87 . ସତାଶୀ ବୋଲି
ସତାଶୀ ବୋଲି
ଅରୂପ ବ୍ରହ୍ମ ସେ ରୂପ ନ ଦିଶଇ ନାହିଁ ତାର ହାଇ ଛାଇ,
ଜନମ ଦିନରୁ ଉଚ୍ଛାରେ ବଢ଼ିଛି ଆଧାର ପାଣି ନ ଖାଇ ।
ପିତା ମାତା ନାହିଁ ଅଯୋନିସମ୍ଭୂତ ନାହିଁ ରଜବୀର୍ଯ୍ୟ ଗନ୍ଧ,
କେ ଗଢ଼ି ନାହିଁ ଆପେ ଗଢ଼ି ହୋଇଛି ଅରୂପ ଅନାଦି କନ୍ଦ ।
ଅନାମିକା ସେହୁ ନାମ ନାହିଁ ତାର ନ ବସେ ଅକ୍ଷର ପଦ,
ଚାରି ଯୁଗ ମଧ୍ୟେ ତାହାର ମହିମା ବର୍ଣ୍ଣି ନ ପାରିଲା ବେଦ ।
ଅବ୍ୟକ୍ତ ପୁରୁଷ ବ୍ୟକତ ନ ହୁଏ ବଚନ ଯହିଁରେ ନାହିଁ,
ଅଲେଖ ମଣ୍ଡଳ ପୁର ଭୁବନକୁ ନିଶବଦ ବୋଲି କହି ।
ନିର୍ବେଦ ପୁରୁଷ ବେଦ ନ ଲାଗଇ ନ ପଶେ ଶବଦ ଭେଦ,
ଅଖଣ୍ଡ ବ୍ରହ୍ମ ସେ ଖଣ୍ଡ ଖଣ୍ଡ ନୁହେ ନାହିଁ ତାର ବିନ୍ଦୁ ନାଦ ।
ଜପ ତପ ମନ୍ତ୍ର କିଛି ନ ଲାଗଇ ସକଳ ଠାବରୁ ଛଡ଼ା,
ସକଳ ପିଣ୍ଡକୁ ଗଢ଼ିଅଛି ସେହି ଆପ ଶରୀର ଅଗଢ଼ା ।
ତୀର୍ଥ ବ୍ରତ ଯଜ୍ଞ ହୋମ ନ ଲାଗଇ କ୍ରିୟା କର୍ମ ଆଦି ଛାଡ଼ି,
ସକଳ ଜୀବ ମାୟାରେ ପଡ଼ିଛନ୍ତି ଆପଣ ମୋହେ ନ ପଡ଼ି ।
ଦଶମୀ ଏକାଦଶୀ ବ୍ରତ ନ ପାଇ ନୁହେଁ କି ତାହାର କର୍ମ,
ବ୍ରହ୍ମକୁ ଭେଟିବୁ ବୋଲି ପ୍ରାଣୀମାନେ କରୁଛନ୍ତି ଦାନ ଧର୍ମ ।
ମନ ନାହିଁ ତାର ଅମନ ପୁରୁଷ ଅମନମଣ୍ଡଳେ ବାସ,
ଅଣ ଆକାର ବିହରେ ସେହି ପ୍ରଭୁ ଶୂନ୍ୟ ରୂପରେ ପ୍ରକାଶ ।
ରୂପ ରେଖ ତାର ବର୍ଣ୍ଣ ଚିହ୍ନ ଆଦି ନିଗମ ନିଗମେ ଗଲା,
ଗମି ଭେଟିବାକୁ କାହା ଶକ୍ତି ନାହିଁ ଅଗମ୍ୟେ ଯାଇ ରହିଲା ।
ସଂସାର ସାଗର କର୍ମମାନ ଯେତେ ଲାଗି ନ ପାରଇ ତାଙ୍କୁ,
ଏ କ୍ରିୟା କର୍ମରେ କେ ଭେଟିବ ତାଙ୍କୁ ପଚାରୁଅଛି କାହାକୁ ।
ଅକର୍ମ ଦାୟକ କର୍ମ ନ ଲାଗଇ ନୁହଇ କାହାରେ ବଶ୍ୟ,
ଏ ଭକ୍ତି ମାର୍ଗରେ ପ୍ରସନ୍ନ ନୁହଇ ଅଟଇ ତାଙ୍କୁ ଭବିଷ୍ୟ ।
ତାହାର ଛାମୁକୁ ଭ୍ରୂକୁଟି ଅଟଇ ନୁହଇ ସାତ୍ତ୍ୱିକ ସେବା,
କେ ପୁଣି କର୍ମରେ ପ୍ରସନ୍ନ ନୁହଇ କିସ ପଟାନ୍ତର ଦେବା ।
ତା'ର ମନେ ମନେ ସବୁ ବିଚାରଇ ନ ଥାଇ କାହାରି ମନେ,
ତା'ର ସୁଖରେ ଯାହା ଇଚ୍ଛା କରଇ ବସେ ଶୂନ୍ୟ ସିଂହାସନେ ।
ଚନ୍ଦ୍ର ସୂର୍ଯ୍ୟଙ୍କର ତେଜ ନାହିଁ ତହିଁ ନାହିଁ ଶରଦ ଉଷୁମ,
ବିନା ଅନଳରେ ଗରମ ଉଠୁଛି ନାହିଁ ଶିଶିର ଲଷମ ।
ଜଳ ପବନର ଧାପ ନାହିଁ ତହିଁ ଚମକ ଦମକ ନୁହେ,
ଅତି ନିଷ୍କାମ ଅଟଇ ସେହି ପୂର ଅଚିନ୍ତାରେ ବ୍ରହ୍ମ ରହେ ।
ଦେବାସୁର ନର ନ ଜାଣନ୍ତି ତାଙ୍କୁ ମୂର୍ଖ ପାପୀକୁ ଅଦୃଶ୍ୟ,
ଆଜ୍ଞାନୀମାନଙ୍କୁ ବହୁତ ଉହାଡ଼ ଜ୍ଞାନୀମାନଙ୍କୁ ବିଶ୍ୱାସ ।
ମାୟା କାୟା ଯହିଁ ସମ୍ବନ୍ଧ ନୁହଇ ହାସ ରସ କାହିଁ ଜଣା,
ପଞ୍ଚଭୂତ ଆଦି ଗମି ନ ପାରନ୍ତି ପଡ଼ିଛନ୍ତି ହୋଇବଣା ।
ଅନାମରୁ ସର୍ବେ ବାହାର ହୋଇଲେ ଜାଣି ନ ପାରିଲେ କେହି,
କାହାରି ମାୟା ପଥରେ ବଣା ହେଲେ ସୂତ୍ରେ ନ ପାରିଲେ ଯାଇ ।
ଏ ମାୟା ସାଗରୁ ତ୍ରିଗୁଣ ବାଧାରୁ ନେବ ଶ୍ରୀଗୁରୁ ବଞ୍ଚାଇ,
କହେ ଭୀମ ଭୋଇ ଗଲାବେଳେ ମୋତେ ସୂତ୍ରବାଟେ ଯିବ ନେଇ ।