ପୃଷ୍ଠା:Galpa swalpa.djvu/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ରାତିଆ ସିନ୍ଧି କରି ତିନି ଜଣ ଚୋର ଘର ଭିତରେ ପଶିଲେ । ସିଂହାଣୀ ଶୋଇଥିଲେ, ତାକୁ ଯିମିତି ମାଡ଼ି ବସିଛନ୍ତି ସେ ତ ହାଉଳି ଖାଇ ହାତ ଯୋଡ଼ାକ ଛିଞ୍ଚାଡ଼ି ଦେଲା । ଚୋର ଗୁଡ଼ାକ ଚାରି ହାତ ଦୂରରେ ପଡ଼ିଗଲେ । ଯୋଡ଼ାଏ ଚୋର ତ ପଳାଇଲେ; ଗୋଟାକୁ ମାଡ଼ି ବସିଲା, ଗାଈ ପଘାରେ ଘର ମଝିଖୁମ୍ବରେ ଭିଡ଼ି ବାନ୍ଧି ଦେଲା । ସକାଳୁ ଗାଁ’ ଲୋକେ ଦେଖି ଧାଇଁଲେ, ଏ ଚୋରଟା କିଏ ମ ? ମଲା ମଲା ! ଏ ତ ଗାଁ’ ଚଉକିଆ ବାଉରୀ ଝପଟ ସିଂ । ସମସ୍ତେ ପରାମର୍ଶ କଲେ ଚୋରକୁ ଚଲାଣ ଦେବେ । ସିଂହାଣୀ କହିଲା, “ଆଚ୍ଛା ମୁଁ ଚଲାଣ ଦେବି ।” ଦୁଇ ଗାଲରେ କଷି ଲଗାଇଲା ଦୁଇ ଚାପଡ଼ା । ଉଆଉଫଡ଼ା ପରି ଗାଲ ଫୁଲିଗଲା, ଚଉକିଆପୁଅ ପନ୍ଦର ଦିନ ଘରୁ ବାହାରି ନାହିଁ, ବିଛଣାରେ ପଡ଼ିଥିଲା । ସିଂହେ ବିଯୋଗ ବେଳକୁ ପୁଅ ଅନନ୍ତାର ହୋଇଥିଲା ଚାରି ବରଷ । ବୟସ ଟଳା ବେଳେ ପୁଅଟିଏ ହେବାରୁ କୋଟିନିଧି ପାଇଥିଲେ । ପୁଅଟିର ଆକାର ବାପା ମା’ ପରି, ସେହିପରି ଦେହର ବର୍ଣ୍ଣ । ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅଟିକୁ ଘଡ଼ିଏ କୋଡ଼ରେ ବସାଇ ଗେଲ କରନ୍ତି, ଗେଲ କଲାବେଳେ ଗୀତ ଗାଉଥା’ନ୍ତି –

‘ହାତୀ ଝୁଲୁଥାଏ ଲସରପସର
କିଆକନ୍ଦା ଖାଇବାକୁ,
ଅନନ୍ତୁ ଝୁଲୁଛି ଲସରପସର
ମାଆଦୁଧ ଖାଇବାକୁ ।
ଆକାଶେ ବୁଲୁଛି ଚନ୍ଦ୍ର ଉଦିଆରେ
ସଙ୍ଗତେ ବହୁତ ତରା,
ଅନନ୍ତୁ ଝୁଲୁଛି ମାଆକୋଳେ ବସି
ଦୁଧ ସେ ଖାଇବ ପରା ।
ବାପ ତ ଯାଇଛି ମଇଁଷିଗୋଠକୁ
ମାଆ ତ ଦୁହିଁବ ଗାଈ,
ରାଜାଙ୍କ ଦୁଆରେ ପାଟହାତୀ ବନ୍ଧା
ଅନନ୍ତୁ ଚଢ଼ିବ ଯାଇ ।’

ଏହି ପରି ଗେଲ କରି ପୁଅକୁ ବସି ଝୁଲାଉଥା’ନ୍ତି । ହାତୁଣୀ କୋଳରେ ହାତୀ ପିଲା ପରି ପିଲାଟି ଝୁଲିଲେ ବଡ଼ ମାନେ । ରୋଜି ବଡ଼ି ସକାଳୁ ଉଠି ପୁଅକୁ ତେଲ ହଳଦୀ ଟିକିଏ ମାଖି ଦେଇ କାଠ ପାନିଆରେ ମୁଣ୍ଡ କୁଣ୍ଡେଇ ମୁଣ୍ଡରେ ଗୋଟାଏ ସାନ ଜଟ ବାନ୍ଧିଦିଏ । ଘଡ଼ିଏଯାଏଁ ପୁଅ ମୁହଁକୁ ଚାହେଁ, ତା’ ବାଦ ଆପେ ଜିଭ କାମୁଡ଼ି ପକାଇ କୁହେ, “ମା’ ଡାହାଣୀ ! ସୁନ୍ଦର ପୁଅଟିକୁ ମୁଁ ଚାହିଁଛି ।” ତାହା ବାଦେ ତୁଳସୀ ମୂଳରୁ ଟିକିଏ ମାଟି ଆଣି ମୁଣ୍ଡରେ ଚିତା କରିଦିଏ । ଜଟ ଉପରେ ଟିକିଏ ଗୋବର ଲଗାଇ ଦିଏ । ତାହା ବାଦେ ପୁଅ ଉପରକୁ ଟିକିଏ ଛେପ ପକାଇ ଦିଏ । ଗାଁ’ରେ କେତେ ରକମ ମାଇକିନିଆ ଅଛନ୍ତି, କାହା ନଜର କେମିତି ? ପୁଅକୁ ହାୟରା କରିଦେବେ । ଏହି ଲାଗି ପୁଅ ବେକରେ ଖଣ୍ଡିଏ ଘୁଷୁରୀଥୋମଣୀ, ଗୋଟିଏ ତମ୍ବା ଡେଉଁରିଆ ଭିତରେ ମହାଦେବ ବେଲପତ୍ରୀ, ଦି’କଡ଼ା କାଣୀ କଉଡ଼ି, ଚାରିଟା ରୂପା ଡେଉଁରିଆ, ମୂଳମୂଳିକା ହାର କରି ପୁଅ ବେକରେ ଲଗାଇ ଦେଇଛି । ବାରଲୋକର ନଜର କଟିଯିବ ବୋଲି ଆପଣା ଗୋଡ଼ରୁ ଟିକିଏ ଧୂଳି ନେଇ ପୁଅ ମୁଣ୍ଡରେ ଲଗାଇ ଦିଏ । ରାତିରେ ସେରେ ଚାଉଳରେ ଗୋଟିଏ ପୋଡ଼ପିଠା କରି ରଖିଥାଏ, ସେ’ଟି ପୁଅ ହାତରେ ଦେଇ ଦହି ମୁହାଁଇ ବସେ । ତାହା ବାଦେ ପସରା ଉପରେ ଦୁଇ ତିନିଟା କଳସୀରେ ଚହ୍ଲା ପୁରାଇ ଗାଁ’କୁ ଦହି ବିକିଯାଏ । ମୁଣ୍ଡ ଉପରେ ପସରାରେ ଦୁଇ ତିନି କଳସୀ ଦହି, ତାକୁ ନ ଧରି ଦୁଇ ବାହୁ ଝୁଲାଇ ଗୋହରୀ ଦାଣ୍ଡରେ ଚାଲିଯିବା ବେଳେ ଲୋକମାନେ ଚାହିଁ ରହନ୍ତି । କୁହନ୍ତି, ‘ନନ୍ଦିଘୋଷ ରଥ!’ ସିଂହାଣୀର ଢେରଗୁଡ଼ିଏ ନାମ; ଏକ – ଦେବକୀ ଗଉଡୁଣୀ, ଦୁଇ- ମହାକୁଡ଼ାଣୀ, ତିନି – ତାଡ଼କା ଅସୁରୀ, ଚାରି – ନନ୍ଦିଘୋଷ ରଥ, ହେଲେ ସିଂହାଣୀର ଅଜଣାରେ ଲୋକମାନେ ଏହି ସବୁ ନାମ ଦେଇଛନ୍ତି । ସିଂହାଣୀ ବୋଲି ଡାକିଲେ ସେ ବଡ଼ ଖୁସି ହୋଇଯାଏ । ଗାଁ’ରେ କେତେ ଗୁଡ଼ିଏ ଥଟିଆଲା ମଣିଷ ତୁଚ୍ଛାଟାରେ –