Jump to content

ପୃଷ୍ଠା:Hada bagicha.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏମିତି ବି ହୁଏ ଯେ ତା ମସ୍ତିଷ୍କ ଭିତରେ ଥାଏ ପାହାଡ଼ । ପାହାଡ଼ ଉପରୁ ଓହ୍ଲାଉଥାନ୍ତି ଦଳେ ଅଶ୍ୱାରୋହୀ ସୈନିକ । ଓକାଳ ଆଧିକ୍ୟରେ ବସୁଂଧରା ମୁହଁ ଫାଟି ପଡୁଥାଏ । ଅସମ୍ଭାଳି ଯାଉଥାଏ ଆସମୁଦ୍ରାକାଶ । ପ୍ରକଂପି ଯାଉଥାଏ ନୀଳନିରବଧି । ଘୋଡ଼ାମୁହାଁ ପୃଥିବୀଟା ହିନ୍ହିନେଇ ଦେଉଥାଏ । ଅଶ୍ୱଖୁରା ଶବ୍ଦରେ ଫାଟି ପଡ଼େ ଅବକାଶ । ଚିତ୍କାର କରେ ଜୋର୍ରେ । ବେଳେବେଳେ ଏମିତି ହୁଏ ଯେ ମସ୍ତିଷ୍କ ବୋଝେଇ ଥାଏ ସାହାରା । ମରୁରେ ମର୍ତ୍ୟରେ ଚରି ଯାଇଥାଏ ବାଲି । ଦଶଦିଗ ଖାଇ ଯାଇଥାଏ ବାଲି । ଆଖିରୁ ଆକାଶ ଯାଏ ବାଲି । ଦିଗରୁ ଦିଗ୍‌ବଳୟଯାଏ ବାଲି ବାଲି ବାଲି । ମଝିରେ ବାଲିଝଡ଼ର ମାଡ଼ ସହି ସହି ଖରା ଖାଇ ଖାଇ ଝାଂଜି ପବନରେ ପତ୍ର ଝରାଇ ଗୋଟାଏ ମାତ୍ର ଗଛ ନିଜ ଛାଇ ଗଢ଼ିବାରେ ଲାଗିଥାଏ । ପାରୁ ନ ଥାଏ । ସବୁଠି ବାଲି, ସବୁଠି ଖରା । ପରେ ନିଜେ ଝାଳନାଳ ହୋଇ ଆବିଷ୍କାର କରେ ନିଜକୁ । ବର୍ତମାନ କିନ୍ତୁ ସମୁଦାୟ ରିନ୍ ସାବୁନ୍ର ବାର୍ରେ ପେରିସକୋପ୍ର ମୋଡ଼ ଦେଇ ଚିଲିକା ଘରର ବେଲ୍ଦେଲା ଅବକାଶ । ଯିଏ କବାଟ ଫିଟାଇଲେ ତାଙ୍କ ମୁହଁଟା ଶାଢ଼ିର କୁଞ୍ଚ ଭଳି । ଅବକାଶ ତାଙ୍କୁ ଜାଣେନା । ‘ଚିଲିକା?’ ‘ଅଛି, ଶୋଇଛି,’ ପ୍ରୌଢ଼ବ୍ୟକ୍ତି ମୁହଁ ଛିଞ୍ଚାଡ଼ି କହିଲେ ଓ ଚାଲିଗଲେ । ପ୍ରାୟ ଦୁଇ ମିନିଟ୍ ଯାଏ ଅଣ୍ଟାରେ ବେକରେ ପକେଟରେ ହାତଦେଇ ଛିଡ଼ା ହେଲାପରେ ଚିଲିକା ଆସିଲା ମରୁଭୂଇଁ ରଙ୍ଗର ଶାଢ଼ି ପିନ୍ଧି । ନିର୍ଭିକ ଆଉ ନିର୍ବିକାର ଚିଲିକା । ସହଜ ଓ ପ୍ରାକୃତିକ ଚିଲିକା । “କାଲି ତମ ଘରକୁ ଯାଇ ଫେରି ଆସିଲି । ବହୁତ ବୁଲାବୁଲି କରୁଛ ଆଜିକାଲି, ସକାଳେ କାହିଁକି ଆସିଲ ନାଇଁ? ମୁଁ ଅପେକ୍ଷା କରିଥିଲି । ଏନ୍ ଏନକ୍ୱାୟାରି ଇନ୍ଟୁ ଟ୍ରୁଥ୍ ଏଣ୍ଡ ମିନିଂଗ୍ ବହିଟା ଆଣିଛି ତମ ଥାକରୁ । ଅନୁ କହିଥିବ ବୋଧହୁଏ? ଆରଥରକୁ ମୁଁ ଫେରିଲେ ନେବ ।’ ‘ଚାଲଯିବା ।’ ‘କୁଆଡ଼େ?’ ‘ମୁଁ କିଛି ଖାଇନାଇଁ ।’ ‘ତା ମାନେ ତମର ଖାଇବାର ଅଛି? ମୁଁ ଦେଖେ କିଛି ଅଛି ନା ନାଇଁ?’ ସାମାନ୍ୟ ହସି ଭିତରକୁ ଚାଲିଗଲା ଚିଲିକା । ରନ୍ଧାଘର ପଟୁ ବୁଲି ଆସି ଗୋଟାଏ ମିନିଟ୍ ପରେ ହାତରେ ପର୍ସ ଓ ରୁମାଲ୍ ଧରି କହିଲା, ‘ସରି, ଘରେ କିଛି ନାହିଁ । ଚାଲ ବାହାରେ ଖାଇନେବା । ମୁଁ ତ ଖାଇବିନି ତମେ ଖାଇବ ।’ ଅବକାଶ ଉଠି ଛିଡ଼ା ହେବାପରେ ଚିଲିକା ଚୌକିତଳୁ ଚଟି ଦୁଇଟି ଆଣି ଗୋଡ଼ ଗଳାଇ ‘ମାଉସୀ ମୁଁ ଟିକେ ଆସୁଛି’ କହି ବାହାରି ପଡ଼ିଲା । ‘ବୁଝିଲ କାଲି ରାତି ସାରା ବହିଟିର ଗେଟ୍ଅପ୍ ଦେଖି ଦେଖି ସମୟ ଚାଲିଗଲା । ଗାଢ଼କଳା ପ୍ରଚ୍ଛଦ ଉପରେ ଧଳା ମଣିଷ ମୁଣ୍ଡର ଗୋଟେ ସିଲୋଟି । ମୁଣ୍ଡଟିର ମସ୍ତିଷ୍କରେ ହଳଦିଆ ବିରାଡ଼ିର ଚିତ୍ର । ଲୋକଟି କେଟ୍ ବୋଲି କହିବା କଥା, ଅଥଚ କହୁଛି ‘ଡଗ୍’ । ଅବକାଶ ଝୁଣ୍ଟି ପଡ଼ିଲା ସାମାନ୍ୟ । ଢିଲା ବ୍ଲାକ୍ହୋଲ୍କୁ ସଜାଡ଼ି ନେଲା । କେହି କିଛି କହିଲେ ନାଇଁ ପ୍ରାୟ ଗୋଟାଏ ମିନିଟ୍ ଦୁଇ ତିନି ମିନିଟ୍ ଯାଏ । ସାଇକେଲଟିଏ ପଛପଟୁ ଆସି ଅବକାଶରେ କହୁଣିରେ ବାଜି ଚାଲିଗଲା । ଭଦ୍ରବ୍ୟକ୍ତି ଅନାଇଲେ ନାଇଁ ମଧ୍ୟ । ବୋଧହୁଏ ଟଙ୍କା ଯୋଗାଡ଼ରେ ବ୍ୟସ୍ତଥିବେ । ଜଣେ ବନ୍ଧୁ ହାମୁଡ଼େଇ ପଚାରିଲେ ‘ବେଂକ୍ର ରିଜଲ୍ଟ ବାହାରିଛି । ଦେଖିଲଣି? ତମ ନମ୍ବର କେତେ?’ ଅବକାଶ କହିଲା, ‘ମୁଁ ତ ପରୀକ୍ଷା ଦେଇ ନ ଥିଲି ।’ ସେ ଯିବା ପରେ ଦୁହେଁ ଗଲେ ରେସ୍ଟୁରାଁକୁ । ଖାଇବା ପାଇଁ ଆଦେଶ ଦେଲେ ଏବଂ ଗଣୁଥିଲେ ମିନିଟ୍ । ଦେଖୁଥିଲେ ଓମାର ଖୟାମ୍ଂକ ସୁରାପାତ୍ର, ସାକୀର ଅବୟବର ମୁଦ୍ରା, ପାହାଡ଼ୀ ଆଦିବାସୀ ରମଣୀର ହସ ଓ ଅଳଙ୍କାର । କାନ୍ଥସାରା ହସର ମୁଦ୍ରା, ଅବୟବର ମୁଦ୍ରା ଏବଂ ଗୋଟାଏ ଘଣ୍ଟାର ସେକେଣ୍ଡ କଣ୍ଟା । ସାମାନ୍ୟ ଦୂରରେ ଗୋଟାଏ ପରିବାରର ପାଞ୍ଚଜଣ, ବାପା ମା ଝିଅ ଏକ ଝିଅ ଦୁଇ ଝିଅ ତିନି, ଖାଉଥିଲେ । ଝିଅ ତିନି ପୋଟଳ ଖାଉଥିଲା । ଅବକାଶକୁ ପୋଟଳ ଭଲ ଲାଗେନା । ସାମାନ୍ୟ ବିରକ୍ତିରେ ମୁହଁଟା ଫେରାଇ ଆଣିଲା ସେଇ ଦାଢ଼ି ପିନ୍ଧା ବର୍ବର ଜାତୀୟ ଆଦିମାନବ ପାଖକୁ ଲୋକଟା ହାଡ଼ ଖଣ୍ଡେ ଖାଉଥିଲା । ଅବକାଶ ଗୋଟେ କ୍ରୁର ଦୃଷ୍ଟି ଫେରାଇ ଆଣିଲା ଏବଂ ଥୋଇଲା ନାକତଳେ ହଳେ ସମ୍ବାଳୁଆ ଥିବା ମହେଂଜୋଦାରୋର ଲୋକ ଉପରକୁ । ଚନ୍ଦନ ଟୋପାଟିଏ ଲଗାଇଛି ଦୁର୍ଭାଗିଆ ମଣିଷ । ପାଖରେ ଆଟାଚିଟିଏ