Jump to content

ପୃଷ୍ଠା:Galpa swalpa.djvu/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ


ହୋଇ ଛାଲୁଛି, ଭଲ କରି ଚାଲି ପାରୁନାହିଁ । ଭଣ୍ଡାରୁଣୀ ଆଉ ପାଞ୍ଚ ମାଇକିନିଆଙ୍କ ବାହୁ ଟିପି ଦେଇ ଖାଇଲା ହାତ ଆଙ୍ଗୁଳି ବଢ଼ାଇ କଣ ଦେଖାଇ ଦେଖାଇ ଦେଲା । ସବୁ ଅହିଅଯାକ କନ୍ୟାକୁ ଛାଡ଼ି ଅଲଗା ହୋଇଗଲେ, ଟୋକୀଗୁଡାକ ହସି ହସି କେହି ହାୟ ହାୟ କରି ଆପଣା ଘରକୁ ପଳାଇ ଗଲେ । କେହି କହୁଥାଏ ପାଞ୍ଚ ମାସ, ଜାଣିବା ମାଇକିନିଆମାନେ ଠିକ କରିନେଲେ, ସାତ ମାସରୁ ଊଣା ନୁହେ । ହାମଦରଦୀ ମାଉସୀ ପିଉସୀମାନେ ଘରକୁ ଯାଇ କାନ୍ଦିବାକୁ ବସିଗଲେ । ହାୟ ! ହାୟ ! ଛୁଆଟା ଅଭିଆଡ଼ା ଥିଲା ତ ଥିଲା, ସର୍ବସ୍ୱ ସାରି ସାତ ପୁରୁଷକୁ ନରକକୁ ଦେଲା । ଘର ଶୂନଶାନ, ବୀରେଇ ଗାଲରେ ହାତ ଦେଇ କାନ୍ଥକୁ ଆଉଜି ବସିଛି । କମଳୀ କବାଟ ଉହାଡ଼ରୁ ଜିଭରେ ଚୁଁ- ଚୁଁ କରି ବୀରେଇକୁହାତ ଠାରି ପାଖକୁ ଡାକିଲା । ପେଟ ଉପରେ ମୁଣିଏ ଟଙ୍କା ତା ଉପରେ ଯୋଡାଏ ବେଡ଼ାଣ ଖଦୀ କଷି ଗୁଡ଼ିଆ ହୋଇଛି, ଫିଟାଇ ପକାଇ ଝଣ କରି ଥଳିଟା ତଳେ ପକାଇ ଦେଲା । ବୀରେଇ ଯେମନ୍ତ ସ୍ୱପ୍ନ ଦେଖୁଛି ସ୍ୱର୍ଗରୁ ଦେବୀଟିଏ ଓହ୍ଲାଇ ଆସିଲେ । ପଚାରିଲା, "ଏ କଣ ?" କମଳୀ କହିଲା, "ଏ ତୁମ ଟଙ୍କା, ବଳଦ ଗାଈ ପାଣ୍ଠି ପଲାଣ ଯାହା ବିକିଛ, ଟଙ୍କା ଦେଇ ଆଗେ ଫେରାଇ ଆଣ, ତା ବାଦେ ଏ ଘରେ ପାଣି ଛୁଇଁବି ।" ବୀରେଇ ଗଣି ଦେଖିଲା, ପୂରା ହଜାରେ ଟଙ୍କା । ପଚାରିଲା, "ଆଉ ତିନିଶ କଣ ?" କମଳୀ କହିଲା, "ଦୁଇ ଅପାଙ୍କୁ ବିକି ଯେ ଟଙ୍କା ବାପା ପାଇଥିଲା, ଦଶ ମାଣ ବିଲ କିଣିଛି, ବାକି ତିନିଶ ଅଛି । ଅପାମାନେ ବଡ଼ ଦୁଃଖରେ ଅଛନ୍ତି, ଏତକ ଟଙ୍କା ଉଛୁଣିକା ସେମାନଙ୍କ ପାଖକୁ ପଠାଇ ଦିଅ ।"

ଉପର ଓଳି ଗାଁ ଗୋହିରୀ ମଝିରେ ରାଘବ ପାତ୍ରେ ଡକା ପକାଇ ବାୟା ପରି ଧାଇଁଛନ୍ତି । ବୀରେଇ ଦୁଆରେ ଡକା ପକାଇ ପରସ୍ତେ ଗଡ଼ିଲେ, ଖାଲି କହୁଛନ୍ତି, "କମଳୀ ମୋ ବେକରେ ଛୁରୀ ମାରିଲୁ, ମୋ ଟଙ୍କା ଦେ ।" କମଳୀ କହିଲା, "ବାପା ! ତୋର କି ଟଙ୍କା ? ମୋ ଟଙ୍କା ମୁଁ ଆଣିଛି ।" ଗାଁ ଲୋକେ ଶୁଣି ଧାଇଁଲେ । ସେମାନେ ରାଘବ ପାତ୍ର ଉପରେ ଆଗରୁ ବଡ଼ ଖପା ହୋଇଥିଲେ । ତିନି ତିନିଟା ଝିଅ ତିନି ହଜାରେ ବିକିଲା, ସେମାନଙ୍କ ମୁହଁରେ ମୁଢ଼ି ଗୁଣ୍ଡିଟାଏ ବି ବାଜି ନାହିଁ । ବିଭାବେଳେ ନାନ୍ଦୀମୁଖୀ ଆଉ ତିଳକାଞ୍ଚନ ଦକ୍ଷିଣା ବିଷୟରେ ପୁରୋହିତଙ୍କ ସାଙ୍ଗରେ କିଛି ବୋଲାବୋଲି ହୋଇଥିଲା । ସେ ତ ଆଗରୁ ନିଆଁ ହୋଇଥିଲେ । ପହଞ୍ଚିଯାଇ ହୁକୁମ ଦେଲେ, "ମାର ଚଣ୍ଡାଳ ମାଉଁସବିକାକୁ ।" ପାତ୍ରେ ଦେଖିଲେ ଗ୍ରାମ ଲୋକେ ସମସ୍ତେ ମାର ମାର କହି ଧାଇଁଛନ୍ତି, ତାଙ୍କ ପଟକୁ କେହି ନାହିଁ । ଯୋଡ଼ାଏ ତିନିଟା ଧକା ବିଧା ଚାପୁଡ଼ା ବି ବାଜିଗଲାଣି । ଟଙ୍କା ମାଗିବେ କଣ, ଘରମୁହାଁ ଧାଇଁଛନ୍ତି । ପିଲାଗୁଡ଼ାକ ହାତତାଳି ଦେଇ ପଛରେ ଧାଇଁଛନ୍ତି, ପାତ୍ରଙ୍କ ଉପରେ ଢେଲା ଧୂଳି ବୃଷ୍ଟି ହେଉଛି, ତିନି ଜାଗା ହାବୁଡି ପଡି ଆଣ୍ଠୁଗଣ୍ଠି ଛିଡ଼ି ଗଲାଣି । ପାତ୍ରଙ୍କୁ ଦିନବେଳେ ଆଉ କେହି କେଭେ ଗାଁ ଦାଣ୍ଡରେ ଦେଖିନାହିଁ । କମଳୀ ନାମରେ ଧନ୍ୟ ଧନ୍ୟ ପଡ଼ିଗଲା ।

ବୀରେଇ ବାହାରି ଆସିବା ଦିନ ଠାରୁ ମାମୁ ମାଇଁ ବଡ ବେହାଲରେ ପଡିଲେଣି । ଆଗେ ବୀରେଇ ଡରରେ ଚଣ୍ଡୀ ଗୋଠରୁ ଗୋରୁ ବା ମରେଇରୁ ଧାନ ଲୁଚା ଚୋରା କରି ବିକୁଥିଲା, ଏବେ ଡାକଫୁକାର ଦିନ ବେଳେ ବିକି ଦେଉଛି । ବାପ ମା କିଛି କହିଲେ ବାଡ଼େଇବାକୁ ଧାଏଁ, ସେମାନେ ଡରରେ କିଛି କହି ପାରନ୍ତି ନାହିଁ । ପୁଅଟା କଥା କାହାକୁ ବା କହିବେ, ତୁନି ହୋଇ ପଡିଥାନ୍ତି । ବର୍ଷ ଦୁଇଟା ଭିତରେ ଅଢ଼େଇ ବୋଡ଼ିଆ ପଲାଟାରେ ଛଡ଼ା ଲାଞ୍ଜ ଖଣ୍ଡେ ବି ନାହିଁ । ଗଛ ପରି ତିନିଟା ମରେଇ ଝାଡ଼ଝୁଡ଼ । ଏଣେ ଚାଷଟା ବି ସେହିପରି । ଶ୍ୱାସ ବେମାରିଟା ପାତ୍ରଙ୍କୁ ବଳି