କୋଇଲି ! ଶ୍ରୀମନ୍ତ ପୁରୁଷ ମୋ ମାଧୋଇ ।
ଶୀରୀରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ । (ଲୋ କୋଇଲି)
କୋଇଲି ! ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ ।
ସେହିମତି କ୍ଷୀଣ ହେଲେ ମୋ ନନ୍ଦରାଜନ । (ଲୋ କୋଇଲି)
କୋଇଲି ! ସାତ ଦିନ ଇନ୍ଦ୍ର ବୃଷ୍ଟି କଲା ।
ସପତବରଷ ପୁଅ ମନ୍ଦର ଧଇଲା । (ଲୋ କୋଇଲି)
କୋଇଲି ! ହାଇ ଯେ ମାରଇ ପୁତ୍ର ତୁଣ୍ତ ।
ହୃଦୟେ ଦିଶିଲା ତାର ସପତି ବ୍ରହ୍ମାଣ୍ତ । (ଲୋ କୋଇଲି)
କୋଇଲି ! କ୍ଷନ୍ଦଣି ବନ୍ଧଣି ଭୁଜଦଣ୍ତ ।
କ୍ଷମା କର ଦୋଷ ମୋର ଭଣେ ମାରକଣ୍ତ । (ଲୋ କୋଇଲି)
ବାରମାସୀ କୋଇଲି
ଶଙ୍କର ଦାସ
ଆରେ ବାବୁ ଚାପଧାରୀ ! କି ଦଣ୍ତ ହେଲା ତୋହରି ।
କାନ୍ଦି କଉଶଲ୍ୟା ବୋଲନ୍ତି କୈକେୟୀ ଅରଜିବ କେଉଁଶିରୀ ଲୋ ।
କୋଇଲି ଶୁଣ ଲୋ ।
ଏହି ମଗୁଶିର ମାସ । କାକର ପଡ଼େ ବିଶେଷ ।
ଶୀତଳପବନ ବହେ ଘନଘନ ମୋ ପୁତ୍ର କରିବ କିସ ଲୋ ।
କୋଇଲି ଶୁଣ ଲୋ ।
ପୁଷମାସେ ବଡ଼ ଶୀତ । କଷ୍ଟ ଦିଏ ଅପ୍ରମିତ ।
ବିନା ବସନରେ ବୃକ୍ଷବକଳରେ କି ଦୁଃଖ ନ ହେବ ଜାତ ଲୋ ।
କୋଇଲି ଶୁଣ ଲୋ ।
ମାଘରେ ତହୁଁ ଅଧିକ । ଗରିବ ଦୁଃଖ ଦାୟକ ।
ଅମୂଲ୍ୟ ସୁପାତି ତେଜି ରଘୁପତି ବୁଲଇ କାନନଯାକ ଲୋ ।
କୋଇଲି ଶୁଣ ଲୋ ।
ଫଗୁଣେ ଫଗୁ ଖେଳରେ । ମାତିଛନ୍ତି ଘରେ ଘରେ ।
ମୋ ଅନ୍ଧୁଣୀଧନ ମୋଠୁଁ ହୋଇ ଭିନ୍ନ ଭସାଇଲା ଶୋକନୀରେ ଲୋ ।
କୋଇଲି ଶୁଣ ଲୋ ।
ଚଇତ୍ରମାସର ଖରା । ନୀରସ କରଇ ଧରା ।
ଶରୀରରୁ ଝାଳ ବହେ ଅନର୍ଗଳ ପରାଣ ହୋଏ ଘାବରା ଲୋ ।
କୋଇଲି ଶୁଣ ଲୋ ।