Jump to content

ପୃଷ୍ଠା:Galpa swalpa.djvu/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

‘ଏ ସିଂହାଣୀ ! ଦହି ଦେଇ ଯା’ ବୋଲି ଡାକନ୍ତି । ଦହି କିଣିବାବେଳେ ତାକୁ ଦୁଇ ଚାରିଥର ସିଂହାଣୀ ସିଂହାଣୀ କହିଲେ ସେ ବଡ଼ ଖୁସି ହୋଇ ଦୁଇ ଚାରି ସଢ଼େଇ ଦହି ଲାଭ ବୋଲି ଢାଳିଦିଏ ।

ସୁବଳସିଂହ ବିଯୋଗବେଳେ ଅନନ୍ତାର ଚାରି ବରଷ ପୂରି ଯାଇଥିଲା । ଦିନ କିଛି କାହାରି ଲାଗି ବସି ରହେ ନାହିଁ । ଅନନ୍ତାର ଚାହୁଁ ଚାହୁଁ ହେଲାଣି ଦଶ ବରଶ । ହେଲେ କ’ଣ ହେଲା, ଲୋକେ ତାକୁ କୋଡ଼ିଏ ବରଷର ଭେଣ୍ଡିଆ ବୋଲି ଠଉରିବେ । ରୋଜି ସିଂହାଣୀ ଦହି ବିକି ଆସି ମୋଟା ବରଗଡ଼ା ଚାଊଳ ପାଞ୍ଚସେର ଚୁଲୀରେ ବସାଇ ଦିଏ । ସୁବଳସିଂହର ଯେଉଁ ଫରମାସୀ ପିତଳ ବାସନଟା ଥିଲା, ସେଥିରେ ତିନି ସେର ଅନ୍ଦାଜ କଡ଼ଫୁଟା ପେଜୁଆ ଅନ୍ନ ସେ ପିତଳରେ ଢାଳି ପୁଅ ପାଖରେ ପରଷି ଦିଏ । ଅନନ୍ତାର ତରକାରି ପତ୍ର ଲୋଡ଼ା ନାହିଁ, ହେଲେ ମା’ ମନ କେତେକେ ମାନେ । ଚୋପା ମିଶା ବିରି ଡାଲି କଂସାଏ, ନୋହିଲେ ଶାଗ ମାମଡ଼ି ସିଜାସିଜି କରି ପୁଅ ପାଖରେ କଂସାଏ ବସାଇ ଦିଏ । ଅନନ୍ତା ଭାତ ଖାଇସାରି ଡାଲି ତେତକ ପିଇଦିଏ । ସିଂହାଣୀ ପୁଅ ଲାଗି ଗୋଟିଏ ଗାଈ ବାନ୍ଧିଛି । ଦିନକୁ ଚାରିସେର ଦୁଧ ଦିଏ । ଅନନ୍ତା ଭାତ ଖାଇସାରି ସେ କଞ୍ଚାଦୁଧତକ ପିଇଦିଏ ।

ଏବେ ସିଂହାଣୀ କିଛି ପୁଅଲାଗି ହରବରରେ ପଡ଼ିଲେଣି । ଅସହୁଣୀ ଲୋକଗୁଡ଼ା ଅନନ୍ତାକୁ ଦେଖି ପାରନ୍ତି ନାହିଁ । କିଏ କହିଲା – ‘ମୋ ବାଡ଼ିରୁ କାକୁଡ଼ି ଖାଇଗଲା’ କିଏ କହିଲା – ‘ମକା ଭାଙ୍ଗି ନେଲା’ ‘ଆମ୍ବ, କୟାଁ, କୋଳିଗଛରେ ଚଢ଼ି ଅନନ୍ତା ଖାଇଗଲା’ ବୋଲି ଗାଁ’ଲୋକମାନେ ରୋଜି ସିଂହାଣୀ ପାଖରେ ଗୁହାରି କଲେ । ସିଂହାଣୀ ମନ ମଧ୍ୟରେ ଗୁହାରିଆମାନଙ୍କ ଉପରେ ରାଗେ, ହେଲେ ପୁଅକୁ କିଛି କୁହେ ନାହିଁ । ଆଜିକାଲି ବି ସଞ୍ଜବେଳେ ଘଡ଼ିଏ ବସି ପୁଅକୁ ଗେଲ କରେ । ଶେଷରେ ସିଂହାଣୀ ବଡ଼ ଦିକ୍‌ଦାର ହୋଇ ଗାଁ’ରୁ ଆସୁଛି, ବାଟରେ ଦେଖିଲା ବଉଳଗଛ ମୂଳରେ ପିଣ୍ଡିଟି ଉପରେ ବୈଷ୍ଣବ ମହାନ୍ତି ଅବଧାନେ ବେତ ଘେନି ଗାଁ’ ପିଲାମାନଙ୍କୁ ପଢ଼ାଉଛନ୍ତି । ମନରେ କଲା, ‘ଏହି ଚାଟଶାଳୀରେ ଅନ୍ତୁକୁ ବସାଇ ଦେଲେ ପାଠ ବି ହେବ ଆଉ ଗାଁ’ ବି ବୁଲି ପାରିବ ନାହିଁ ।’ ତହିଁ ଆରଦିନ ଅବଧାନ ପାଖରେ ଛାଡ଼ିଦେଇ କହିଲା, “ଅବଧାନେ! ଅନ୍ତୁକୁ ଟିକିଏ ଭଲ କରି ପାଠ ପଢ଼ାଅ ।” ଅନ୍ତୁ ଭଲ ପିଲାଟି ପରି ଚାଟଶାଳୀରେ ବସିଗଲା । ସେ ପୃଥିବୀରେ ଏକଲା ମା’କୁ ଡରେ, ଆଉ ମା’ କଥା ମାନେ ।

ଅବଧାନେ ଭୂଇଁରେ ଅ, ଆ ଲେଖିଦେଲେ, ତା’ ଉପରେ ଖଡ଼ି ମଡ଼ାଇବାକୁ କହିଦେଲେ । ତଳେ ହାତ ଚାଲିଛି, ହେଲେ ଉପରେ ବଉଳଗଛରେ କେଉଁଠି କୋଳି ଅଛି, କେଉଁଠି ପାଚିଛି ଅନାଇ ଦେଖୁଥାଏ। ନଜର ପଡ଼ିଲେ ମାଙ୍କଡ଼ ପରି ହୁପ୍କରି ଚଢ଼ି ଯାଇ କୋଳି ଆଣି ପାଟିରେ ପକାଇ ଲେଖିବାକୁ ବସିଯାଏ। ତାର ଗଛ ଚଢ଼ାରେ ଭାରି ଅଭ୍ୟାସ। ତା’ ତେନ୍ତୁଳି-ଗଛକୁ ମାଙ୍କଡ଼ ଆସିଲେ ଉପରକୁ ଉଠିଯାଏ ମାଙ୍କଡ଼ ଲାଙ୍ଗୁଡ଼ ଧରି ତଳେ କଚାଡ଼ି ମାରି ପକାଏ। ଗଛ ଚଢ଼ାରେ ମାଙ୍କଡ଼ ତା’ ସଙ୍ଗରେ ପାରିବେ ନାହିଁ। ଏଣେ କେତେଟା ଦିନ ଭିତରେ ଅବଧାନେ ଅଥୟ ହୋଇଗଲେଣି। ତା’ ଡରରେ ଚାଟଶାଳୀରୁ ଆଉ ଟିକିଏ ଗୋଡ଼ କାଢ଼ି ପାରୁ ନାହାନ୍ତି। ଟିକିଏ ଅବଧାନେ ପଛ କଲେ, ଚାଟଶାଳୀରେ ଭାରି ଗୋଟାଏ ଚହଳ ପଡ଼ିଯାଏ। କେଉଁ ପିଲାକୁ ପେଲିଦେଲା, କାହାକୁ ଧକା ମାରିଲା, କାହା ଗୋଡ଼ ଧରି ଟାଣିଲା, କାହାକୁ କଚାଡ଼ି ଦେଲା – ଏହିପରି ଲାଗେ। ଆଉ ପିଲେ ତାହାକୁ ବାଡ଼େଇଲେ ତା'ର ଭାରି ଆନନ୍ଦ, ତାକୁ ଡରରେ ବାଡ଼ଉଛି କିଏ? ଅବଧାନେ ପହିଲେ ପହିଲେ ସିଂହାଣୀର ଡର, ଆଉ ସେ ଦହି ବିକିସାରି ବାହୁଡ଼ା ବେଳେ ଅବଧାନଙ୍କ କଂସାରେ ଯେ ଚାରି