84 . ଚୌରାଶୀ ବୋଲି
ଚୌରାଶୀ ବୋଲି
ସ୍ତିରୀ ତଇଳକୁ ନିଷେଧ କରିବ ହସ୍ତରେ ଛୁଇଁବ ନାହିଁ,
କର୍ମଯୋଗରେ ଅକର୍ମ ସେ ବୋଲାଇ ବ୍ରହ୍ମମତ ତୁଟି ଯାଇ ।
ସନ୍ୟାସର ମତେ କର୍ମଦଣ୍ଡ ପଥେ ବୋଲାଇବ ବ୍ରହ୍ମଚାରୀ,
ଯତୀ ସାଥେ ଥିବ ଚିତ୍ତେ ନ କଳ୍ପିବ ନେତ୍ରେ ନ ଚାହିଁବ ସ୍ତିରୀ ।
ଯଦ୍ୟପି ଚାହିଁବ ଭିକ୍ଷା ଦେବାକାଳେ ମୁଖେ ନାହିଁ ପାଦେ ଦୃଷ୍ଟି,
ଆପଣା ମାତା ପରାଏ ମଣିଥିବ ତେବେ ଯାଇ ତପନିଷ୍ଠୀ ।
ପରଶିଲା ବେଳେ ଉତ୍ତର ନ ଦେବ ମଥା ପୋତି ଥିବ ରହି,
ସେ ପରାଣୀ ଯାହା ଧର୍ମପଣେ ଦେବ ସନ୍ତୋଷେ ଘେନିବ ତାହି ।
ପଥ ଚାଲୁଥିଲେ କାହିଁ ନ ଚାହିଁବ ପାଦ ଅଗ୍ରେ ଦୃଷ୍ଟି ଥିବ,
ଜନ୍ମ ମରଣକୁ କାଟି ଯେବେ ପାର ଯୋଗୀପୁତ୍ର ବୋଲାଇବ ।
କର୍ଣ୍ଣରେ ପତିତ ମାୟା ବସିଅଛି ଶୁଣିଣ କମ୍ପିବ ଦେହ,
ବିଷ୍ଣୁ ନାଦ ଦେହ ଅଟଳ ହୋଇଲେ ବୋଲାଇବ ଯୋଗୀପୁଅ ।
ବେନି ନେତ୍ରେ ଲୋଭ ମାୟା ବସିଅଛି ଦେଖି ନ କରିବ ପାଞ୍ଚ,
ଯୋଗୀପୁତ୍ର ହୋଇ ଭୋଗକୁ କଳ୍ପିଲେ ଜନ୍ମ ତାର ହେଲା ମିଛ ।
ନାସାରେ ବାସନା ମାୟା ବସିଅଛି ଗନ୍ଧେ ନ କରିବ ଶ୍ରଦ୍ଧା,
ସୌରଭ ବାସନା ବୋଲି ଦେବା ମାତ୍ରେ ଲାଗୁଅଛି ପାପବାଧା ।
ଜିହ୍ୱାରେ ଗ୍ରହଣ ମାୟା ବସିଅଛି ସୁସ୍ୱାଦୁ ମଣିବ ନାହିଁ,
ଯୋଗୀମାନଙ୍କର ଲକ୍ଷଣ ନୁହେ ସେ ଦେହ ବଞ୍ଚାଇବ ନାହିଁ ।
ଇନ୍ଦ୍ରିରେ ଅନଙ୍ଗ ମାୟା ବସିଅଛି ନ କଳ୍ପିବ ସ୍ତିରୀ ରୂପ,
ନିଃସଙ୍ଗୀ ହୋଇ ଯେବେ ସଙ୍ଗ କଳ୍ପିଲେ ଲାଗେ ଅପମୃତ୍ୟୁ ପାପ ।
ମାୟା ହୋଇ ଯେତେ ହୃଦେ ନ କଳ୍ପିବ ମନେ ନ ଧରିବ କିଛି,
ଦ୍ରୋହ ହୋଇଗଲେ ଅଦ୍ଭୁତ ମରଣ ଶାହାସ୍ରରେ ଲେଖୁଅଛି ।
ଦିଗମ୍ବରୀ ହୋଇ ଦିଗମ୍ବର ଭାବେ ପ୍ରଚରିଲେ ସିନା ହେବ ।
ଯୋଗୀ ଯୋଗ ଲକ୍ଷଣେ ରହିଲେ ବ୍ରହ୍ମଅଙ୍ଗୀ ବୋଲାଇବ ।
ବ୍ରହ୍ମ ପଇଚାନେ ଦିବା ନିଶି ଥିବ ଗୁରୁପାଦେ ରଖି ଚିତ୍ତ,
ଇଷ୍ଟ ଧର୍ମ ପାଳି ସତ୍ୟ ଭାଷୁଥିବ ତେବେ ହେବ ନିଜ ଭୃତ୍ୟ ।
ଆପଣା ଘଟକୁ ନିରନ୍ତରେ ଭେଦି ପିଣ୍ଡ ବ୍ରହ୍ମାଣ୍ଡ ତୋଳିବ,
ଆପଣା ମନ ଧ୍ୟାନର ଯୋଗେ ପଶି ଘଟ ଭିତରେ ବୁଲିବ ।
ଶରୀର ଭେଦେ ସର୍ବ ତୀର୍ଥ କରିବ ପଥଶ୍ରମ ହେବନାହିଁ,
ଯୋଗୀପୁତ୍ର ହୋଇ ବାହାରେ ଭ୍ରମିଲେ ତା ତହୁଁ ଅଜ୍ଞାନ ନାହିଁ ।
ପିଣ୍ଡ ବ୍ରହ୍ମାଣ୍ଡକୁ ଭେଦି ନ ପାରିଲେ ଯୋଗୀପଣ ଅକାରଣ,
ଦୁନିଆ ଦୋରଙ୍ଗୀ ପରାଏକା ହୋଇ ବିଅର୍ଥେ ଯାଇଣ ଦିନ ।
ସନ୍ନ୍ୟାସ ହୋଇ ଜୀବକୁ ହିଂସା କଲେ ତିନିପୁରେ ହୁଏ ଲଜ୍ଜା,
ସମସ୍ତେ ତାକୁ ଉପହାସ କରନ୍ତି ରାଜା ବ୍ରାହ୍ମଣେ ଅପୂଜା ।
ବୈଷ୍ଣବ ହେବ ମତିଭ୍ରମ ନୋହିବ ରଖିଥିବ ଶ୍ରୋତା ହେତୁ,
ପଞ୍ଚଭୂତରେ ବ୍ରହ୍ମକୁ ଲଏ କଲେ ତେବେ ପାଇ ଜ୍ଞାନ ତତ୍ତୁ ।
ଦିଗମ୍ବରମାନେ ଏମନ୍ତ ଲକ୍ଷଣ ଆଚାର ମତରେ ଥିବ,
ମାୟା ପାପ ପସରାକୁ ବୋଝକରି ହୃଦପଦ୍ମେ ନ ବୋହିବ ।
ବ୍ରହ୍ମର ଚରଣ ହୃଦରେ ଆଧ୍ୟାନ କରୁଥିବ ନିରନ୍ତରେ,
କହେ ଭୀମ ଭୋଇ ଯୋଗୀପୁତ୍ର ଯେତେ ଥିବ ନିଷ୍କାମ ଧର୍ମରେ ।