90 . ନବେ ବୋଲି

ଉଇକିପାଠାଗାର‌ରୁ
ନବେ ବୋଲି ଲେଖକ/କବି: ଭୀମ ଭୋଇ
ନବେ ବୋଲି

ନବେ ବୋଲି

 
କାହାକୁ କେହି ସଙ୍ଖୋଳି ନ ପାରିବେ ସର୍ବେ ହେବେ ରଣଭଣ,
କଳି ଯାଇ ସତ୍ୟ ଯୁଗ ହୋଇବାର ଅଛଇ ଏତିକି ଗୁଣ ।
ତେତେବେଳେ ଆଉ ମହୀମଣ୍ଡଳରେ କେହି ନୋହିବେ କାହାର,
ନବଖଣ୍ଡ ମହୀ ତରସ୍ତ ହୋଇଣ କମ୍ପୁଥିବ ଥରହର ।
ଦକ୍ଷିଣଲୋକ ଉତ୍ତରେ ପଳାଇବେ ଉତ୍ତରବଲୋକେ ଦକ୍ଷିଣେ,
ମହା ଅନର୍ଥ ହୋଇବ ଏ ମେଦିନୀ କଳି ସତ୍ୟବାଦ ଗୁଣେ ।
ପୂର୍ବର ଲୋକେ ପଶ୍ଚିମେ ପଳାଇବେ ପଶ୍ଚିମର ଲୋକେ ପୂର୍ବେ,
ଚାରିଦିଗ ଲୋକେ ଏକାନ୍ତ ହୋଇବେ ମିଶାମିଶି ହୋଇ ସର୍ବେ ।
ପୁଣି କହୁଅଛୁଁ ହେ ପୁରୁଷମାନେ ମହିମା ନାମକୁ ଜପ,
ବାଡ଼ି ବୃତ୍ତି ଫନ୍ଦା କରୁଥାଅ ପଛେ ହୃଦପଦ୍ମେ ନାମ ରଖ ।
ସକଳ କର୍ମରେ ଲାଗିଥାଅ ପଛେ ବ୍ରହ୍ମ କର୍ମ ଧରି ଚିତ୍ତେ,
ଗୁରୁଚରଣେ ବିଶ୍ୱାସ ରୋପିଥିଲେ ତରି ନେଇଯିବେ ସତ୍ୟେ ।
ସ୍ତିରୀମାନେ ଆଗୋ ଯେ ଅଛ ସଂସାରେ ଘରଦ୍ୱାର ପଛେ କର,
ପୁତ୍ର ଦୁହିତା ଜନ୍ମାଇଲେ କି ହେଲା ତରିବା ପଥକୁ ଧର ।
ରତି ରମଣ ସୁରତି ସୁଖଭାବ କରୁଥାଅ ପଛେ ତୁମ୍ଭେ,
ଅନେକ ବିଷୟା ଲାଗିଥାଉ ପଛେ ବ୍ରହ୍ମ କର୍ମ ଧର ଦମ୍ଭେ ।
ରାଜାମାନେ ରାଜନୀତି କରୁଥାନ୍ତି ଦଣ୍ଡ ସିଂହାସନେ ବସି,
ଦୋଷକୁ ଚାହିଁ ବୁଝାମଣା କରନ୍ତୁ ହୃଦରେ ମହିମା ଘୋଷି ।
ଦୋଷକୁ ଚାହିଁ ଦଣ୍ଡ ଶାସ୍ତି ନ ଦେଲେ କିରୂପେ ଚଳିବ ପୃଥ୍ୱୀ,
ରଇତ ପରଜା କିରୂପେ ମାନିବେ ବଣା ହୋଇଯିବ ମତି ।
ମୁଲକର କଥା ବୁଝୁଥାଅ ପଛେ ସତ୍ୟ ଧର୍ମେ ଆଶ୍ରେ କର,
ମହିମା ଭଜିଲୁଁ ବୋଲି ନ ବୁଝିଲେ ଦେଶ ହୋଇବ କାହାର ।
ରାଜନୀତି ତାର କରୁଥାଅ ପଛେ ଗୁରୁ ଧର୍ମ ଥାଉ ଧ୍ୟାୟି,
ଗୁରୁ ସେବାରେ ପରଚେ ହେବ ଯେବେ ନିଶ୍ଚିନ୍ତେ ତରିବ ସେହି ।
କ୍ଷତ୍ରୀ ହୋଇ ପଞ୍ଚୁ ସହସ୍ରକୁ ଭିଡ଼ି ସତ୍ୟ ଧର୍ମ ଆଶ୍ରେ କରୁ,
ଘୋର ସଂଗ୍ରାମେ ପଶି କରି ପଛକେ ଗୋରୁ ବ୍ରାହ୍ମଣକୁ ମାରୁ ।
କ୍ଷତ୍ରୀ ହୋଇ ଯେବେ ଶସ୍ତ୍ର ନ ଧଇଲେ ଶତ୍ରୁ ଜୟ କରି ନୁହେ,
ଗୁରୁ ନାମ ଧରି ସିଂହରଡ଼ି ଦେବ ନ ଥିବ କାହାକୁ ଭଏ ।
କ୍ଷତ୍ରି ଧର୍ମରେ ଥାଉ ପଛେ ସେ ଜନ ଭଜୁଥାଉ ମହିମାକୁ,
ଗୁରୁପାଦେ ଯେବେ ସତ୍ୟ ରଖିଥିବ ନିଶ୍ଚେଁ ତାରିବେ ତାହାକୁ ।
ବ୍ରାହ୍ମଣ ହୋଇ ଚାରି ବେଦକୁ ପଢ଼ି କରୁ ପଛେ କ୍ରିୟା କର୍ମ,
ସନ୍ଧ୍ୟା ତର୍ପଣ ଯଜ୍ଞ ହୋମ କରିଣ ଧରିଥାଉ ଗୁରୁ ଧର୍ମ ।
ବେଦନ୍ତି ବ୍ରାହ୍ମଣ ହୋଇ ଥାଉ ପଛେ ଅଲେଖ ମହିମା ଭଜୁ,
ବେଦର ମତ ଯେତେ କର୍ମ କରୁଛି ବାହ୍ୟରେ ପଛେ ନ ତେଜୁ ।
ବ୍ରାହ୍ମଣ ହୋଇଣ ଗୁରୁସେବା କରୁ ବ୍ରହ୍ମକୁ ପରଚେ ହୋଇ,
ସତ୍ୟ ଧର୍ମକୁ ଅଭ୍ୟାସ କରୁଥିଲେ ନିଶ୍ଚଏ ତରିବ ସେହି ।
ରାଜା ବ୍ରାହ୍ମଣ କ୍ଷତ୍ରିକୁଳ ଯେ ଅଛ ସତ୍ୟଧର୍ମ ନ୍ୟାଏ ଧର,
ଆଶ୍ୱାସନା ଭାବେ ସବୁଙ୍କୁ କହୁଛୁ ବେଳହୁଁ ମୋ ବୋଲକର ।
ବେଳୁ ବେଳ ଯୁଗାବଦ ତୁଟୁଅଛି ଚିତ୍ତ ରଖ ଗୁରୁପାଦେ,
ମନରେ ସ୍ୱଚ୍ଛନ୍ଦ ଭଣେ ଭୀମ କନ୍ଧ ଅଷ୍ଟାଦଶଶତ ପଦେ ।