ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କେତେବେଳେ ନାହିଁ । ସେଥିପ୍ରତି ତାଙ୍କର ନଜର ନ ଥାଏ, ମୂଲିଆ ମଜୁରିଆଠାରୁ ଆରମ୍ଭ କରି ଧନୀ ସାହୁକାର ଯାଏ, ସାଧାରଣ ଶିକ୍ଷକଠାରୁ ବଡ଼ ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କ ସାଥିରେ ତାଙ୍କର ସମାନ ବ୍ୟବହାର, ମନଖୋଲା କଥାବାର୍ତ୍ତା ଆଉ ହସଖୁସି ।

ବାଣପୁରରେ ଯେତେ ଉତ୍ସବ ଅନୁଷ୍ଠାନ, ସବୁଥିରେ ତାଙ୍କର ଉପସ୍ଥିତି ଓ ସମ୍ପର୍କ । ଗୋଦାବରୀଶଙ୍କ ଜୟନ୍ତୀ ଓ ମୃତ୍ୟୁ ବାର୍ଷିକୀ ପାଳନ କରିବାରେ ଥିଲା ତାଙ୍କର ନେତୃତ୍ୱ । କଲେଜ ପ୍ରତିଷ୍ଠା କରିବା ଆଉ ତା ପାଇଁ ଚାନ୍ଦାଭେଦା ଆଦାୟ କରିବାରେ ସେ ଥିଲେ ଆଗୁଆ । ପ୍ରାଥମିକ ଶିକ୍ଷକମାନଙ୍କର କେନ୍ଦ୍ର ବୈଠକରୁ ଆରମ୍ଭ କରି ବାର୍ଷିକ ଶିକ୍ଷକ ସଭା ସମ୍ମିଳନୀ ପର୍ଯ୍ୟନ୍ତ ସବୁଥିରେ ସେ ହୁଅନ୍ତି ଉପସ୍ଥିତ । ତାଙ୍କ ପାଖରେ ମାନ ଅଭିମାନ ବା ଅହମିକାର ନାମଗନ୍ଧ ନଥିଲା ।

୧୯୮୩ ଏପ୍ରିଲ ୬ ତାରିଖର ସନ୍ଧ୍ୟାରେ ନିଜର ସବୁ କାମଦାମ ସାରି ଆଉ ସମସ୍ତଙ୍କ ସହିତ କଥାବାର୍ତ୍ତା କରି ସେ ଛାତିରେ ଟିକିଏ କଷ୍ଟ ଅନୁଭବ କଲେ । ଭୁବନେଶ୍ୱରଠାରେ ଅବସ୍ଥାପିତ ତାଙ୍କର ଝିଅ ଜ୍ୱାଇଁ ଡାକ୍ତରାଣୀ ଶୈଳବାଳା ଓ ଡାକ୍ତର ରାଧାରମଣ କ୍ୟାପିଟାଲ ଡାକ୍ତରଖାନାକୁ ନେଇଗଲେ । ମାତ୍ର ଘଣ୍ଟାକ ଭିତରେ ସବୁଶେଷ । ତାଙ୍କର ମର ଶରୀରକୁ ବହୁ ଦିନର କର୍ମସ୍ଥଳୀ ବାଣପୁରକୁ ନିଆଯାଇଥିଲା । ଏପ୍ରିଲ ୭ ତାରିଖ ସକାଳ । କାଉ କା' କା' କରି ଯେମିତି ସବୁରି ଘରେ ଏହି ଦୁଃସମ୍ବାଦ ଜଣାଇ ଦେଲା । ଦୋକାନ ବଜାର ବନ୍ଦ କରି, ଚାଷବାସ କାମଛାଡ଼ି ଘର ଦ୍ୱାର କାମ ପକାଇ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ହୃଦୟର ଭକ୍ତି ଅର୍ଘ୍ୟ ଜ୍ଞାପନ କରି ରୁଣ୍ଡ ହୋଇ ଯାଇଥିଲେ । ରାସ୍ତାଘାଟ ବନ୍ଦ ହୋଇଯାଇଥିଲା, ଆଉ ତାଙ୍କର ପ୍ରିୟ ବିଦ୍ୟାଳୟରେ ଜନ ସମୁଦ୍ରର ଉତ୍ତାଳ ଲହରୀ ଖେଳିଯାଇଥିଲା । ସବୁରି ମନରେ ଶୋକର ଛାୟା ଓ ନୟନରେ ଅଶ୍ରୁଜଳ । ସେମାନଙ୍କର ବନ୍ଧୁ, ଶିକ୍ଷକ ଓ ଦିଗ୍-ଦର୍ଶକ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ ।

କୃତୀ ଶିକ୍ଷକ ଭାବରେ ସେ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଶିଶୁମାନଙ୍କ ପାଇଁ ସେ ପାଠ୍ୟ ପୁସ୍ତକଠାରୁ ଗଳ୍ପ କବିତା ପ୍ରଭୃତି ପର୍ଯ୍ୟନ୍ତ କେତେ ପ୍ରକାର ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି । ଲୋକପ୍ରିୟ 'ମଳୟ' ପତ୍ରିକାର ସେ ଥିଲେ ମୁଖ୍ୟ ସମ୍ପାଦକ । ସେ ଅନେକ