Jump to content

ପୃଷ୍ଠା:Galpa swalpa.djvu/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ହସିଲେ । ଅସଲ କଥାଟା ବୁଝିବାକୁ ଦି ମିନିଟ୍ ଡେରି ହେଲା । ପକେଟରୁ ନୋଟ୍‌ବୁକ୍ ବାହାର କରି ଲେଖିଲେ “Subal Singh is fit to be a constable. He seems to be a clever man and knows how to show respect to the fair sex.” ହୁକୁମ୍ ଦେଲେ, “ତୁମ୍ କାଲ ଫଜର ଡେରା କା ପାଶ୍ ହାଜର ହୋ ।”

ସୁବଳ ସିଂହ ସାହେବଙ୍କ ଅର୍ଦ୍ଦଳି । ସାହେବ ତ ଭାରି ଶିକାର ପ୍ରିୟ । ଶିକାର ସରଞ୍ଜାମ ତାହା ଜିମା ଥାଏ । ସୁବଳ ସିଂହ ନ ଥିଲେ ସାହେବ ଶିକାରକୁ ବାହାରି ପାରନ୍ତି ନାହିଁ । ସୁବଳ ଉପରେ ସାହେବଙ୍କର ଅନୁଗ୍ରହ ଦେଖି ଭଲ ଭଲ ଲୋକମାନେ ତାହାର ଅନୁସରଣ କରି ଥାଆନ୍ତି । ସେଥିରେ ତାହାର ଦରମା ମାସିକ ଟ୯ ଛଡ଼ା ଉପରି ଦି ଚାରି ପଇସା ବେଶ ରୋଜଗାର ହୁଏ । ହେଲେ ସବୁ ଦେବକୀ ହିସାବ କରି ନିଏ । କେବେ କାଳେ ସିଂହର ଟଙ୍କେ ମଷେ ବେଜାୟ ଖରଚ ଧରା ପଡ଼ିଲେ ଦେବକୀ ଖପା ହୋଇ ଗାଳି ଦିଏ । “କାଠଖିଆ, ତୁ ତ ଟଙ୍କା ଏଇରକମ ଉଡ଼େଇବୁ, ପର ଘରେ ଗୋଲାମି କରୁଛୁ କ୍ୟାଁ ?” ଆଉ ଗୋଟାଏ କଥା, ମହାକୁଡ଼ ସିଂହ ହେଲାରୁ ଦେବକୀ ନାମ ହେଲା ସିଂହଣୀ, ସେ ଆପେ ଗାଁ’ଯାକ ଏହି ନାମ କହି ଆସିଲା । ସିଂହଙ୍କର ଦି’ ତିନି ବରଷ ଚାକିରୀ ବାଦେ ଥରେ ପୁଲିସ ସାହେବ, ମେଜେଷ୍ଟର ସାହେବ ମିଶି ଡୋମପଡ଼ା ବଣକୁ ଶିକାର କରି ଯାଇଥିଲେ । ମେଜେଷ୍ଟର ସାହେବ ଗୋଟେ କେନ୍ଦୁଆକୁ ଯିମିତି ଗୁଳି କରିଛନ୍ତି, ହେଲା ଅଣ୍ଟାଗୁଳି, କେନ୍ଦୁଆଟା ଗୋଟାଏ ଝୁମ୍ପୁଡ଼ିଲଗା ଭିତରେ ପଶି ଗର୍ଜନ କରୁଥାଏ । ସାହେବ ସଙ୍ଗରେ ଶକଡ଼ା ବେଠିଆ, ଯୋଡ଼ାଏ ହାତୀ, ଘାଉଲା କେନ୍ଦୁଆ ପାଖକୁ ଯାଉଛି କିଏ ? ଘାଉଲା ବାଘ, ଧଇଲା ଯମ ଏକା କଥା । ପୁଲିସ ସାହେବ ସୁବଳ ସିଂହ ମୁହଁକୁ ଚାହିଁଲେ । ସିଂହେ ଉଁ କି ଚୁଁ ନ କରି ପଶିଲେ ବଣରେ । ସିଂହେ ସେଇ ମଇଁଷିମଣା ଠେଙ୍ଗା ଆଜି ଯାଏ ଛାଡ଼ି ନାହାନ୍ତି । ବାଘ ମୁଣ୍ଡରେ ଚାରି ପାହାର କଷି ଦେଇ ଲାଞ୍ଜ ଧରି ଭିଡ଼ି ଭିଡ଼ି ଆଣି ମେଜେଷ୍ଟର ସାହେବଙ୍କ ଆଗରେ ଥୋଇଦେଲେ । ସଙ୍ଗେ ସଙ୍ଗେ ନଗଦ ଟ୨୦ଙ୍କା ବକ୍ସିସ୍, ଆଉ ଟ୧୫ ଦରମାର ଜମାଦାରୀ । ଏତେ ହେଲା ହଁ, ହେଲେ ସିଂହଙ୍କୁ କାଳ ସହିଲା ନାହିଁ । କାର୍ତ୍ତିକମାସିଆ ଛୁଟି ନେଇ ଘରକୁ ଆସିଛନ୍ତି, କାହୁଁ ଗୋଟାଏ କାଳ-ଜ୍ୱର ଆସି ମାଡ଼ି ବସିଲା । ଜର ସଙ୍ଗେ ସଙ୍ଗେ ସନ୍ନିପାତ । ଦିନ ତିନିଟାରେ ଶେଷ ।

ଏଣେ ସିଂହାଣୀଙ୍କର ଦେହରେ ଯିମିତିକା ବଳ, ମନରେ ବି ସେହି ପରି ସାହସ; ଘୋର ବିପଦରେ ପଡ଼ି ହଟିବାର ନୁହନ୍ତି। ସ୍ୱାମୀର ଶୁଦ୍ଧିକାର୍ଯ୍ୟ ସାରି ଆପଣା ବେଉସାରେ ଲାଗିଗଲେ । ସିଂହେ ସିଂହାଣୀ ରୂପରେ ଗୁଣରେ ସମାନ । ବିଧାତା ଯେମନ୍ତ ଗୋଟିଏ ଚକରେ ଦୁଇଜଣଙ୍କୁ ଗଢ଼ିଛନ୍ତି; ତେବେ ସିଂହାଣୀ ଉଚ୍ଚାରେ ଅଧଚୌକେ ବେଶି ହେବେ । ନାହି ତଳକୁ ଲୁଗା ପିନ୍ଧିଥିଲେ ପେଟଟି ଛ ନଉତିଆ ଧାନ ଉଷୁନା କଳା ହାଣ୍ଡି ପରି ବାହାରି ପଡ଼ିଥାଏ । ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ଼ ଭଲ ପା’ନ୍ତି । ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢ଼ି ପକାଇଥିଲେ । ଶୁଦ୍ଧ ବାସିଦିନ ଫେର ହାତଗଣ୍ଠିଠାରୁ କହୁଣୀଯାଏ ଦଶବିଶାର ପିତଳବାହି ବଳା ଦୁଇ ହାତରେ ଲଗାଇ ଦେଲେ । ନାକରେ ତୋଳାଏ ଓଜନର ସୁନାଗୁଣା ଚେପଟା ବିଶାଳ ନାକକୁ କାମୁଡ଼ି ଧରିଥାଏ । ବେକରେ ଦଶ ଦଶ ଗଣ୍ଡା ଗୋଡ଼ଲଗା ଟଙ୍କାମାଳ ନାହିଯାଏ ଲମ୍ବି ପଡ଼ିଥାଏ । ଦୁଇ ହାତରେ ଦି’ ପୁଞ୍ଜା ଗେଣ୍ଡା ପରି ଛାପ ମୁଦି । ସିଂହାଣୀଙ୍କ ସାହସ ଊଣା ନୁହେଁ । ଗାଁ’ ମୁଣ୍ଡ ନିଛାଟିଆରେ ଘର, ଛୁଆଟାକୁ ଧରି ଏକୁଟିଏ ପଡ଼ିଥାଏ । ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁ’ ଲୋକେ ଜାଣନ୍ତି; ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର