ପୃଷ୍ଠା:Jati, Jagruti o Pragati.pdf/117

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୮ / ଜାତି, ଜାଗୃତି ଓ ପ୍ରଗତି
୧୯୪୮ ମସିହାରେ ତ‌ତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅନୁରୋଧ କ୍ରମେ ଡଚ୍ ସୈନ୍ୟବାହିନୀ ଘେରକୁ ଭେଦକରି, ନିଜ ଜୀବନକୁ ବିପନ୍ନ କରି ବିଜୁବାବୁ ସେଦିନ ତାଙ୍କ ନିଜସ୍ୱ ଡାକୋଟା ବିମାନରେ ଇଣ୍ଡୋନେସିଆ ମୁକ୍ତିବାହିନୀ ନେତା ସୁକର୍ଣ୍ଣଙ୍କ ଘନିଷ୍ଠ ସହଯୋଗୀ ମହମ୍ମଦ ହଟ୍ଟା ଓ ଶାହାରିଅରଙ୍କୁ ଯେପରି ଦିଲ୍ଲୀକୁ ଉଡ଼ାଇ ଆଣିଥିଲେ, ସେଥିରେ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ, ଏପରି ଦୁଃସାହସିକ ଅଭିଯାନରେ ତାଙ୍କ ସହିତ ଯିଏ ସହଯୋଗୀ ପାଇଲଟ ଭାବେ ଇଣ୍ଡୋନେସିଆ ଯାତ୍ରା କରିଥିଲେ, ସେ ହେଉଛନ୍ତି ଅନ୍ୟତମ ଦୁଃସାହାସିକା ନାରୀ ବିଜୁବାବୁଙ୍କ ପତ୍ନୀ ଶ୍ରୀମତୀ ଜ୍ଞାନ ପଟ୍ଟନାୟକ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କର ଉଲ୍ଲେଖନୀୟ ଅବାନପାଇଁ ସେ ଦେଶର ସରକାର ତାଙ୍କୁ ନାଗରିକତ୍ୱ ସହିତ ‘ଭୂମିପୁତ୍ର’ ଉପାଧିରେ ଭୂଷିତ କରିଥିଲେ । ବିଜୁବାବୁଙ୍କର ଏହି ଦୁଃସାହସିକ କାର୍ଯ୍ୟ କ’ଣ ସମଗ୍ର ବିଶ୍ୱ ସମ୍ମୁଖରେ ଭାରତବର୍ଷକୁ ସମ୍ମାନିତ କରି ନ ଥିଲା?

ସେହିପରି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫାଶୀବାଦର ପ୍ରବକ୍ତା ହିଟ୍‌ଲରମୁସୋଲିନ-ତୁଜୋଙ୍କ ସାମରିକ ମେଣ୍ଟ ବିରୁଦ୍ଧରେ ସୋଭିଏତ୍ ରୁଷ୍ ପକ୍ଷରୁ ଯେଉଁ ଯୁଗାନ୍ତକାରୀ ରକ୍ତକ୍ଷୟୀ ସଂଗ୍ରାମ ହୋଇଥିଲା, ସେହି ସଂଗ୍ରାମରେ ବିଜୁବାବୁଙ୍କ ସହାୟତାକୁ ସମ୍ମାନ ବୋକୁ ଯାଇ ୧୯୯୫ ମସିହାରେ ଋଷିଆ ତାଙ୍କୁ ‘ଜୁବୁଲି ପଦକ’ ଓ ‘ବୀନ୍‌ତାଙ୍ଗ୍ ଯଶ ଉତ୍ତମା’ ଉପାଧି ପ୍ରଦାନ କରି ସମ୍ମାନିତ କରିଥିଲେ । ଏପରି ଆନ୍ତର୍ଜାତିକ ଖ୍ୟାତି ସମ୍ମାନ ଓ ଭାବମୂର୍ତ୍ତିର କେତେଜଣ ଭାରତୀୟ ରାଜନେତାମାନଙ୍କର ଥିଲା, ତାହା ସମସ୍ତେ ଚିନ୍ତା କରିବା ଉଚିତ୍ । ଏହିଭଳି ଅନେକ ଅନେକ...ଦୃଷ୍ଟାନ୍ତ ରଖିଯାଇଛନ୍ତି ବିଜୁବାବୁ । ଯାହାର କିଛିଟା ଝଲକ ଆମ ଦୃଷ୍ଟିରେ ପଡିଛି ।

ଲାହୋର ଜେଲରୁ ମୁକ୍ତ ହେବା ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରି ସର୍ବପ୍ରଥମେ ଶାସକ ନିର୍ମାଣର ଭୂମିକା ଗ୍ରହଣ କଲେ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରାଇ । ଯାହା ମହତାବଙ୍କ ରଚିତ ‘Beginning of the End’ ପୁସ୍ତକରୁ ଜଣାପଡ଼େ ।

ଏକ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ସ୍ୱାର୍ଥ ରଖିବାପାଇଁ ଆଞ୍ଚଳିକ ଦଳ ଭାବେ ଉକ୍ରଳ କଂଗ୍ରେସ ଗଠନ କରିବା, ଜରୁରୀ ପରିସ୍ଥିତିକୁ ବିରୋଧ କରି କାରାବରଣ କରିବା ପରେ ଜୟପ୍ରକାଶଙ୍କ ଆନ୍ଦୋଳନରେ ସାମିଲ ହୋଇ ଜନତାପାର୍ଟି ଗଠନରେ ଓ ପରବର୍ତ୍ତୀ ଅବସ୍ଥାରେ ଜାତୀୟ ସ୍ତରରେ ଜନତା ଦଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ଅନନ୍ୟ, ଅତୁଳନୀୟ ।