95 . ପଞ୍ଚାନବେ ବୋଲି
ପଞ୍ଚାନବେ ବୋଲି
ନବଖଣ୍ଡ ମେଦିନୀରୁ ଚାରି ଧର୍ମ ଉଠିଲେଣି ଆକାଶକୁ,
ବହୁତ ଅନ୍ୟାଏ ଦେଖି ବ୍ରହ୍ମାଣ୍ଡର ଚାହିଁ ପାତକ ଭାରାକୁ ।
ଯହିଁ ଥିଲେ ଯେତେ ଦେବାଦେବୀଗଣ ଶୂନ୍ୟକୁ ଗଲେଣି ଉଠି,
କାହାରି ହସ୍ତେ ନ ଖାଇବାକୁ ପୂଜା ଅକର୍ମ ଦେଖି ଏ ସୃଷ୍ଟି ।
ଶ୍ରୀପୁରୁଷୋତ୍ତମ କପିଳାସ ଧାମ ତହୁଁ ଉଠିଲାଣି ଧର୍ମ,
ତୀର୍ଥମାନେ ସବୁ ଭ୍ରଷ୍ଟ ହୋଇଲେଣି କାହିଁରେ ନାହିଁ ନା ବ୍ରହ୍ମ ।
ଗଙ୍ଗା ଗୟା କାଶୀ ପ୍ରୟାଗ ସହିତେ ସେତୁବନ୍ଧ ରାମନାଥ,
ଏ ତୀର୍ଥମାନଙ୍କ ଧର୍ମ ଉଠିଲାଣି କାହିଁରେ ନାହିଁ ନା ସତ୍ୟ ।
ଗୋଦାବରୀ ଗଉମତୀ ବୃନ୍ଦାବନ ଦ୍ୱାରିକା ଯେ ହରଦ୍ୱାରା,
ଏ ତୀର୍ଥମାନ ବିଫଳ ହୋଇଲାଣି ଡୁବିଲାଣି ଧର୍ମ ଧାରା ।
ମାନସରୋବର ବଦରି ଯେ ନାଥ ବଇତ୍ରଣୀ ଆଦି କରି,
ଯମୁନା ସରସ୍ୱତୀ ଭ୍ରଷ୍ଟ ହେଲେଣି ଚତୁର୍ଥ ଧାମକୁ ଧରି ।
ମେଢ଼ ମଣ୍ଡପ ଦେଉଳ ଦେବାଳୟ ଜଗତି ଆଟ୍ଟାଳିମାନ,
ଯହିଁରେ ଦେଖିଲେ ସତ୍ୟ ଧର୍ମ ନାହିଁ ସକଳେ ହେଲେଣି ଶୂନ୍ୟ ।
ଦେବାଦେବୀ ଆଦି ଔଷଧ ମୌଷଧି ମନ୍ତ୍ର ଯନ୍ତ୍ର ଜପ ଯେତେ,
ସକଳ କରଣି ସରିଲାଣି ଆସି ନେତ୍ରେ ଦେଖନ୍ତୁ ସାକ୍ଷାତେ ।
ଦାରୁ ପ୍ରତିମା ଶିଳା ମୃତି ପାଷାଣ ଯେହୁ ଯେଉଁଠାରେ ଥିଲେ,
ଏହାଙ୍କ କରଣି ସରିଲାଣି ସବୁ ନ କାଟଇ ଆଉ ବେଳେ ।
ଯାହା ବାକି ଅଛି ଆଉ ଚାରି ଦିନେ ସକଳ ହେବ ବିପାକ,
ଛପନା କୋଟିର ପିଣ୍ଡ ପ୍ରାଣ କଥା ଅନାଦି ପୁରୁଷ ସାକ୍ଷ୍ୟ ।
ଆଉ ଚାରି ଦିନେ ବଦ୍ୟନାରାୟଣେ ଛାଡ଼ିବେ ଶାହାସ୍ର ପୋଥି,
କର୍ମ ଅନୁସାରେ ଥୋକେ ଥୋକେ ଅଛି ସକଳ ହେଲାଣି ପୋତି ।
ଅଚେତାରେ ସିନା ଜନ ପ୍ରାଣୀମାନେ କରୁଛନ୍ତି ଦେବପୂଜା,
ପାଦେ ପଡ଼ି ରକ୍ଷାକର ବୋଲୁଛନ୍ତି ଦେବୁଁ ଖିରି ପୁରି ଖଜା ।
ମୂର୍ତ୍ତିସିନା ସେହି ଜୀବ ଆତ୍ମା ନାହିଁ କାହୁଁ ଯାଚିଦେବେ ବର,
ବିଷ୍ଣୁ ନଟ କୁଟ ମାୟାକୁ ନ ଜାଣି ଅଜ୍ଞାନରେ ମୂଢ଼ ନର ।
ଯେହୁ ଗଢ଼ିଛି ଆପଣା ପିଣ୍ଡ ପ୍ରାଣ ତାକୁ ସମର୍ପଣ ନାହିଁ,
ଦାରୁ ପ୍ରତିମା ମୂର୍ତ୍ତିକି ବୋଲୁଛନ୍ତି ପ୍ରାଣକୁ ବଞ୍ଚାଅ ତୁହି ।
ମନୁଷ୍ୟ ହୋଇ ନିର୍ଜୀବ ସଙ୍ଗେ ଭାବ ଦେଖଟି କେଡ଼େ ଅଜ୍ଞାନ,
ଶୂନ୍ୟରୁ ଯେହୁ ପିଣ୍ଡ ପ୍ରାଣ ଗଢ଼ିଲା ନାହିଁ ତାକୁ ଅନୁମାନ ।
ଦୁଲଭ ଜନମ ବିଅର୍ଥ ହେଉଛି ପର୍ମେଶ୍ୱରଙ୍କୁ ନ ଚିହ୍ନି,
ଅଜ୍ଞାନରେ ନରେ ସବୁକୁ ପୂଜିଲେ ପ୍ରକୃତିର ସୁଖ ମଣି ।
ଆପଣା ମନରେ ଯାହା ବିଚାରିଲେ ସେହି କର୍ମମାନ କଲେ,
ଷଟ କର୍ମକାଣ୍ଡେ ସମସ୍ତେ ପଡ଼ିଲେ ନିଜ ଧର୍ମ ନ ଜାଣିଲେ ।
ସାଧୁଜନମାନେ ଅବିବେକ ନୁହ ନିଜ କର୍ମ ଅନୁସର,
ତଦଗତ କରି ନାମ ଆଶ୍ରେ କଲେ ଦୁସ୍ତରୁ ହୋଇବ ପାର ।
ହେଳା କରନାହିଁ ଭେଳା ବୁଡ଼ିଯିବ ବେଳ ହୋଇଗଲାଣି ଆସି,
ଅପରାଧ ଯେତେ ଖଣ୍ଡନ କରାଅ ନାମ ବ୍ରହ୍ମେ ନୁହ ଦୋଷୀ ।
ଅସୁଖ ନ ପାଅ ମନେ କ୍ଷୋଭ ନୁହ ପିଣ୍ଡ ପରାଣକୁ ହିତ,
ଭଣେ ଭୀମ ଭକ୍ତ ଊନବିଂଶଶତ ପଦେ ହେତୁ କରି ଚେତ ।