Jump to content

ପୃଷ୍ଠା:Hada bagicha.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଖିଛି । ଅବକାଶର ଶାଗୁଣା ଆଖି ଆହୁରି ତନଖି ଦେଖିଥାନ୍ତା ତାକୁ । କିନ୍ତୁ ପାଖରେ ଦାଂଡିଯାତ୍ରାର ପୋଷାକରେ ଆଦେଶ ହୋଇଥିବା ଖାଦ୍ୟ ଧରି ବୟ ଛିଡ଼ା ହୋଇଥିଲା । ରୁଟି ଡାଲି ଭଜା ଓ ଦହି । ଦହିରେ ଚିନି ପକାଇବା ପାଇଁ କହି ଅବକାଶ ଖାଇବା ଆରମ୍ଭ କଲା । ପାଞ୍ଚ ମିନିଟ୍ ପରେ ଖିଆ ସରିଲା ବେଳକୁ ବୟଟି ଆସି ଜଣାଇଲା ଯେ ଚିନି ନାହିଁ । ଅବକାଶ କହିଲା, ‘ଧନ୍ୟବାଦ’ । ଚିଲିକା ପଇସା ଦେଲା ଏବଂ ବାହାରି ଆସିଲେ ଦୁହେଁ । ପାଖରେ ଚଏସ୍ ବୁକ୍ ସେଂଟର୍ । ସମସ୍ତ ପତ୍ରିକା ଉପରେ ଆଖି ଘୂରାଇ ଆଣିଲେ । କୌଣସି ଯାଗାରେ ବି ଆଖି ଦି ଯୋଡ଼ା ନେସି ହେଲା ନାଇଁ । ଫେରିଆସିଲେ ଏବଂ ଯେଉଁଠି ବଡ଼ ବଡ଼ ଅକ୍ଷରରେ ବିଏଟିଏ ଲେଖା ହୋଇଥିଲା ତା ଭିତରକୁ ଯିବାକ୍ଷଣି ଅବକାଶ ପଚାରିଲା, ‘ବ୍ଲାକ୍ହୋଲ୍ ଥ୍ରେଡ୍ ଅଛି?’’ ଦୋକାନୀ ପଚାରିଲା ‘କ୍ୟା ଜୀ?’ ‘ମାନେ, ଯୋତାର ଫିତା ଅଛି?’ ଚିଲିକା ପଚାରିଲା, କହିଲା ‘ଗୋଡ଼ଟାକୁ ଦେଖୁ ନାହାନ୍ତି ।’ ଦୋକାନୀ ଛିଡ଼ା ହେଲା । ଅବକାଶର ଚିଲଆଖି ତାପେଟ ଉପର ଦେଇ ଘୂରି ଆସିଲା । ପେଟଟା ପୂର୍ଣଚନ୍ଦ୍ର ଭାଷାକୋଷ ପରି ଦେଖାଯାଉଛି । ଅବକାଶର ଗୋଡ଼ ଉପରେ ନଜର ପକାଇ ଦୋକାନୀ ଆଣିଲା ଫିତା । ଚୌକି ଦେହରେ ନିଜକୁ ଲଦି ଡାହାଣ ବ୍ଲାକହୋଲ୍ରେ ଫିତା ବାନ୍ଧିଲା ଅବକାଶ ଏବଂ ଚିଲିକା ଆଣ୍ଠୁ ମାଡ଼ି ବସି ବାଁ ବ୍ଲାକହୋଲ୍ର ଗଣ୍ଠି ପକାଇଲା ଏବଂ ଦୁଇ ମିନିଟ୍ ପରେ ସେମାନେ ଥିଲେ ରାସ୍ତାରେ । ଅବକାଶ ସେଇ ପ୍ରୌଢ଼ ବ୍ୟକ୍ତିଙ୍କ ପରିଚୟ ପଚାରିଲା । ‘ମୋର ବଡ଼ବାପା । ଗତ କ୍ରୀସ୍ମସ୍ରେ ବନିତା ଆତ୍ମହତ୍ୟା କରି ନ ଥିଲା? ତାର ବାପା । ଗାଁରେ ସମସ୍ତେ ତାଙ୍କୁ ଭୟଭକ୍ତି କରନ୍ତି । ସାଧୁମହାପୁରୁଷ ବୋଲି ପୂଜା ପ୍ରାୟ କରିଥାନ୍ତି । କିନ୍ତୁ, ତମେ ଜାଣ? ବନିତା ତା ଶେଷ ଚିଠିରେ ଲେଖିଥିଲା ‘ମାଇଁ ଡିଅର ଫାଦର୍ ଇଟ୍ ଇଜ୍ ଅନ୍ଫରଚୁନେଟ୍ ଦେଟ ୟୁ ଆର ମାଇଁ ଫାଦର’ । ତା ପାଇଁ କିଣା ହୋଇଥିବା ପଚାଶ ହଜାର ଟଙ୍କାର ଯୌତୁକ ଘରେ ସଢୁଛି । ତାଙ୍କ ମତରେ ବନିତା ଯିବାଦିନୁ ମୋ ଉପରେ ତାଙ୍କର ସମସ୍ତ ସ୍ନେହ ମମତା ଅଜାଡ଼ି ଦେଇଛନ୍ତି । ସେଥିପାଇଁ ମୁଁ ଏଠାକୁ ଆସିଲେ ସେ ବି ମୋତେ ଦେଖିବା ପାଇଁ ଚାଲି ଆସନ୍ତି ।’ ସାମାନ୍ୟ ହସିଲା ଚିଲିକା । କେତେ ତାଡ଼ନାରେ ବି ମଣିଷ ବଞ୍ଚୁଛି । ବଞ୍ଚିବାକୁ ଚେଷ୍ଟା କରୁଛି । ଆଦିମ ଚେଷ୍ଟା । ଏ ଶେଥା ପୃଥିବୀରେ ହୁଏତ ଶୂନ୍ୟ କଫିନ ଥାଇପାରେ, କଫିନ ଥାପିବା ପାଇଁ ହୁଏତ ଯଥେଷ୍ଟ ଧୂଷର ଥାନ ଥାଇପାରେ । ତା ମାନେ ନୁହେଁ ତୁମେ ଶୀଘ୍ର ଶୀଘ୍ର ଜିଇଁଥିବା ଜୀବନକୁ ସାରିଦେବ ଏବଂ ହାମୁଡ଼େଇ ପଡ଼ିବ । ଏତେ ହଂତସନ୍ତ କାହିଁକି? ଏଇ ଅଙ୍କକଷା ଶବ୍ଦ ଘୋଷା ଜୀବନଟିଏ ଜିଇଁବ ବୋଲି କିଏ ଶିଖାଇଛି? ସ୍ଥାନଟି ଏକ ବାଡ଼ଦିଆ ସର୍ବଂସହା ଚିଡ଼ିଆଘର ନୁହେଁ । ସକାଳଟାକୁ ଚିର୍ଚିରେଇ ଫୋଡ଼ି ଫୋପାଡ଼ି ଦେଉଥିବା ପକ୍ଷୀ ସମୂହର ଫାଲଗୁନୀ ଆକାଶୀ ଗୀତ ତୁମକୁ କହେ ନା କି ବିମୁଗ୍ଧ ବିଦଗ୍ଧ ହେବା ପାଇଁ? ସେଦିନ ଜଣେ ବନ୍ଧୁ କହୁଥିଲେ ଯେମିତି ହତ୍ୟା ଧର୍ଷଣ ବନ୍ୟାବାତ୍ୟା ମାରୀ ଓ ମରୁଡ଼ିର ଖବରଛପା ଦିନିକିଆ କାଗଜ ଟୁକୁରାକୁ ଯୋଡ଼ି ଲଙ୍ଗଳା ପିଲାଟି ଗୁଡ଼ି ବନାଇ ଉଡ଼ାଉଛି । ଛାଡ଼ି ଦେଇଛି ତା ମା’ର ଠିକଣାରେ ଏବଂ ଗୁଡ଼ିଟି ହଲିହଲି ଦୋହଲି ଦୋହଲି ପଖାଳି ପଖାଳି ଯାଉଛି ଉଦ୍ଭ୍ରାନ୍ତ ନିର୍ଲଜୀ ଆକାଶ ପଡ଼େ । ରାମ୍ପୁଡ଼ି ବିଦାରି ଦେଉଛି ଧଳାକଳା ବଉଦକୁ । ତମେ ଟିକେ ତମ ନିର୍ଲିପ୍ତ ଆଙ୍ଗୁଠିଟା ବଢ଼ାଇ ଦେଇ ପାରିବନି? ଏଇ ଚିଲିକାକୁ ଦେଖ । ତା ନିଜ ଫଟୋ ଓ ଖବର ଛପା କାଗଜକୁ ନିଜେ ଡଙ୍ଗା ବନାଇଛି, ଗୁଡ଼ି ତିଆରିଛି ଏବଂ ଶେଷରେ ଠୁଙ୍ଗା ବାଲାକୁ କେଜି ପ୍ରତି ତିନିଟଙ୍କାରେ ବିକ୍ରୀ କରିଛି । ଧର୍ଷିତା ଚିଲିକାର ଫଟୋଟିଏ କାନ୍ଥରେ ଟାଙ୍ଗି ତା ଉପରେ ଫୁଲମାଳଟିଏ ଝୁଲାଇ ଦେଇଛି । ଅର୍ଥାତ୍ ସେଇ ଚିଲିକା ମୃତ । ଫୁଲମାଳରୁ ଆଉ ବାସ୍ନା ଆସୁନାଇଁ । ସାମାନ୍ୟ ଛୁଇଁ ଦେଲେ ପାଖୁଡ଼ାଟିଏ ଝଡ଼ି ଯାଉଛି । ଠିକ୍ ଦିନଟିଏ ଝଡ଼ିଗଲା ପରି । କାନ୍ଥରେ ମୃତ ଚିଲିକା, ତା ଆଗରେ ଜିଇଁଥିବା ଚିଲିକା । ଜିଇଁବା ପାଇଁ ସେଦିନ କେତେ ଚେଷ୍ଟା କରି ନ ଥିଲା ସତେ । ପ୍ରାୟତଃ ମୂର୍ଛା ହେବାଯାଏ ସେମାନେ ମାଡ଼ ଦେଇଥିଲେ । ଗାଳି ଦେଇଥିଲେ । ଛୁରୀ ଦେଖାଇ ଭୟଭୀତ କରାଇଥିଲେ । ଚିଲିକା କାନ୍ଦୁଥିଲା । କାକୁତି ମିନତି ହେଉଥିଲା । ଛାଟିପିଟି ହେଉଥିଲା । ଗାଳି ଦେଇଥିଲା । ଖାସ୍ ବଞ୍ଚିବା ପାଇଁ । ଅଥଚ ଘଣ୍ଟାଏ ନିର୍ୟ୍ୟାତନା ପରେ ଚାରିଜଣ ତାକୁ ଧର୍ଷଣ କରିଥିଲେ । ସେଇ ଚିଲିକା ଏବେ ବି ବଞ୍ଚିଛି । ସେଦିନ ତାର ପରିଚ୍ଛଦ ନ ଥିଲା । ତା ଗଳାରୁନ୍ଧି ତାକୁ ପାଣିଛିଟା ଯାଇଥିଲା ଅନେକ ଥର । ସେ ପାଗଳପରି ବିଳିବିଳେଇ ଯାଉଥିଲା । ଖାସ୍ ଜୀବନ ପାଇଁ । ଚିଲିକା କୁହେ ସେ ବଞ୍ଚିଛି, ତଥାପି ବଞ୍ଚିଛି । ଜୀବନଭିକ୍ଷା କରି ନୁହେଁ । ଲଢ଼ାଇ କରି ସେ ଜିଣିଛି । ଏବଂ ତା ବଞ୍ଚିବା ଅନୁଭୂତିଟି ହେଉଛି ପୃଥିବୀ ଯେ କୌଣସି ବସ୍ତୁଠାରୁ ମୂଲ୍ୟବାନ । ଶହେଥର ତା କୁମାରୀତ୍ୱ