Jump to content

99 . ଅନେସୋତ ବୋଲି

ଉଇକିପାଠାଗାର‌ରୁ
ଅନେସୋତ ବୋଲି ଲେଖକ/କବି: ଭୀମ ଭୋଇ
ଅନେସୋତ ବୋଲି

ଅନେସୋତ ବୋଲି

 
ଅଭୟ ପୟର ପଦ୍ମପାଦ ଭଜି ହୃଦେ କରୁଛନ୍ତି ଭୟ,
ସଦଗୁରୁ ବୋଲି ଜାଣି ନ ପାରିଲେ ଖଣ୍ଡନ କର ସେ ଦ୍ରୋହ ।
ନିରୋଗୀ ପୁରୁଷ ବୋଲି ଜଣାନାହିଁ ଅଙ୍ଗେ ପଶୁଅଛି ରୋଗ,
ଅଗ୍ନି ଅଙ୍ଗୀକାର ଗୁରୁ ଅଟ ତୁମ୍ଭେ ନିବାର କଳୁଷ ଭବ ।
ନିଷ୍ପାପୀ ପୁରୁଷ ବୋଲି ଜଣା ନାହିଁ କରୁଛନ୍ତି ପାପମାନ,
ଜ୍ଞାନ ଦୀପାବଳୀ ହୃଦରେ ଚେତାଇ ଆଜ୍ଞାରେ କର ଛେଦନ ।
ଅଚିନ୍ତା ପୁରୁଷ ବୋଲି ଜଣାନାହିଁ କରୁଛନ୍ତି ହୃଦେ ଚିନ୍ତା,
ଅଜ୍ଞାନ ଜୀବ ଏ କିଛି ନ ଜାଣନ୍ତି ନିବାର ରାଗ ଅହନ୍ତା ।
ଅରୂପ ପୁରୁଷ ବୋଲି ଜଣାନାହିଁ ସ୍ୱରୂପକୁ ଭଜୁଛନ୍ତି,
ଅଚେତା ପ୍ରାଣୀ ଏ କେମନ୍ତେ ଜାଣିବେ ଫିଟାଅ ସଂଶୟେ ଭୀତି ।
ନିଷ୍କାମ ପୁରୁଷ ବୋଲି ଜଣାନାହିଁ ସ୍ୱକାମରେ ହୋଇ ମତ୍ତା,
ନିଷ୍କାମ ବ୍ରହ୍ମକୁ ଭଜିବା ଧର୍ମରେ ଥାଇକି ଏମନ୍ତ କଥା ।
ନିର୍ଗୁଣ ପୁରୁଷ ବୋଲି ଜଣା ନାହିଁ ଗୁଣରେ ମିଶାଉଛନ୍ତି,
ସ୍ୱଭାବେ ମନୁଷ୍ୟ ନର ଜନ୍ମ ଏହି କାହୁଁ ଜାଣିବେ ସେ ରୀତି ।
ନାମ ନାହିଁ ତାଙ୍କ ଅନାମିକା ବ୍ରହ୍ମ ମିଶାଉ ଅଛନ୍ତି ନାମ,
ନାମ ଉଚ୍ଚାରିଲେ ଅକ୍ଷର ହୋଇଲା ଲାଗି ଗଲାଣି ସେ କାମ ।
ନିଶବଦ ବ୍ରହ୍ମ ବୋଲି ଜଣାନାହିଁ ମିଶାଉଛନ୍ତି ଶବଦ,
ଦୁଇଗୁଣ ମିଳି ନିର୍ମାଣ ହୋଇଛି ପ୍ରକାଶିଛି ଏକ ପାଦ ।
ନିର୍ବେଦ ପୁରୁଷ ବୋଲି ଜଣାନାହିଁ ଲଗାଉ ଅଛନ୍ତି ବେଦ,
ଅଣଅକ୍ଷରରୁ ଅଣାକ୍ଷର ନାମ କାହୁଁ ଜାଣିବେ ସେ ଭାବ ।
କଳା ଗୋରା ବାଲି ବାରି ବସୁଛନ୍ତି ମଧ୍ୟେ ରହିଲାଣି ବର୍ଣ୍ଣ,
ମଧ୍ୟରୁ ରୂପ ଥୟ କରି ପାରିଲେ ସକଳ ଠାବରୁ ଭିନ୍ନ ।
ଅନାଦି ବ୍ରହ୍ମ ସେ ନାଦବିନ୍ଦୁ ନାହିଁ ରଜବୀର୍ଯ୍ୟରୁ ବାହାର,
ଜଳ ପବନରେ ନ ମିଶାଇ ତାକୁ ଏ ସୂତ୍ରରେ ଭକ୍ତି କର ।
ନିର୍ମାୟା ବ୍ରହ୍ମ ସେ ମାୟା ନ ଲଗାଇ ମୋହରେ ମିଶାଉଅଛ,
ମାୟାରୁ ଛାଡ଼ି ଛଡ଼ାଇ ଭକ୍ତି କର ମନରେ ନ ଧର ମିଛ ।
ଅବ୍ୟକତ ବ୍ରହ୍ମ ବ୍ୟକତ ନୋହି ସେ ମିଶାଉଅଛ ବଚନ,
ଲଗାଇ ଅର୍ଥ ସମ୍ପାଦ କରୁଅଛ ସକଳ ଜନ ଅଜ୍ଞାନ ।
ଧର୍ମାଧି ପୁରୁଷ ଭଗତି ଭିତରେ ଅଧର୍ମ ମିଶାଉଅଛ,
ଅଧର୍ମ ହେଲେ ବିପତ୍ତିମାନ ଘଟେ ଆତ୍ମାକୁ ପୀଡ଼େ କେଳଶ ।
ଅକର୍ମଦାୟକ ପୁରୁଷ ସେ ପ୍ରଭୁ କର୍ମରେ ଲଗାଉଅଛ,
ଅକର୍ମୀ ଜନ କର୍ମ ନିନ୍ଦା କରନ୍ତି ସତ୍ୟ ବାକ୍ୟ ନୁହେ ମିଛ ।
ସେ ବ୍ରହ୍ମ ମହିମା କେହି ନ ଜାଣନ୍ତି ସମୁଦ୍ରରୁ ଅଟେ ଗରୁ,
ତାହାର ନିଜକାମ ଲୋଡ଼ି ବୁଝିଲେ ସରିସମ ନୁହେ ମେରୁ ।
ଯେଉଁ ଦିନୁ ମାଟି ପୃଥ୍ୱୀ ହୋଇଲାଣି ମନୁଷ୍ୟ ଜନମ ଲଭି,
ମହିମା ସମ୍ପୂର୍ଣ୍ଣେ ଲେଖି ନ ପାରିଲେ ବହିଗଲେ ଭାବି ଭାବି ।
କେତେ କେତେ କବି କେତେ କେତେ ଯୋଗୀ କେତେ କେତେ ଅନୁଭବୀ,
ସମସ୍ତେ ରବିତଳରେ ବହିଗଲେ କେହି ନ ପାରିଲେ ଜାଗି ।
ସେ ମହାବ୍ରହ୍ମର ଅଶେଷ ମହିମା ଶେଷ କରି ନୁହେ କହି,
ଭଣେ ଭୀମ କନ୍ଧ ଭକ୍ତଭେଦବନ୍ଧ ଅନୁସରି ଅଛି ଧ୍ୟାୟି ।