78 . ଅଠସ୍ତରି ବୋଲି

ଉଇକିପାଠାଗାର‌ରୁ
ଅଠସ୍ତରି ବୋଲି ଲେଖକ/କବି: ଭୀମ ଭୋଇ
ଅଠସ୍ତରି ବୋଲି

ଅଠସ୍ତରି ବୋଲି

 
ଏଥୁ ଅନନ୍ତରେ ଶୁଣ ସୁଜ୍ଞଜନେ କହିବା ଅପୂର୍ବ କଥା,
ଅତି ଆଗୋଚର ଚରିତ ଅଟଇ ଶାହାସ୍ରେ ରହିଛି ପୋଥା ।
ଯେତେ ଦିବସରୁ ହେତୁ ଜ୍ଞାନ ହେଲା ପ୍ରତକ୍ଷେ ଜାଣୁଛି ମୁହିଁ,
ଗୁରୁଙ୍କର ସିନା ସକଳ ଅଟଇ କାହାରି ଅଧୀନ ନାହିଁ ।
ଏ ମାଟି ପଥର ଏ ଜଳ ପବନ ଏମାନେ ନ ଥିଲେ କେହି,
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଅନ୍ଧକାର ଥିଲା ନିଶବଦ ହୋଇ ।
ଚନ୍ଦ୍ର ସୂର୍ଯ୍ୟ କେହି ଆକାଶେ ନ ଥିଲେ ନବ ଲକ୍ଷ ତାରାଗଣ,
ଦିବସ ରଜନୀ ଏକ ହୋଇଥିଲା ନ ଥିଲା ରଚନାମାନ ।
ସ୍ୱର୍ଗ ମର୍ତ୍ତ୍ୟପୁର ପାତାଳ ନ ଥିଲା ବ୍ରହ୍ମା ବିଷ୍ଣୁ ରୂପ ତିନି,
ତେତିଶ କୋଟି ଦେବ ତହିଁ ନ ଥିଲେ ନ ଥିଲା ଶବଦ ଧୂନି ।
ପୃଥୀ ଆପ ତେଜ ବାୟବ ଆକାଶ ପଞ୍ଚଭୂତ ହିଁ ନ ଥିଲେ,
ମହାଶୂନ୍ୟ ଅନ୍ଧକାର ହିଁ ସହିତେ ନ ଥିଲେ ଏ ତେତେବେଳେ ।
ଊର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ହିଁ ନ ଥିଲେ ହୋଇଥିଲା ମହାଶୂନ୍ୟ,
ଶରଦ ଉଷୁମ ଏମାନେ ନ ଥିଲେ ଋତୁ ସଞ୍ଚାର ଗ୍ରୀଷମ ।
କାମନା କଳ୍ପଣା ରଞ୍ଚନା ପାଞ୍ଚନା ନ ଥିଲେ ପ୍ରେମ ପ୍ରକୃତି,
ପାପ ପୁଣ୍ୟ ଭଲ ମନ୍ଦ ହିଁ ନ ଥିଲେ ଶୂନ୍ୟ ହୋଇଥିଲା ପୃଥୀ ।
ଛପନା କୋଟି ଜୀବ ଆଦି ନ ଥିଲେ ଚାରିଖାନି ଛନ୍ତି ଯେତେ,
ଲାଭ ହାନି ଆଦି କିଛି ହିଁ ନ ଥିଲା କର୍ମ ଅକର୍ମ ସହିତେ ।
ଶୁଣ ସୁଜ୍ଞଜନେ ଯହୁଁ ଜାତ ହେଲେ କହିବା ତହିଁର ଭେଦ,
ବେନି କର୍ଣ୍ଣେ ଶୁଣି ପଞ୍ଚଭୂତ ମନେ ଜାଗ୍ରତ କରି ସମ୍ପାଦ ।
ନିଶବଦ ଘରୁ ଅନାମ ଶକ୍ତିରୁ ଜନମ ହୋଇଲା ଶୂନ୍ୟ,
ଶୂନ୍ୟ ସଞ୍ଚାରରୁ ଆକାର ଧଇଲା ବାହାର ହୋଇଲା ବର୍ଣ୍ଣ ।
ଅନାମରୁ ଅଗ୍ନି ପବନ ଜନ୍ମିଲା ଆକାଶେ ରହିଲା ପୂରି,
ଘୁ ଘୁ ଶବଦ ନିରନ୍ତର ହୋଇଲା ତାମସ ଗୁଣକୁ ଧରି ।
ଅନାମରୁ ତହୁଁ ଜଳ ଜାତ ହେଲା ଅଗ୍ନି ପବନେ ମିଶିଲା,
ସତ୍ତ୍ୱ ରଜ ତମ ତିନି ନାମ ବହି ତିନି ଗୁଣ ବୋଲାଇଲା ।
ଅନାମରୁ ଚନ୍ଦ୍ର ସୂର୍ଯ୍ୟ ଜାତ ହେଲେ ହେଲା ଦିବସ ରଜନୀ,
ଆକାଶରେ ଉଦେ ଅସ୍ତ ହୋଇବାରୁ ବୋଲାଇଲା ଦିନମଣି ।
ଅନାମରୁ ବ୍ରହ୍ମା ବିଷ୍ଣୁ ଶିବ ଜାତ ହୋଇଲେକ ତେତେବେଳେ,
ଏ ବ୍ରହ୍ମାଣ୍ଡ ଜାତ ନୋହିଥିଲା ବେଳେ ଥିଲେ ନିରାକାର କୋଳେ ।
ଏ ମାଟି ପଥର ଅନାମୁ ଜନ୍ମିଲା ହେଲା ମେଦମେଦା ମହୀ,
ଛପ୍ନାକୋଟି ଜୀବ ଅନାମୁ ଜନ୍ମିଲେ ସମସ୍ତେ ବହିଲେ ଦେହୀ ।
ଅନାମରୁ ପଞ୍ଚଭୂତ ଜାତ ହୋଇ ପୂରିଲେ ସେ ତ୍ରିଭୁବନ,
ପୃଥ୍ୱୀ ଆପ ତେଜ ବାୟବ ଆକାଶ ବୋଲାଇଲା ପଞ୍ଚଗୁଣ ।
ଅନାମରୁ ଊର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ଜନମ ହୋଇଲେ ଦେଖ,
ଯାହାର ଯେମନ୍ତ ସ୍ୱଭାବକୁ ଘେନି ଉଦୟ ତିନି ତ୍ରୈଲୋକ୍ୟ ।
ରଞ୍ଚନା ପଞ୍ଚନା ଅନାମୁ ଜନ୍ମିଲା ଅନାମରୁ ୠତୁ ଜାତ,
ଷଡ଼ଋତୁରେ ଲାଗି ଜଳ ପବନ ଜୀବ ହେଲା ମୂର୍ତ୍ତିମନ୍ତ ।
ଶୁଣ ସୁଜ୍ଞସାଧୁ ଆଦ୍ୟର ବାରତା ଜାତକର ନିରୂପଣ,
ସଂଶୟ ଫିଟାଇ କହେ ଭୀମ ଭୋଇ ଗୁରୁପାଦେ ଥୋଇ ମନ ।