ପୃଷ୍ଠା:Galpa swalpa.djvu/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ବଢାଇଲି -ଆଜି କଣ ନା ପାଣିକି ଡେଇଁ ପଡିବୁ ? ମର, ଦେଖେଁ ଭଲା କିମିତି ମରିବୁ ? ଚଉଦ ବରଷ କାଳ ଖାଇଛୁ ପିଇଛୁ, ଭାତ ଲୁଗା ଦାମ ପାଞ୍ଚଶ ଟଙ୍କା ଗଣି ଥୋ -ତା ବାଦେ ମରିବୁ ତ ମର ଯା,ମୋର ମନା ନାହିଁ । "

ପାତ୍ରେ ରାଗ ମୁହଁରେ ଝିଅଟାକୁ ଗାଳିଗୁଲଜ କଲେ ସିନା,ହେଲେ ରାତିରେ ବସି ଢେର ଚିନ୍ତା କଲେ । ଝିଅଟାର ଖିଆପିଆ ନାହିଁ, ମଲାଟା ପରି ପଡିଛି । ସତକୁ ସତ ମନ ଦୁଃଖରେ ଯେବେ ବୁଡି ମରିବ, ତେବେ ମୂଳ ବୁଡିବ ସିନା ! ଖୁବ ଆଖି ଫେରାଇ ଦେଖିଲେ, ଜାତି ଭିତରେ ଦୋଜବର ବା ଅଭିଆଡା କେହି ନାହିଁ । ଏଣିକି ଝିଅଟାକୁ ପୋଷିବା ଖର୍ଚ୍ଚାନ୍ତ କଥା । ତହିଁ ଆରଦିନ ସକାଳେ ମିଶ୍ରଙ୍କୁ ଡାକି ପଠାଇଲେ । ଆଜି ପାତ୍ରଙ୍କ କଥା ଖୁବ୍ କଅଁଳ -ସାକୁଲା ସାକୁଲି ଭଳି । ଦୁଇଜଣ ବସି ଦରଦାମ ଟିକ କରିନେଲେ । ସାତଶ ଟଙ୍କାରେ କଥା ଛିଡିଲା । ବର୍ତ୍ତମାନ ଗାଆଁ ପାଞ୍ଚ ଭଲଲୋକ ଆଗରେ ବୀରେଇ ଦେବ ଦୁଇଶ ଟଙ୍କା, ବାକି ପାଞ୍ଚଶ ବେଦିମୁଣ୍ଡରେ ।

ବୀରେଇ ହିସାବ କରି ଦେଖିଲା, କନ୍ୟା ସୁନା ପଡିବ ସାତଶ, ବିଭା ଖର୍ଚ୍ଚ ତିନିଶରୁ ଊଣା ନୁହେଁ, ଗାଏ ଦୁଇପଦକୁ ହଜାରେ । ଘର ଭିତରେ ପୋତାପୋତି କରି ଯାହା ରଖିଥିଲା, ଖୋଳାଖୋଳି କରି କାଢିଲା,ଟଙ୍କା ପଇସା ମିଶାଇ ଟ ୬୦୬ । ମଲା ଯା,ଆହୁରି ଯେ ଚାରିଶ ଲୋଡା । ଦୁଇଶ ଟଙ୍କା ଘରୁ କାଢି ଦେଲାଣି,ବିଭା ବନ୍ଦ କଲେ ସେ ଦୁଇଶର ଆଶା ଛାଡିବାକୁ ହେବ । ହେଉ ,ପଛନ୍ତେ ବୁଝାବୁଝି । ଘରେ ବିହନ ଭାଗ ରଖି ଧାନ ସବୁ ବିକି ଦେଲା । ତୁଚ୍ଛା ହଳିଆ ବଳଦ ହଳେ ରଖି ଗୋରୁ ଗୁଡାକ ବିକି ପକାଇଲା ।

ଆଜି ବିଭା ଦିନ । ବାଜା ପାଲିଙ୍କି କରି ବୀରେଇ ସଞ୍ଜବେଳେ ଶଶୁର ଦୁଆରେ ହାଜର । ବର ପାଲିଙ୍କିରେ ବସିଛି, ପାତ୍ରେ ପିଣ୍ଡାରେ ବସି ନାସ ଶୁଙ୍ଗୁଥିଲେ । ଘଡିଏ ବିତିଗଲା,ପୁରୋହିତ ତିନି ଚାରି ଥର ଡାକିଲେଣି,"ଆସ ପାତ୍ରେ !ବରକୁ ବାଟବରଣ କରି ନିଅ ।" ପାତ୍ରଙ୍କ ମୁହଁରେ କଥା ନାହିଁ । ବୁଦ୍ଧିଆ ମିଶ୍ରେ କଥାଟା ବୁଝିଗଲେ, କହିଲେ, "ପାତ୍ରେ ! ବୀରେଇ ହାତରେ ଟଙ୍କା, ବାଟବରଣ କରି ଘରକୁ ଆଣ, ଟଙ୍କା ଗଣିଦେବ ।" ପାତ୍ରେ ଧଡପଡ ହୋଇ ଉଠି ବରକୁ ବାଟବରଣ କରି ନେଲେ । ଟଙ୍କା ଗଣାଗଣି ପରଖା ପରଖିରେ ଘଡିଏ ବିତିଗଲା । ମଲା ଯା !ଛ ଟା ଟଙ୍କା ପଡିଲା ଭେଣ୍ଡି ! ଗାଁ ଲୋକେ ଢେର କୁହାବୋଲା କଲେ, ଜାମିନ ହେଲେ -ବର୍ତ୍ତମାନ ଶୁଭ କାର୍ଯ୍ୟଟା ସମାଧା ହୋଇଯାଉ, କାଲି ଟଙ୍କା ବଦଳାବଦଳି ହେବ । ପାତ୍ରେ ଠୁଳରେ ବସିଲେ ନାହିଁ । ବୀରେଇର ଆଉ ବାଟ ନାହିଁ, ସେହିଠାରେ ବର ବେଶରେ ବସି ଘରର ପଲାଣ ପାଣ୍ଠି ହଳ ସରଞ୍ଜାମ ସବୁ ଗାଁର ମଧୁ ମହାନ୍ତିଙ୍କୁ ଛ ଟଙ୍କାରେ ବିକି ଦେଲା । କୁଆ କା କରିବାକୁ ହାତ ଗଣ୍ଠି ଫିଟିଲା । ପାତ୍ରେ ବର ବିଦା କରିବା ପାଇଁ ଦାଣ୍ଡ ଦୁଆରେ ଲହର ପହର ହେଉଛନ୍ତି, ଘରେ ପଶିବାକୁ ନାହିଁ , ଯଦି ବେଳ ଉଛୁର ହୋଇଯାଏ, ବାଜାବାଲା ବେହେରା ଜଳଖିଆ ମାଗିବେ ।

ବୀରେଇ ତ ଘରକୁ ଡାଙ୍ଗୁଆ ମଣିଷ, ବର କନ୍ୟାକୁ ବନ୍ଦାଇ ନେଉଛି କିଏ ? ବୀରେଇ ଖୁଡୀ, ମାଉସୀ ,ଅପା ପାଞ୍ଚଜଣ ଅହିଅଙ୍କୁ କହି ଆସିଥିଲା । ଅଡକରାରେ ଗାଁ ମାଇକିନିଆମାନେ ବି ଧାଇଁ ଆସି ବୀରେଇ ଘରେ ଭର୍ତ୍ତି ହୋଇ ଯାଇଛନ୍ତି ।କନ୍ୟାଟି ଦୋଳମୁକୁଟ ମୁଣ୍ଡରେ କଜଳପାତିଟି ଧରି ନଇଁ ନଇଁ ଆଗରେ ଚାଲିଛି ,ଖିଲକାତିଟିଏ ନଡିଆଟିଏ ଧରି ବର ପଛରେ । ଭଣ୍ଡାରୁଣୀଟା ଆଗେ ଦେଖି ପକାଇଲା, କନ୍ୟାର ପେଟଟା ବାହାରି ପଡିଛି, ନସରପସର