ଛାର ଦେହକୁ ମନ କରିଛୁ ସଜ ।
ଛନ୍ଦକପଟ ତେଜି ଗୋବିନ୍ଦ ଭଜରେ ।
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା ।
ଛଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ାରେ ।
ଯମ ଯେ ନ ଜାଣଇ ବାଳୁତ ଯୁବା ।
ଜୀଇବୁ ବୋଲି ମନେ କରିଛୁ ଅବା ରେ ।
ଜଣେହେଁ ଏଥୁଁ କେହି ନାହିଁ ଅମର ।
ଜଗନ୍ନାଥଙ୍କୁ ଭଜ ହେବୁ ଉଧାର ରେ ।
ଝୋଲା ଗନ୍ତା ପାଛୁଡ଼ା ପିନ୍ଧାକୁ ରସୁ ।
ଝାଡ଼ସଂସାରେ ମନ ନ ବୁଝି ପସୁ ରେ ।
ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ ।
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ରେ ।
ନିଶୀ ଦିବସେ ଥୟ ନୋହୁନା ମନ ।
ନିଦ୍ରାରେ ଦେଖୁଅଛୁ ଯଥା ସ୍ବପନ ରେ ।
ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା ।
ନାମ ମାତ୍ର ଅଟଇ ପଥକୁ ସଖା ରେ ।
ଟାଣ କରୁଛୁ ମନ ସବୁ ମୋହରି ।
ଟଳି ପଡ଼ିଲେ କେହି ନୋହେ କାହାରି ରେ ।
ଟେରାଭିତରେ ଯେହ୍ନେ ଅପୂର୍ବ ନାରୀ ।
ଟୋପ ଚଉଁରା ଅଛି ତୋ ଦେହେଁ ପୂରି ରେ ।
ଠିକେ ମୁଁ କହୁଅଛି କର ମୋ କଥା ।
ଠିକେ ତୋ ଦେହେଁ ଅଛି ଶୂନ୍ୟ ଦେବତା ରେ ।
ଠକି ଯିବୁଟି ଠିକ ମୁଣ୍ଡ ପଡ଼ଁଲେ ।
ଠିକେଣ ଗୁରୁସେବା କର ତୁ ଭଲ ରେ ।
ଡାକି କହୁଛି ମନ ଡାକ ଗୋବିନ୍ଦ ।
ଡର ଜଞ୍ଜାଳ ଯାଉ ତୋହୋର ହୃଦ ରେ ।
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ ।
ଡଙ୍ଗା ଯେହ୍ନେ ଜଳରେ ଚାହାଁ ପଛକୁ ରେ ।
ଢୋଲ ଯେସନେ ଢାଉଁ ଢାଉଁ ବାଜଇ ।
ଢାଳେ ତହିଁ ଭିତରେ କିଛିହିଁ ନାହିଁ ରେ ।
ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ ।
ଢଳି ପଡ଼ିଲେ ସବୁ ଯେବଟି ମିଚ୍ଛ ରେ ।
ଏଣେ ତୁ ଦେଇଥିଲେ ତେଣେ ପାଇବୁ ।
ଅଣ ଆୟତ୍ତ ବେଳେ କି ଘେନି ଯିବୁ ରେ ।
ପୃଷ୍ଠା:Typical selections from Oriya literature.pdf/୩୫୮
ଦେଖଣା
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୨୦
ଓଡ଼ିଆ ସାହିତ୍ୟ-ପରିଚୟ