ପୃଷ୍ଠା:Hada bagicha.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହରାଇଲେ ବି ସେ ବଞ୍ଚିବାର ଲାଳସାକୁ କେବେ ଛାଡ଼ି ଦେଇ ପାରିବନି । ତା ଜିଇଁଥିବା ଜୀବନ ହିଁ ହେଉଛି ତା ଆଶ୍ୱାସନା, ତା ପ୍ରେରଣା ଆଶା ଆଉ ସ୍ୱପ୍ନ । ‘ଅବକାଶ’- ଚିଲିକାର ଡାକ । ଅବକାଶ ପ୍ରକୃତିସ୍ଥ କରାଇଲା ନିଜକୁ । ପାହାଡ଼ ଉପରୁ ଘୋଡ଼ାଟାପୁ ଶବ୍ଦ ସବୁ ଓହ୍ଲାଇ ହଜାଇ ଦେଲା । ‘ଚାଲ କେମ୍ପସ୍ ପଟୁଟିକେ ବୁଲି ଆସିବା । ପଅରି ଦିନ ମୋ ଭାଇଭା ସରିଲେ ଗୋଟେ ନାଚ ପ୍ରୋଗ୍ରାମ୍ ଅଛି । ଛ’ ତାରିଖରେ । ତାପରେ ମୁଁ ଘରକୁ ଯିବି ତମେ ଫେରିଆସିବ ।’ ଏ ଭିତରେ ତାର କଣ କାମ ଅଛି କି? ମନେ ପକାଇଲା ଅବକାଶ । ହଁ, ତାର କୋଡ଼ିଏ ଟଙ୍କାର ଆଇ.ପି.ଓ.ଟେ ଆଣିବାର ଅଛି । ନେଗେଟିଭଟା ପ୍ରିଂଟ୍ କରିବାକୁ ଦେଇଛି ଆଣିବ । ସେ କାମ କରୁଥିବା ପବ୍ଳିକ ସ୍କୁଲର ଅଥରିଟି ବିରୁଦ୍ଧରେ ତାର ଲଢ଼ାଇ କରିବାର ଅଛି । ଆହୁରି ବି କଣ କାମ ଥାଇପାରେ । କହିଲା ‘ଏଥର ନୁହେଁ ମୁଁ ଛ ତାରିଖରେ ଯିବା ପାଇଁ ଚେଷ୍ଟା କରିବି ।’ ଆଗରୁ ଅନେକଥର ଚିଲିକା କଲେଜରେ ତା ନାଚପ୍ରୋଗ୍ରାମ୍ ଦେଇଛି ଅବକାଶ ଦେଖି ପାରିନି ଗୋଟେ ବି । ଧର୍ଷଣ ପରେ କେମ୍ପସ୍ରେ ଏଇଟା ତାର ପ୍ରଥମ ନାଚ । ଚିଲିକା ଜାଣେ ଏବଂ ଅବକାଶ ବି ଜାଣେ ଯେ ଚିଲିକା ଜାଣେ ଓ ନିଜକୁ ବି ଜାଣେ ଯେ ନିଜେ ଜାଣେ । ଚିଲିକା ଅବାଧ୍ୟ ନୁହେଁ । ଅବକାଶ ଆଘାତ ଦିଏନା । ଦୁହେଁ ଟ୍ରାନସପରେଂଟ୍, ଖୋଲା, ମୁକୁଳା । ସମ୍ପର୍କଟା ସହଜ ଓ ସାବଲୀଳ । ଉପଲବ୍ଧିଟା ଏକା । ଜଣେ ଯଦି ଦେଖେ ମୟୂର ଓ ମରୁଭୂଇଁ, ଅନ୍ୟଜଣେ ଦେଖେ ଆକାଶ ଓ ଶୂନ୍ୟତା । ରଙ୍ଗଟା ଏକ ସ୍ୱାଦଟା ଗୋଟାଏ । ଦରବାରୀ କଳହଂସ କେଦାର ଆଷାଢ଼ଶୁକ୍ଳ ରାଗମାନଙ୍କ ଠେଲାପେଲାରେ ପାଗଳଟିଏ ଗୀତ ଗାଇ ଆସୁଥିଲା । ତାକୁ ବୋଧହୁଏ ଗୀତ ମାଡୁଥିଲା । ଉଦ୍ଗାରିତ ଗୀତ, ଆବୁଡ଼ା ଖାବୁଡ଼ା ସ୍ୱର, ଯେମିତି ଏଇ ପଞ୍ଚଛକି ରାସ୍ତାର ଭୌଗୋଳିକ ମାନଚିତ୍ର । ଧୂଷର ଧୂଳିର ଚଲାପଥ । ରାସ୍ତାର ଉଭୟ ପାଖରେ ଧାଡ଼ି ଧାଡ଼ି ଦୋକାନ । ଦୋକାନ ଭିତରେ ଯୋଡ଼ାଯୋଡ଼ା ଆଖି । ଶରତ ପାନଦୋକାନ ପାଖରେ ଛିଡ଼ା ହେଲେ ଫ୍ରେଂଡ୍ସ୍ ବହି ଦୋକାନର ଥାକଗୁଡ଼ାକ ଓପ୍ ଚିତ୍ର ପରି ବା ଲୋଚାକୋଚା ଚେସବୋର୍ଡ଼ ପରି ଦେଖାଯାଏ । ଫ୍ରିଜିଡ ମଣିଷସବୁ କ୍ଳାନ୍ତ ହେଲେ ତା ଭିତରକୁ ଯାଇ ଉଷ୍ଣତା ଖୋଜନ୍ତି । ଏଠି ଅନ୍ୟାନ୍ୟ ପୃଥିବୀର କଥା ଓ କାହାଣୀ ସହ ଥାଏ ତୃତୀୟ ପୃଥିବୀର କଥା ଓ କିମ୍ବଦନ୍ତି । ଅନ୍ୟାନ୍ୟ ତଳ ବିତଳ ସହ ଥାଏ ଚତୁର୍ଥ ପରିତଳର ଦୃଶ୍ୟ । ଅନାବନା ତରଙ୍ଗ ସାଥିରେ ଥାଏ ତୃତୀୟ ତରଙ୍ଗର ବିରାଟ ଝଡ଼ର ଦୃଶ୍ୟ । ଅନେକ ଝଂକୃତ ରାଗରାଗିଣୀ ସାଥିରେ ଥାଏ ପଞ୍ଚମ ସର୍ଗର ଝଂକାର । ଷଷ୍ଠ ଚେତନାର ଶବ୍ଦ । ଅନ୍ୟଋତୁ ସାଥିରେ ସପ୍ତମ ଋତୁ । ଅଷ୍ଟମ ସ୍ୱର୍ଗ, ଦଶମ ଈଶ୍ୱର ଏବଂ ଏବଂ ଏବଂ ଏପରି ଅନେକ ଅନେକ କଖଗଘକ୍ଷ ହାତଠାରୁ ଡାକୁଥାନ୍ତି । ଏଠି ପ୍ରେମ ସେଠି ବନ୍ଧୁକ ସେଠି ସମାଜବାଦ ସେଠି ଦର୍ଶନ ମନସ୍ତତ୍ୱ ବିପ୍ଳବ । ସଭିଙ୍କ ପ୍ରଜ୍ଞାରେ ପ୍ରାଜ୍ଞବୃକ୍ଷଟି ନତଶିର । ଚିଲିକା ଆସିଲେ ହିଁ ଅବକାଶକୁ ସମୟ ମିଳେ ଏଇ ଚେସ୍ବୋର୍ଡରେ ହାତ ଖେଳାଇବା ପାଇଁ । ନହେଲେ ଅକ୍ଟୋପସ୍ ତାକୁ ଛାଡ଼େନା । ଏଇ ଚେସ୍ବୋର୍ଡ ଭିତରକୁ ଯିବାବେଳେ ହିଁ ଅବକାଶର କେହି ଜଣେ ସାର୍ ଆସୁଥିଲେ ଏବଂ ତାକୁ ଦେଖି ନ ଦେଖିଲା ପରି ହୋଇ ଚାଲିଗଲେ । ହସିଲା ଅବକାଶ । ମନେ ପଡ଼ିଲା ତା ସାର୍ ଥରେ ପଚାରିଥିଲେ ଶେଷଥର ପାଇଁ ବୋଧହୁଏ । ପଚାରିଥିଲେ ନୁହେଁ, ବରଂ କୁହାଯାଉ ଶେଷଥର ପାଇଁ ଦୋହରାଇଥିଲେ, ‘କଣ ସବୁ ଭଲ ତ? ନିରୁ ଆଜିକାଲି କେଉଁଠି?’ ଇଡିଅଟ୍ । ଯେବେ ଦେଖାହେଲେ ଗୋଟେ ଯାଂତ୍ରିକ ହସ ଓ ଏଇ ନିର୍ଦିଷ୍ଟ ପ୍ରଶ୍ନ । ସେ ହସିଥିଲା ଓ ଉତ୍ତରିଥିଲା, ‘ସତ କହଂତୁ ସାର ଆପଣ ଏପରି ମେକାନିକାଲ୍ ପ୍ରଶ୍ନ ଦୁଇଟିରେ ବୋର୍ ହେଉ ନାହାନ୍ତି? ନିରୁ ନାନୀ ବାହାହେବା ପରେ ଏଇ ପ୍ରଶ୍ନଟି ଆପଣ ଅତି କମ୍ରେ ଦୁଇଶହଥର ପଚାରି ସାରିଲେଣି ଏବଂ ଆପଣ ଭଲଭାବେ ଜାଣନ୍ତି ଯେ ମୁଁ ନିରୁ ବିଷୟରେ ଆଦୌ କିଛି ଜାଣେନି ବା ଜାଣିବାକୁ ଚେଷ୍ଟା କରେ ନାଇଁ । ଆପଣ ଯେତିକି ଜାଣିଛନ୍ତି ମୁଁ ବି ତାଠାରୁ ଅଧିକ କିଛି ଜାଣିନି । ଏବଂ ‘କଣ ସବୁ ଭଲ ତ’ ର ମାନେ କଣ? ଗତକାଲି ମୋତେ ନିଦ ହୋଇ ନ ଥିଲା । ଆଜି କୌଣସି କାରଣ ନ ଥାଇ ଭିକ୍ସ ଟାବ୍ଲେଟ ଖାଉଛି । କୌଣସି କାରଣ ନ ଥାଇ ରାସ୍ତାରେ ଘୁରୁଛି ଏବଂ ଅନେକଥର ଚା ଖାଉଛି । ଆଉ କିଛି ଦରକାର?’ ସେ ଦିନଠୁ ସାର ଜଣକ ମୁହଁ ମୋଡଂତି । ସେଦିନ ସେ ଘରକୁ ଯାଇ ନିଶ୍ଚୟ ସାରିଡୋନ୍ ଖାଇଥିବେ । ଓପ୍ ଚିତ୍ରର ଘେର ଭିତରୁ ଅବକାଶର ଆଙ୍ଗୁଠି ଧରି ବାହାରକୁ ଟାଣି ଆଣୁଥିଲା ଚିଲିକା । ଏଇ ଓପ୍ ଚିତ୍ରର ମାଲିକ ଦାଢ଼ି ପିନ୍ଧା ଢିଲା ପିନ୍ଧା ଓ ଝୁଲାମୁଣା ଧରିଥିବା, ସମୁଦାୟ ଗ୍ଲୋବର ଖବର ରଖୁଥିବା ଜଣେ ସମାଜସେବୀ । ତାଙ୍କର ଚାରିକୋଠରି ବିଶିଷ୍ଟ ପ୍ରଶସ୍ତ ହୃଦୟରେ ଅଛି । ସବୁବେଳେ ହସ ଲାଗିଥିବା ଚକ୍ ଚକ୍ ଦାନ୍ତ ଅଛି ଏବଂ ପିଠି ଆଉଁସି ପାରିବା ଭଳି ଯୋଡ଼ାଏ ବିରାଟ ପାପୁଲି । ଏପରି ଏକ ଚେସବୋର୍ଡ଼ ସଜାଇବା ପାଇଁ ସବୁବେଳେ ବ୍ୟସ୍ତ ଓ ଚଞ୍ଚଳ । ଏମାନଙ୍କ ପାଇଁ କଫି ଆସିଲା । ଚିଲିକା ଓ ଅବକାଶ କଫି ଖାଇବା ପରେ ରାସ୍ତାକୁ ପ୍ରବେଶିଲେ । ଅନ୍ୟ ପଟୁ ସେଇ ପାଞ୍ଚଫୁଟ ଆଠ ଇଞ୍ଚର ନୃତତ୍ତ୍ୱ