ସବୁ କହିଗଲା । ରଜା କହିଲେ ବାଇକୁ ଦେଖିବା । ମାଳୀ ଆଉ ରଜା, ଦିହେଁଯାକ ସେ ବନସ୍ତକୁ ଗଲେ, ରଜା ଛିଡ଼ା ହେଲେ ମାଳୀ ସେହିପରି ପଥର ଉପରେ ଛିଡ଼ା ହେଲା, ପାଣିରେ ଗୋଡ଼ ଧୋଇଲା, ଆଉ ସବୁ କଲା । ପାନସୋରୀ ଆଗପରି ସବୁ କହିଲା । ରଜା ଶୁଣିଲେ ଜାଣି ପାରିଲେ ତାରାବତୀ ପାନସୋରୀକି ଏଠାରେ ହାଣିଚି । ମାଳୀକି ପଠାଇ ଦେଲେ, କହିଲେ ମୁଁ ଏଠାରେ ଥିବାର ତୁ ଆଉ କାହା ଆଗେ କହିବୁ ନାହିଁ, ଯେବେ କହିବୁ କାହାଆଗେ ତୋ ବଂଶକୁ ଶୂଳିୟାପଦାରେ ଶୂଳିଦେବି । ମାଳୀ ଘରକୁ ଅଇଲା ବାହାରି, କାହା ଆଗେ କିଛି କହିଲା ନାହିଁ । ରଜା ସେହି ପୋଖରୀକୂଳେ ବସିକାନ୍ଦୁଥାନ୍ତି । କାନ୍ଦି ୨ ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ି ଯାଉଚନ୍ତି, ପାର୍ବତୀ କହିଲେ ରହିଥାଅ ୨ କିଏ ଗୋଟିଏ କାନ୍ଦୁଚି ଏତେବେଳେ, ଈଶ୍ୱର କହିଲେ ଚାଲହୋ ଆମର ସେଥିରେ କଣଅଛି ? ପାର୍ବତୀ କହିଲେ ଆଉ ଆମେ ସୃଷ୍ଟି କାହିଁକ ଭିଆଇଚୁ ? ଲୋକଙ୍କ ଭଲମନ୍ଦ କିଏ ବୁଝିବ ? ଈଶ୍ୱର ପାର୍ବତୀ ଦିହେଁଯାକ ବନସ୍ତ ଭିତରକୁ ଗଲେ ରଜାପାଖକୁ, ପଚାରିଲେ ତୁ କିଏ, ଭୂତ କି ପ୍ରେତ କି ଡାହାଣୀ କି ଚିରଗୁଣୀ ତୁ କିଏ ? ଭଜା କହିଲେ ମୁଁ କେହି ନୁହେଁ ଆରଦେଶ ରଜାପୁଅ, ଏପରି ୨ ପାନସୋରୀକି ବିଭା ହୋଇଥିଲି ଆଉ ୨ ସବୁ କଥା କହିଗଲେ । ଈଶ୍ୱର ପାର୍ବତୀ କହିଲେ ହଉ ତୁ ତେଣିକି ମୁହଁ ବୁଲା, ରଜା ତେଣିକି, ମୁହଁ ବୁଲାଇଲାରୁ ଫୁଲପାଣି କରି ତିନି ମୁଠା ଛିଞ୍ଚିଦେଲେ ଯେ ପାନସୋରୀ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ଏ ରଜାପୁଅ ପାନସୋରୀକି ଘେନି ଆସିଲା ବାହାରି ଆପଣା ରାଜ୍ୟକୁ, ତାରାବତୀକି ଛାଡ଼ିଦେଇ ଆସିଲା । ପାନସୋରୀକି ନେଇ ଘରଦ୍ୱାର କଲା, ସୁଖରେ ରହିଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।