୧୨୧
ଦୁଃଖ କହିବି କି ସୁଖ କହିବି
ଦେଶରେ ଦୋରବସ୍ତ ଚଳାଇଥିଲେ ମଧ୍ୟ, ପୁଣି ସାମ୍ୟବାଦର ପ୍ରତିଷ୍ଠାତାମାନଙ୍କ ଗଣନା ଅନୁସାରେ ସୁନିୟନ୍ତ୍ରିତ, ମାର୍ଜିତ, ସୁସଭ୍ୟ ଓ ସୁଯୋଗ୍ୟ ଗଣତନ୍ତ୍ରବାଦୀ ଦେଶମାନଙ୍କରେ ପ୍ରଥମେ ନ ଚଳି ପୁରୁଣାପନ୍ଥୀ, ଧର୍ମଭୀରୁ, ଦରିଦ୍ର ରୁଷିଆ ଦେଶରେ ଏହା ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ, ଆଉ ମଧ୍ୟ ହିଟ୍ଲର, ମୁସୋଲିନି ପ୍ରଥମେ ସାମ୍ୟବାଦୀ ରୂପେ ନିଜର କର୍ମପନ୍ଥା ଆରମ୍ଭ କରିଥିଲେ ହେଁ ଏବଂ କେମାଲଙ୍କର ମୂଳନୀତି ଏବେ ମଧ୍ୟ ସାମ୍ୟବାଦ ଉପରେ ପ୍ରତିଷ୍ଠିତ ବୋଲି ତାଙ୍କ କାର୍ଯ୍ୟକଳାପରୁ ସଫା ଜଣା ଗଲେ ହେଁ ଏବଂ ୟୂରୋପର ଚିନ୍ତାନାୟକମାନେ ଯଥା, ନାମଯାଦା ଲେଖକ ଓ ସାହିତ୍ୟିକ ଓୟେଲସ୍, ବର୍ଣ୍ଣାଡ଼୍ଶ, ଚେଷ୍ଟାରୁଟନ୍, ରୋମ୍ୟାଁ ରୋଲାଁ, ବଟ୍ରାଣ୍ତ ରାସେଲ୍, କୋଳ୍, ଲାସ୍କି ଓ ବିଖ୍ୟାତ ବୈଜ୍ଞାନିକ ଆଇନ୍ଷ୍ଟିନ୍ଙ୍କ ପର୍ଯ୍ୟନ୍ତ ଏହି ମତବାଦକୁ ଧରିଥିଲେ ହେଁ, ଫାସିଜିମ୍ ପରି ସୋସାଲିଜିମ୍ କୃତକାର୍ଯ୍ୟ ହୋଇ ପାରି ନାହିଁ । କେବଳ ଗୋଟିଏ ଦେଶ ରୁଷିଆରେ ଆବଦ୍ଧ ରହି ସାମ୍ୟବାଦ ତାହାର ନାମ ସାର୍ଥକ କରି ନପାରେ, କାରଣ ତାହାହେଲେ ଦେଶର ସବୁ ବାହ୍ୟିକ ନୀତିରେ (Foreign Policy) ଅନ୍ୟ ସମସ୍ତ ପୁଞ୍ଜିବାଦୀ (Capitalist) ସରକାର-ନୀତି ସଙ୍ଗେ ତାକୁ ପାଲିସ୍ କରିବାକୁ ହିଁ ହେବ ଏବଂ ଅନ୍ୟ କଥାରେ ବିରୁଦ୍ଧ ପକ୍ଷ ପୁଞ୍ଜିବାଦକୁ ସମର୍ଥନ କରିବାକୁ ପଡ଼ିବ ।
ସେଥିପାଇଁ ରୁଷିଆର ସାମ୍ୟବାଦକୁ ପଣ୍ତିତମାନେ ଆଭ୍ୟନ୍ତରିଣ ସାମ୍ୟବାଦ (State Socialism) ନାମ ଦେଇଥାନ୍ତି । ଅର୍ଥାତ୍ ତାହାର ସାମ୍ୟବାଦ ରାଜ୍ୟ ଭିତରେ ହିଁ ଆବଦ୍ଧ । ସାମ୍ୟବାଦର ବିଶିଷ୍ଟ ନୀତି ଆନ୍ତର୍ଜାତିକତା ବା ବିଶ୍ୱ-ବିପ୍ଳବ (World Revolution) କୁ ଏ କ୍ଷେତ୍ରରେ ତହିଁରୁ ଅଲଗା କରିବାକୁ ପଡ଼ିବ । ଏହି କାରଣକୁ ଦର୍ଶାଇ