
ଯହୁଁ ଆସିଥିଲୁ ତହିଁକି ତୁ ଯାଅ ଆଦ୍ୟର ବସା ସୁମରି ।
ଏତେ ଦିନଯାଏ ଯାହା ଭୋଗକଲୁ ଆଉ ନ କର ତୁ ବଳେ,
ସଦଗୁରୁଙ୍କର ଆଜ୍ଞା ଶିରେ ବହି ପଳାଅ ତୁ ଅନ୍ତରାଳେ ।
ଶତ ଜନ୍ମଠାରୁ ହେତୁ କରି ଆଣି ଯେତେ ଥିଲା ପାପଭାର,
କହେ ଭୀମ ଭୋଇ ଶ୍ରୀଗୁରୁ ଛାମୁରେ ପକାଇ ଅଛି ଇଝାର ।