Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମେ ସେ ବାଲେଶ୍ୱରର ଧୁଷୁରୀ, ଧାମନଗର ପ୍ରଭୃତି ଅଞ୍ଚଳରେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର କରିଥିଲେ । ପରେ ୧୯୨୧ ମସିହାରେ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ କାକଟପୁର, ଗୋପ, ନିମାପଡ଼ା, ପ୍ରଭୃତି ଅଞ୍ଚଳରେ କଂଗ୍ରେସର ବାର୍ତ୍ତା ପ୍ରଚାର କରିଥିଲେ ।

୧୯୩୦ ମସିହାରେ ବାଲେଶ୍ୱର ଇଞ୍ଚୁଡ଼ିଠାରେ ଅନୁଷ୍ଠିତ ଲବଣ ସତ୍ୟାଗ୍ରହରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାକଟପୁର ଅଞ୍ଚଳରେ ଏହି ସତ୍ୟାଗ୍ରହ ପାଇଁ ଏକ ଶିବିର ସ୍ଥାପିତ ହୋଇଥିଲା । ସେଠାରୁ ସତ୍ୟାଗ୍ରହୀମାନେ ଯାଇ କୁହୁଡ଼ି ପଡ଼ିଆଠାରେ ଲୁଣମାରି କାରାବରଣ କରିଥିଲେ । ପଣ୍ଡିତ ନୀଳକଣ୍ଠ, ଜଗନ୍ନାଥ ରଥ ପ୍ରଭୃତି ଏହାର ନେତୃତ୍ୱ ନେଇଥିଲେ । ମଧୁସୂଦନ ପ୍ରଥମ ଦଳରେ ସତ୍ୟାଗ୍ରହ କରି କାରାବରଣ କରିଥିଲେ। ସେ ସମୟରେ ସ୍ୱାୟତ୍ତଶାସନ ବ୍ୟବସ୍ଥା କାର୍ଯକାରୀ ହେବାରୁ ଜିଲ୍ଲାବୋର୍ଡ଼ ସବୁ ଗଠିତ ହୋଇଥିଲା । ପୁରୀ ଜିଲ୍ଲାବୋର୍ଡ଼ ଲାଗି ଯେଉଁ ନିର୍ବାଚନ ହୋଇଥିଲା, ତାହାର ସଭ୍ୟ ପାଇଁ ମଧୁସୂଦନ ପ୍ରାର୍ଥୀ ହୋଇଥିଲେ । ଲୋକମାନଙ୍କ ମନରେ ତାଙ୍କ ପ୍ରତି ଏପରି ମମତା ସୃଷ୍ଟି ହୋଇଥିଲା ଯେ ସେ ଜେଲରେ ଥିବା ସମୟରେ ବିନା ପ୍ରଚାରରେ ଜୟଯୁକ୍ତ ହୋଇଥିଲେ । ଖଲାସ ହୋଇ ସେ ପୁନଶ୍ଚ ଲୋକସେବାରେ ମନୋନିବେଶ କରିଥିଲେ ।

୧୯୩୩ ମସିହାରେ କାକଟପୁର ଅଞ୍ଚଳରେ ଭୟାବହ ବନ୍ୟା ହୋଇଥିଲା ଅନେକ ଆଡ଼ୁ ଗାଈଗୋରୁ ଭାସିଆସି ଢ଼ିପ ସ୍ଥାନମାନଙ୍କରେ ଲାଗିଥିଲେ । ସେମାନଙ୍କର ଥଇଥାନ ପାଇଁ ମଧୁସୂଦନ କୋଣାର୍କ ଠାରେ ଏକ ଗୋଶାଳା ପ୍ରତିଷ୍ଠା କରିଥିଲେ । ଏବେ କୋଣାର୍କର ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଯେଉଁଠାରେ ଅଛି, ତାହାରି ପଛପଟେ ଏକ ବାଲିବନ୍ତ(କୁଦ) ଉପରେ ଗୋଶାଳାଟି ଅବସ୍ଥିତ ଥିଲା । କିଛିକାଳ ପରେ ବଜ୍ରପାତରେ ସେ ଗୋଶାଳାଟି ଭାଙ୍ଗିଯାଇଥିଲା ଓ ତାଙ୍କର ଅତି ଆଦରର ବିଧବା ଭଉଣୀ ପ୍ରାଣତ୍ୟାଗ କରିଥିଲେ । ଏହା ସତ୍ତ୍ୱେ ମଧୁସୂଦନ ଜନସେବା ବ୍ରତରୁ ଓହରି ଯାଇ ନଥିଲେ।

୧୯୩୭-୩୮ ମସିହାରେ ସେ କାକଟପୁର, ପାଟୋନଦା ଓ କୁରୁଜଙ୍ଗ ମି.ଇ. ସ୍କୁଲ୍‌ମାନଙ୍କରେ ଶିକ୍ଷକତା କରିଥିଲେ । ୧୯୩୮ ମସିହାରେ କରୁଜଙ୍ଗ ମାଇନର ସ୍କୁଲ୍‌ର ପରିଚାଳନା କମିଟର ଅନୁରୋଧ କ୍ରମେ ସେ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ସତ୍ୟବାଦୀ ବନ ବିଦ୍ୟାଳୟ ଢ଼ାଞ୍ଚାରେ ବିଦ୍ୟାଳୟକୁ ଗଠନ କରିବା ନିମନ୍ତେ ସର୍ବଦା ଚେଷ୍ଟିତ ଥିଲେ ।

୧୨୧