93 . ତେୟାନବେ ବୋଲି

ଉଇକିପାଠାଗାର‌ରୁ
ତେୟାନବେ ବୋଲି ଲେଖକ/କବି: ଭୀମ ଭୋଇ
ତେୟାନବେ ବୋଲି

ତେୟାନବେ ବୋଲି

 
ତାଳୁରୁ ତଳିପା ମୁଖ ପରିଯନ୍ତେ ମିଥ୍ୟାପଦ ତ୍ୟାଗ କର,
ଜିହ୍ୱା ଅଗ୍ରରେ ସତ୍ୟ ଧର୍ମ ବସାଇ ପ୍ରକୃତିଗଣ ନିବାର ।
ସତ୍ୟ ନ ପ୍ରକାଶି ମହିମା ଭଜିଲେ ପଡ଼ଇ ଅଦ୍ଭୁତ ମାଡ଼,
ଅସ୍ଥି ମାଂସ ଏକଠାରେ ମେଦ ହୋଇ ମସିଗୁଣ୍ଡା ହୁଏ ହାଡ଼ ।
ମହିମା ଭଜିଲେ ମିଥ୍ୟା ନ ଚଳଇ ସତ୍ୟାଦି କହିଲେ ପାର,
ଜ୍ଞାନ ଧ୍ୟାନ ନ ଜାଣିଲେ କିସ ହେଲା ଅବଶ୍ୟ ହେବ ଉଧାର ।
ମହିମା ଭଜିଲେ ପର୍ଦାରା ନ ଚଳେ ନିଅତ ପ୍ରମାଣ ସତ୍ୟ,
ନୋହିଲେ ତାହାକୁ ବିପତ୍ତି ପଡ଼ଇ ଅପମୃତ୍ୟୁ ପରାପତ ।
ମହିମା ଭଜିଲେ ହିଂସା ନ ଚଳଇ ନ ଯିବ ତହିଁର ପାଶ,
କଦାଚିତରେ ଖଚୁଆ ଲୋକଠାରେ ତିଳେ ନୋହିବ ବିଶ୍ୱାସ ।
ମହିମା ଭଜିଲେ ହିଂସା ନ ଚଳଇ ନ ଥିବ ତହିଁରେ ଲେଶ,
ସତ୍ୟ ଧର୍ମ ଦଣ୍ଡ ତାହାକୁ ପଡ଼ଇ ଗ୍ରାହିଯ୍ୟ ହୁଏ ଯେ ଦୋଷ ।
ମହିମା ଭଜି ପର ଖଚ ନ ଚଳେ ହୁଅନ୍ତି ଆତ୍ମାରେ ଘାତି,
ଜୀବ ଥିବାଯାଏ ସୁଖ ନାହିଁ ତାର ମିଳେ ରାଜଦଣ୍ଡ ଶାସ୍ତି ।
ମହିମା ଭଜିଲେ ପରକୁ ମଣିବ ଆପଣାର ଆତ୍ମା ପ୍ରାଏ,
ସାଧୁ ହୋଇ ମରିଗଲେ କିସ ହେଲା ଯୁଗେ ଯୁଗେ କୀର୍ତ୍ତି ରହେ ।
ମହିମା ଭଜିଲେ ପରପୁରୁଷକୁ ବୋଲିବ ଏ ମୋର ବାପ,
ଗୁରୁ ପ୍ରସନ୍ନେ ସେ ଜନ ଫଳ ପାଇ ତପସ୍ୟାଠାରୁ ଅଧିକ ।
ମହିମା ଭଜିଲେ ପର ଯୁବତୀକି ବୋଲିବ ଏ ମୋର ମାତା,
ମାତା ବୋଲନ୍ତେ ମୋହମାୟା ନ ଲାଗେ ଆପେ ଛଡ଼ାନ୍ତି କରତା ।
ମହିମା ଭଜିଲେ ଦୁଃଖ ସୁଖ କଥା ସକଳ ମଣଇ ଏକ,
ପାପ ପୁଣ୍ୟ କଥା ଜଣା ନାହିଁ ତାକୁ ଆବୋରି ଥାନ୍ତି ଅଲେଖ ।
ମହିମା ଭଜିଲେ ସ୍ତିରୀ ସଙ୍ଗମକୁ ନ କଳ୍ପିବ କଦାଚିତେ,
ଆପଣା ଭାରିଯା ହେଲେ କିସ ହେଲା ବିଚାରିବ ଅନ୍ତର୍ଗତେ ।
ଯେତେ ହେଲେ ସେହି କୁମ୍ଭି ନର୍କକୁଣ୍ଡ ଡୁବିଲେ ସକଳ ଗଲା,
ଚାରି ଯୁଗେ ଜୀବ ପଡ଼ି ପଡ଼ି ତହିଁ ନିଜ ହେତୁ ପାସୋରିଲା ।
ମହିମାକୁ ଭଜି ଯୋନି ଶକତିକି ଟାଳି ନ ପାରଇ ଯେହୁ,
ଗିଳି ପକାଉଛି ଆଚ୍ଛାଦି ଦେଉଛି ଚେତା ଥାଉଁ ମଲା ସେହୁ ।
ଭବନଦୀ ଜଳ ଭିତରେ ପଶିଲେ ଭବରୋଗ ହୋଏ ପିଣ୍ଡେ,
ନାନା ଦୁଃଖରେ ପତିତ ହୁଏ ପ୍ରାଣୀ ପଡ଼େ ଯମ କାଳଦଣ୍ଡେ ।
ଶ୍ରବଣ ଥାଉ ବଧୀର ଜଡ଼ ନୁହେ ଡାକି କହୁଅଛି ଶୁଣ,
ଚାରି ଯୁଗେ ଜନ୍ମିମରି ଯାଉଛନ୍ତି ଏକା ଭବନଦୀ ଗୁଣ ।
ନିର୍ଦୟ ସମୟ ଶକତି ବହିଛି ସବୁ ପକାଉଛି ଭକ୍ଷି,
ଚାରିଯୁଗ ମଧ୍ୟେ ଯେତେ ଦେହଧାରୀ ନିରୋଳା କରି ନ ରଖି ।
ମାୟାର କଳ୍ପମୂଳ ଅଟେ ସେହୁ କଳ୍ପିଲେ ମନ କ୍ଷରିଲା,
ପଞ୍ଚଭୂତ ଘେନି ପଚିଶ ପ୍ରକୃତି ଏକାବେଳେ ଓଟାରିଲା ।
ଏଥକୁ ବିଚାର ଜ୍ଞାନୀଜନମାନେ ଅକଳ୍ପଣା ଧ୍ୟାନ କର,
ଦିବସ ରଜନୀ ଲୋଡ଼ି ଠାବକରି ଧର ଅନାଦି ପୟର ।
ବ୍ରହ୍ମବେତ୍ତାମାନେ ବେଳ ଥାଉଁ ଥାଉଁ ସ୍ଥିତି ବସା ତୁମ୍ଭେ ଧର,
ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ମନରେ ହେଳା ନକର ।