ପୃଷ୍ଠା:Typical selections from Oriya literature.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କୋଇଲି ! ଡାକିଲେ ଭାଷଇ ଯେହ୍ନେ ଶାରୀ ।
ଡାଳରତ୍ନଶୁଆ ପ୍ରାୟେ ଭାଷୁଥାନ୍ତି ହରି । (ଲୋ କୋଇଲି)
କୋଇଲି ! ଢଳୁଛନ୍ତି ମାଏ ଯଶୋବନ୍ତୀ ।
ଢ଼ାଳେ ହରାଇଲି ମୋର ପୁତ୍ର ଶିରୀପତି । (ଲୋ କୋଇଲି)
କୋଇଲି ! ଅନେକ ହିଂସିଲା ରାୟ କଂସ ।
ଅଣହେଳା କରିଣ ଆପଣେ ଗଲା ନାଶ । (ଲୋ କୋଇଲି)
କୋଇଲି ! ତନୁରେ ତା ଲେପଇ କୁଙ୍କୁମ ।
ତନୟେ ଖେଳାଉଥାନ୍ତି ଭାଇ ବଳରାମ । (ଲୋ କୋଇଲି)
କୋଇଲି ! ଥନ ଭାଙ୍ଗି କ୍ଷୀର ପିଆଇଲି ।
ଥବିର କାଳକୁ ପୁତ୍ର ଦେଖି ନ ପାରିଲି । (ଲୋ କୋଇଲି)
କୋଇଲି ! ଦଉଡ଼ିରେ ବାନ୍ଧିଲି ପୁତ୍ରକୁ ।
ଦାମୋଦର ରାଗେ ଗଲେ ମଥୁରାପୁରକୁ । (ଲୋ କୋଇଲି)
କୋଇଲି ! ଧନ୍ୟ ସେହୁ ଦଇବକୀ ନାରୀ ।
ଧର୍ମ ଥିଲା ପୁତ୍ରଗୋଟି ହୋଇଲା ତାହାରି । (ଲୋ କୋଇଲି)
କୋଇଲି ! ନ ଶୋଭଇ ଗୋପ‌ପୁର ମୋର ।
ନାରାୟଣ ଗଲାଦିନୁ ମଥୁରାନ‌ଗର । (ଲୋ କୋଇଲି)
କୋଇଲି ! ପବିତ୍ର ପୁରୁଷ ମୋ ମାଧୋଇ ।
ପବିତ୍ର ମୁଁ ହେଉଥିଲି କୃଷ୍ଣମୁଖ ଚାହିଁ । (ଲୋ କୋଇଲି)
କୋଇଲି ! ଫଳିବାକୁ ନାହିଁ ମୋର ଆଶ ।
ଫଳିବାର ଫଳ ଗଲା ବସୁଦେବ ପାଶ । (ଲୋ କୋଇଲି)
କୋଇଲି ! ବ‌ହୁତ ସ‌ହିଲି ତାଙ୍କ ଅଳି ।
ବଡ଼ାଇ ଶରଧା ଭାଙ୍ଗି ଗଲେ ବନମାଳୀ । (ଲୋ କୋଇଲି)
କୋଇଲି ! ଭଣ୍ତି ମୋତେ ଗଲେ ବେନି ପୋଏ ।
ଭାଇ ତାଙ୍କ ବଳରାମ ନଇଲେ ଭେଡ଼ାଏ । (ଲୋ କୋଇଲି)
କୋଇଲି ! ମଥୁରାକୁ ଯିବି କି ମୁଁ ଧାଇଁ ।
ମାଧବ ମଧୁସୂଦନ ଆଣିବି କଢ଼ାଇ । (ଲୋ କୋଇଲି)
କୋଇଲି ! ଯିବେ ଯେ ଆସିବେ ବୋଲି ଗଲେ ।
ଜଗତଜୀବନ ପ୍ରଭୁ ଭେଡ଼ାଏ ନଇଲେ । (ଲୋ କୋଇଲି)
କୋଇଲି ! ରତ୍ନ ବସ୍ତ୍ର ଅଳଙ୍କାରମାନ ।
ରାମ-କୃଷ୍ଣ-ଶ୍ରୀଅଙ୍ଗକୁ ଦିଶେ ଶୋଭାବନ । (ଲୋ କୋଇଲି)
କୋଇଲି ! ଲକ୍ଷ୍ମୀମନ୍ତ ଅଟେ ନାରାୟଣ ।
ଲଳିତରେ ନାମ ଦେଳେ ସେ ଗର୍ଗ ବ୍ରାହ୍ମଣ । (ଲୋ କୋଇଲି)
କୋଇଲି ! ବୃନ୍ଦାବନ ନ ଶୋଭଇ ମୋର ।
ବତ୍ସା କିଏ ଚରାଇବ ଯମୁନାର ତୀର । (ଲୋ କୋଇଲି)