ପୃଷ୍ଠା:Galpa swalpa.djvu/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ


ପଡ଼ିଲାଣି, ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ବିଲବାଡ଼ି ଯିବେ କଣ ? ଚଣ୍ଡି ତ ମୌଜରେ ଲାଗିଛି, ବିଲକୁ ଯିବ କଣ ? ଚାଷଗୁଡ଼ିକ ମୂଲିଆଙ୍କ ଜିମା, ମୂଲିଆ ଦଶ ଗୌଣୀ ବୁଣିବାକୁ ଘେନିଗଲେ ତ ପାଞ୍ଚଗୌଣୀ ପଡ଼ିଲା ବିଲରେ, ଆଉ ପାଞ୍ଚ ଗୌଣୀ ମୂଲିଆଣୀର ଢେଙ୍କିଶାଳରେ । ପାତ୍ରଙ୍କ ପାଖରୁ ମୂଳ ନେଇ ଆପଣାର ବିଲ ବାଛି ଯାନ୍ତି । ଏଥିରୁ ଯାହା ଚାଷ ହେବ, ସମସ୍ତଙ୍କୁ ଜଣା । ବୋଇଲା--

"ଆପେ ଚଷିବୁ ପୂରା ଚାଷ
ଛତା ଯୋତା ଅଧା ଚାଷ,
ମୂଲିଆ ଚାଷ ଫସରଫାସ ।"

ଯେ କେତେ ପୁଞ୍ଜା କଳେଇ ଖଳାକୁ ଆସେ, ଖଜଣାକୁ ନିଅଣ୍ଟ ।

ଏତିକିବେଳେ କଣ ହେଲା କି ଗାଁରୁ ଢେର ବଳଦ ଗାଈ ଚୋରି ଗଲା । ଆଜି ଶୁଣାଗଲା ଶାମଲ ଘର ବଳଦ ଚୋରି ତ, କାଲି ପରିଡ଼ା ଘର ଯୋଡ଼ାଏ ଗାଈ ମିଳୁ ନାହାନ୍ତି । ମାସ ଛଅଟା ମଧ୍ୟରେ ଦଶ ପାଞ୍ଚ ଗଣ୍ଡା ଗୋରୁ ଚୋରି ଗଲାଣି । ଗାଁଯାକ ଡକା ପଡିଗଲା । ଚୋର ଧରିବା ଲାଗି ଗାଁଯାକ ତୁନି ତୁନି ବିଚାର କରି ଛକଛାକରେ ରହିଗଲେ ।

ଦିନେ ଅଧରାତି ବେଳେ ପାଣ୍ଡିଆ ପାତ୍ରପୁଅ ଚଣ୍ଡିଆ ଆଉ ଚାରି ଜଣ ବାଉରି ଟୋକା ଯୋଡ଼ାଏ ବଳଦ ବାନ୍ଧି ଘେନି ବିଲ ମଝିରେ ଯାଉଥିଲେ, ଗୋଟାଏ ଲୋକ କୁହାଟଟାଏ ମାରିଦେଲା, କୋଡିଏ ତିରିଶ ଜଣ ଚାରି ପଟରୁ ବେଢ଼ି ଗଲେ । ଆଉ ଚୋର କାହିଁ ଯିବେ ? ଲଙ୍ଗଳ ଦଉଡ଼ାରେ ବାହୁକୁ ବାହୁ ଛନ୍ଦି କାଠମୁଠିଆ କରି ବାନ୍ଧି ପକାଇଲେ । ମାଡ଼ ତ ମାଡ଼, ଚୋରଗୁଡ଼ାଙ୍କ ଚେତା ବୁଡ଼ିଗଲାଣି । ଚୌକିଆ ଗୋରୁ ସହିତ ଚୋରମାନଙ୍କୁ ଥାନାକୁ ଘେନିଗଲା । 'ଚୋର ମା ଲାଜରେ ନ କାନ୍ଦେ,' ପାତ୍ର ପାତ୍ରାଣୀ ବୁଢ଼ା ବୁଢ଼ୀ ଯୋଡ଼ିକ କବାଟ ଦେଇ ଘର ଭିତରେ ଧକେଇ ଧକେଇ କାନ୍ଦୁଛନ୍ତି । ଗାଁ ଗୋଟାକ ବାଡ଼େ, ହେଲେ ବୀରେଇ ମାମୁ ମାଇଁଙ୍କର ବିକଳ ସହିପାରିଲା ନାହିଁ । ସଦର କଚେରୀକୁ ଧାଇଁଲା, ଟାଣୁଆ ଟାଣୁଆ ଓକିଲ ମୁକ୍ତାର ଯୋଡ଼ାଏ ଦେଲା, ଖୁବ୍ ଲଢ଼ିଲା । ବମାଲ ଗ୍ରେପ୍ତାର, ଆଉ କଣ ରକ୍ଷା ଅଛି, ଚଣ୍ଡିଆର କଠିନ ପରିଶ୍ରମ ସହିତ ମିଆଦ ଦେଢ଼ ବର୍ଷ ।

ବିପଦ ଯେ ସଞ୍ଜୁଆ ଅନ୍ଧାରପରି ଚାରିଆଡ଼ୁ ମାଡିଆସେ । ଚଣ୍ଡୀ ବିଭାଘରକୁ ପାତ୍ରେ ମଧୁସାହୁ ମହାଜଙ୍କୁ ଗୁଜା ଲେଖିଦେଇ ପାଞ୍ଚଶ ଟଙ୍କା କରଜ ଆଣିଥିଲେ । ପାତ୍ରଙ୍କ ମରେଇରେ ଢେର ଧାନ ଥିଲା, ପାତ୍ରେ ସେ ଧାନ ବିକିଦେଇ ଦେଣା ଶୁଝିବାକୁ ବସିଥିଲେ, ପାତ୍ରାଣୀ କରିବାକୁ ଦେଲେ ନାହିଁ । କହିଲେ, "ବୀରେଇ ବିଲରୁ ଯେ ଧାନ ଆସିବ, ଅଲଗା ଅଲଗା ଖଳା ମୁଣ୍ଡରେ ବିକିଦେଇ ଦେଣା ଶୁଝଟ ହେବ । ବୀରେଇ ତ ତାହାର ବିଲ ଘେନିଗଲା, ଚାଷରୁ ତ ଧାନ ମିଳିଲା ନାହିଁ, ଦେଣାଟା ବଢ଼ିଗଲା । କଳନ୍ତର ଆଗରେ ଘୋଡ଼ା ଦଉଡ଼ି ପାରେ ନାହିଁ । ମହାଜନ ମୂଳ କଳନ୍ତର ମାମଲା ଖର୍ଚ୍ଚା ବାରଶ ଟଙ୍କାତକ ଡିଗ୍ରୀ କରି ରଖିଥିଲା, ଏତିକିବେଳେ ପାତ୍ରଙ୍କ ଘର ଦୁଆର ସହିତ ବିଲବାଡ଼ି ନିଲାମ କରି ନେଇ ପାତ୍ର ପାତ୍ରାଣୀଙ୍କୁ ଘରୁ କାଢ଼ି ଦେଲା । ମଳିଆ ଚିରକୁଟ ଲୁଗା, ଦେହରେ ଅଧ ଆଙ୍ଗୁଳିଏ ବହଳ ମଳି, ଖଡ଼ିଗାର କାଟି ଯାଉଛି, ଗେଧ ଗେଧୁଣି ପରି ଯୋଡ଼ାକଯାକ ଦାଣ୍ଡ ବରଗଛ ମୂଳରେ ପଡ଼ିଛନ୍ତି ।

ବୀରେଇ ଶୁଣି ଧାଇଁଲା । ଦେଖିଲା, ମାଇଁର ଚେତା ନାହିଁ, ମାମୁ ବେକ ଭାଙ୍ଗି ଆଣ୍ଠୁକୁଣ୍ଢେଇ ବସିଛନ୍ତି । ବୀରେଇ କାହାରିକୁ କିଛି ନ କହି ମାଇଁକୁ ଲାଉ କଲା, ମାମୁ ହାତ ଧରି ଧିରେ ଧିରେ ଆପଣା ଘରକୁ ଘେନି